ପାଳିରେ ଚାଲିଛି ସିକୋ ଡାକ୍ତରଖାନା; କ୍ୱାର୍ଟରରେ ଉଇ ହୁଙ୍କା

ବେଗୁନିଆ : ଗତ୨୫ବର୍ଷ ତଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟନାୟକ ବେଗୁନିଆରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୯୫ ମସିହାରେ ସେ ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋରେ ଲୋକମାନଙ୍କର ଆଶୁ ଚିକିତ୍ସା ପାଇଁ ଏଠାରେ ଏହି ଡାକ୍ତରଖାନାଟି ଖୋଲିଥିଲେ ।କିନ୍ତୁ ଏଠାରେ ଖୋଲାଯାଇଥିବା ସିକୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)ରେ କାର୍ଯ୍ୟରତ କର୍ମଚାରୀମାନେ ଡାକ୍ତରଖାନାକୁ ପାଳି କରି ଆସୁଥିବାରୁ ଅଞ୍ଚଳର ଲୋକମାନେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବାର ଅଭିଯୋଗ ହେଉଛି ।ଜନସାଧାରଣଙ୍କ ଅଭିଯୋଗ ଉପରେ ସିଡିଏମଓଙ୍କଠାରୁ ଆରମ୍ଭ କରି ଉଚ୍ଚ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି ।ଉକ୍ତ ଡାକ୍ତରଖାନାରେ କାର୍ଯ୍ୟରତ ଏଲୋପାଥି ଏବଂ ଆୟୁଷ ଡାକ୍ତର ଭୁବନେଶ୍ୱରରେ ରାହୁଥିବାବେଳେ ସେମାନେ ସବୁଦିନ ଡାକ୍ତରଖାନା ନ ଆସି ସପ୍ତାହକୁ ୩ ଦିନ ଲେଖାଏଁ ଆସୁଛନ୍ତି ।ଫଳରେ ଅନ୍ୟ କର୍ମଚାରୀମାନେ ଏହାର ସୁଯୋଗ ନେଇ ସେମାନେ ମଧ୍ୟ ସେହିଭଳି କାର୍ଯ୍ୟ କରୁଛନ୍ତି ।ନିରାମୟ ଯୋଜନାରେ ଆସୁଥିବା ଔଷଧ ମଧ୍ୟ ଲୋକମାନେ ଠିକ୍ ଭାବରେ ପାଇପାରୁନାହାନ୍ତି ।ସକାଳ ଓଳି ଡାକ୍ତରଖାନା ଖୋଲାଯାଇ ଦିନ ୧୨ଟା ପୂର୍ବରୁ ବନ୍ଦ କରି ଯେ ଜୁଆଡ଼େ ଚାଲିଯାଉଛନ୍ତି ।ଦିନ ୧୨ ଟା ପରଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଡାକ୍ତରଖାନା ପରିସର ପିଲାଙ୍କ ଖେଳ ପଡିଆରେ ପରିଣତ ହେଉଥିବାର ଦେଖିବାକୁ ମିଳୁଛି ।ଉପରଓଳି ଡାକ୍ତରଖାନା ଆଦୌ ଖୋଲାଯାଉନାହିଁ ।ଫଳରେ ଏହି ଡାକ୍ତରଖାନା ଉପରେ ସିକୋ, ଶଗଡ଼ଭଙ୍ଗା ଏବଂ ହୀରାପୁର ପଂଚାୟତର ଶହ ଶହ ଲୋକ ନିର୍ଭର କରୁଥିବା ବେଳେ ସେମାନେ ଡାକ୍ତରଙ୍କ ଅନୁପସ୍ଥିତିରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଆବଶ୍ୟକସ୍ଥଳେ ଲୋକମାନେ ଅଯଥା ଖର୍ଚ୍ଚାନ୍ତ ଏବଂ ହଇରାଣ ହରକତ ହୋଇ ଖୋର୍ଦ୍ଧା ଭୁବନେଶ୍ୱର ଯିବା ପାଇଁ ବାଧ୍ୟ ହେଉଛନ୍ତି ।ଉକ୍ତ ଡାକ୍ତରଖାନା ପରିସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନୁଦାନରେ ଗତ ୪ ବର୍ଷ ତଳେ ଷ୍ଟାଫକ୍ୱାର୍ଟର ନିର୍ମାଣ କରାଯାଇଥିବାବେଳେ କେହି କର୍ମଚାରୀ ନ ରହିବା ଯୋଗୁଁ ଘରଗୁଡିକ ଭିତରେ ଉଇ ହୁଙ୍କା ଚଢି ଗଲାଣି । କାର୍ଯ୍ୟରତ ଫାର୍ମାସିଷ୍ଟ ଗଂଜାମ ଜିଲ୍ଲାର ହୋଇଥିବାରୁ ସେ ଗୋଟିଏ କ୍ୱାର୍ଟରରେ ରହୁଥିବାବେଳେ ବ୍ୟବହାର ଅଭାବରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଘରଗୁଡିକର କବାଟ ଝରକା ଭାଙ୍ଗିବା ସହିତ ଘରଗୁଡିକ ମଧ୍ୟ ଭାଙ୍ଗି ରୁଜି ଗଲାଣି ।ଏଠାରେ ଯଦି କର୍ମଚାରୀମାନେ ରହିବା ପାଇଁ କ୍ୱାର୍ଟରର ଆବଶ୍ୟକତା ନାହିଁ ,ତାହେଲେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କ୍ୱାର୍ଟର ନିର୍ମାଣ କରୁଥିଲେ କାହିଁକି ବୋଲି ଜନସାଧରଣ ପ୍ରଶ୍ନ କରିଛନ୍ତି । ତେଣୁ କର୍ମଚାରୀମାନଙ୍କର ଅନିୟମିତତା ଉପରେ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଅଙ୍କୁଶ ଲଗାଇବା ପାଇଁ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି।ଡାକ୍ତରଖାନାରେ କାର୍ୟ୍ୟରତ ଏଲୋପାଥିକ ଡାକ୍ତର ଲିୱା ପଟ୍ଟନାୟକଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ, ସେ ଭୁବନେଶ୍ୱରସ୍ଥିତ ପଟିଆରେ ରହୁଛନ୍ତି ଏବଂ ତାଙ୍କ ତରଫରୁ ଯେତିକି ପାରୁଛନ୍ତି ସେ ନିୟମିତ ଆସୁଛନ୍ତି ବୋଲି କହିଥିଲେ । ଆୟୁଷ ଡାକ୍ତର ତୃପ୍ତି ବାଳା ପଟ୍ଟନାୟକଙ୍କ ସହିତ ଚେଷ୍ଟା କରିଥିଲେ ମଧ୍ୟ ଯୋଗା ଯୋଗ ସମ୍ଭବ ହୋଇପାରିନାହିଁ

Comments
Loading...