ବେଆଇନ ପଥର ଖଣି ଉପରେ ରାତିଅଧିଆ ମିଳିତ ଚଢ଼ାଉ, ୬ ପଥର ବୋଝେଇ ଟ୍ରକ୍ ଜବତ

ବେଗୁନିଆ : ବେଗୁନିଆ ତହସିଲ ଅନ୍ତର୍ଗତ ରାଉତପଡା ଏବଂ ତାର ନିକଟସ୍ଥ ଦୁଇ ତିନୋଟି ବେଆଇନ ପଥର ଖଣି ଉପରେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଏବଂ ବେଗୁନିଆ ଥାନା ଅଧିକାରୀ ରଶ୍ମିରଂଜନ ସାହୁ ରାତିଅଧିଆ ମିଳିତ ଚଢ଼ାଉ କରି ୬ ଟି ପଥର ବୋଝେଇ ଟ୍ରକ୍ ଜବତ କରିଛନ୍ତି l ପଥର ମାଫିଆମାନେ ଏ ଅଞ୍ଚଳରେ ଥିବା ବହୁ ବେଆଇନ ପଥର ଖଣିରୁ ରାତି ଅଧିଆ ପଥର କାଟି ଚଢା ଦରରେ ବାହାର ଅଞ୍ଚଳକୁ ଚାଲାଣ କରୁଛନ୍ତି l ତେଣୁ ତହସିଲଦାର ଏବଂ ଥାନା ଅଧିକାରୀ ତାଙ୍କର କର୍ମଚାରୀମାନଙ୍କ ସହିତ ଗତକାଲି ରାତି ୧୨ ଟାରେ ଏହି ଚଢ଼ାଉ ଆରମ୍ଭ କରିଥିଲେ l ପ୍ରଥମେ ରାଉତପଡା ବିଞ୍ଚଣl ଖଣି ଏବଂ ତାର ଆଖପାଖରେ ଚାଲିଥିବା ବେଆଇନ ପଥର ଖଣି ଉପରେ ଚଢ଼ାଉ କରି ୬ ଟି ପଥର ବୋଝେଇ ଟ୍ରକ୍ ଜବତ କରିଥିଲେ l କିନ୍ତୁ ଗାଡିଗୁଡିକର ଡ୍ରାଇଭର ଗିରଫ ହେବା ଭୟରେ ତହସିଲଦାର ଏବଂ ଥାନା  ଅଧିକାରୀଙ୍କୁ ଦେଖି ଗାଡିରୁ ଡେଇଁ ଛତ୍ରଭଙ୍ଗ ଦେଇଥିଲେ l ଫଳରେ ଜବତ ଗାଡ଼ିଗୁଡିକ ଥାନାକୁ ଆଣିବା କଷ୍ଟକର ବ୍ୟାପାର ହୋଇପଡିଥିଲା । ଡ୍ରାଇଭର ଠିକ୍ କରି ଗାଡ଼ିଗୁଡିକ ବେଗୁନିଆ ତହସିଲକୁ ଆଣିବା ଭିତରେ ସକାଳ ହୋଇଯାଇଥିଲା l ତହସିଲଦାର ଶ୍ରୀ ମଣ୍ଡଳଙ୍କ ଅଭିଯୋଗ କ୍ରମେ ଏ ସଂକ୍ରାନ୍ତରେ ବେଗୁନିଆ ଥାନାରେ ଦୁଇଟି ମୋକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରି ରହିଛି l

Comments are closed.