ଗାଁ ଲୋକେ ଜଗୁଛନ୍ତି ହାତୀ, ବନପାଳ ନିଦ୍ରାରେ

ବେଗୁନିଆ : ଖୋର୍ଦ୍ଧା ଜିଲା ଟାଙ୍ଗୀ ରେଞ୍ଜ ଅଧିନସ୍ଥ ବେଗୁନିଆ ବ୍ଲକ ସିକୋ ଗ୍ରାମ ନିକଟସ୍ଥ ନାରଗୋଦା ଜଙ୍ଗଲରୁ ୩ଟି ଦନ୍ତା ହାତୀ ନିୟମିତ ସିକୋ ଗ୍ରାମକୁ ଆସି ଧନଜୀବନ ନଷ୍ଟ କରୁଛନ୍ତି। ଏନେଇ ବିଭାଗୀୟ କର୍ମଚାରୀମାନେ ସବୁ ଜାଣିଥିଲେ ମଧ୍ୟ କିଛି ନଜାଣିଲା ପରି ନୀରବ ରହୁଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ରାତିରେ ୩ଟି ହାତୀ  ଜଙ୍ଗଲରୁ ଆସି ପ୍ରାୟ ୪ଏକରରୁ ଉର୍ଦ୍ଧ୍ବ ଧାନଜମି ନଷ୍ଟ କରିଦେଇଛନ୍ତି। ଗ୍ରାମର ଲୋକମାନେ ବାଣ ଫୁଟାଇ ଟର୍ଚ୍ଚ ଲାଇଟ ଦ୍ୱାରା ହାତୀଙ୍କୁ ଘଉଡାଇଥିଲେ ମଧ୍ୟ ବନ ବିଭାଗ କର୍ମଚାରୀ ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି। ଗ୍ରାମବାସୀ ଏନେଇ ସିକୋସ୍ଥିତ ବନପାଳ କାର୍ଯ୍ୟାଳୟରେ ବନପାଳ ରମାକାନ୍ତ କରଙ୍କୁ  ଜଣାଇଥିଲେ ମଧ୍ୟ ସେ ସବୁ ଶୁଣି ନସୁଣିଲା ପରି ନୀରବ ରହୁଛନ୍ତି। ଯାହା ଫଳରେ ଲୋକମାନେ ନିଜ ଜମିର ଧାନ ଫସଲକୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ହାତୀ ଘଉଡାଉଥିବାବେଳେ ହାତୀ ଘଉଡାଇବା ପାଇଁ ନିଯୁକ୍ତି ପାଇଥିବା ବନପାଳ କିନ୍ତୁ ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି।

ସୂଚନାଅନୁସାରେ ଗତକାଲି ସିକୋ ଗ୍ରାମ ପୁର୍ଣିମାସୀପାଟଣା ସାହିର ସାଧୁଚରଣ ଚମ୍ପତ୍ତି, ଯୁଧିଷ୍ଠିର ଚମ୍ପତ୍ତି, ମନୁଆ ସୁନ୍ଦରାୟ, ଭାଗିରଥି ରଣସିଂହ, ବିନୋଦଚନ୍ଦ୍ର ବଳିୟାରସିଂ ଏବଂ ବୁଲୁ ପରିଡା ସମେତଙ୍କର ଧାନ ବିଲରେ ପଶି ହାତୀ ଫସଲ ନଷ୍ଟ କରିଥିବାବେଳେ ରବି ମଙ୍ଗରାଜଙ୍କର ଏକ କଦଳୀ ବାଡିକୁ ମଧ୍ୟ ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ଉକ୍ତ ଘଟଣା ସମ୍ପର୍କରେ ବନପାଳଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତୁରନ୍ତ ଉକ୍ତ ଜଙ୍ଗଲରେ ଥିବା ହାତୀ ୩ଟିକୁ ଘଉଡାଇବାର ବ୍ୟବସ୍ଥା କରାନଗଲେ ଗ୍ରାମବାସୀମାନେ ବନପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଜଣାପଡିଛି ।

Comments are closed.