ପ୍ରଚାରରେ ସୀମିତ ସରକାରଙ୍କ ୫ଟି କାର୍ଯ୍ୟକ୍ରମ, ବିପର୍ଯ୍ୟସ୍ତ ପଶୁ ଚିକିତ୍ସା ସେବା

ବେଗୁନିଆ: ୨୦୧୯ ଅକ୍ଟୋବର ୨ ତାରିଖରେ ରାଜ୍ୟ ସରକାରଙ୍କର ଜନହିତକର ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମ ମୋ ସରକାର ଓ ୫ଟି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପ୍ରାଥମିକତା ଭିତ୍ତିରେ ସ୍ୱାସ୍ଥ୍ୟସେବା ଏବଂ ପୁଲିସ ସେବାରେ ମୋ ସରକାର ନିୟମ କାର୍ଯ୍ୟକାରୀ ହେଲା। ପରବର୍ତ୍ତୀ ସମୟରେ ଡିସେମ୍ବର ୨୦୧୯ରେ ପଞ୍ଚାୟତିରାଜ ବିଭାଗରେ ମୋ ସରକାର ନିୟମ ଲାଗୁହେଲା । ଏହାପରେ ସମସ୍ତ ବିଭାଗକୁ ମଧ୍ୟ ୫ଟି ଏବଂ ମୋ ସରକାର ଯୋଜନାରେ ସାମିଲ କରାଗଲା। ଏହାଦ୍ୱାରା ଚାଷୀକୂଳଠାରୁ ଆରମ୍ଭ କରି ଜନସାଧାରଣ ବେଗୁନିଆ ବ୍ଲକରେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଥିବା ପଶୁ ସେବାରେ ଆଖି ଦୃଶିଆ ଉନ୍ନତି ଆସିବ ବୋଲି ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ସୃଷ୍ଟି ହୋଇଥିଲା। ଏଥିସହିତ ବ୍ଲକର ଜନସାଧାରଣଙ୍କୁ ଉତ୍ତମ ପଶୁସେବା ଯୋଗାଇଦେବା ଲକ୍ଷ୍ୟରେ ମୋ ସରକାର ବହୁତ ଫଳପ୍ରଦ ହେବ ବୋଲି ଲୋକମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମାତ୍ର ନିୟମ କାର୍ଯ୍ୟକାରୀ ହୋଇ ଶୀତଳ ଭଣ୍ଡାରକୁ ଚାଲିଯିବା ପରେ ମଧ୍ୟ ବେଗୁନିଆ ବ୍ଲକରେ ପଶୁ ସେବାରେ କୌଣସି ସୁଧାର ଆସିଲା ନାହିଁ । ଯାହାଫଳରେ କୃଷିଭିତ୍ତିକ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକରେ ପଶୁ ସେବା ବିପର୍ଯ୍ୟସ୍ତ ହୋଇପଡିଛି।ବେଗୁନିଆ ବ୍ଲକର ୨୧ ଟି ପଞ୍ଚାୟତ ମଧ୍ୟରୁ ସିକୋ ପ୍ରାଣୀ ଚିକିତ୍ସାଳୟ ଉପରେ ୫ ଟି ପଞ୍ଚାୟତ ଏବଂ ବେଗୁନିଆ ପ୍ରାଣୀ ଚିକିତ୍ସାଳୟ ଉପରେ୧୬ଟି ପଂଚାୟତର ପ୍ରାଣୀ ସମ୍ପଦ ନିର୍ଭର କରିଥାନ୍ତି ।୨୦୧୯ ପ୍ରାଣୀ ଗଣନା ଅନୁସାରେ ବେଗୁନିଆ ବ୍ଲକରେ ଗାଈ, ବଳଦ ଏବଂ ମଇଁଷି ୩୨,୨୦୮ ଥିବାବେଳେ ଛେଳି ଏବଂ ମେଣ୍ଢା ୧୦,୯୧୫, ଘୁଷୁରୀ ଏବଂ କୁକୁଡ଼ା ଓ ବତକ ୫୫୧୪ ଏବଂକୁକୁଡ଼ା ଫାର୍ମରେ ୨ ଲକ୍ଷରୁ ଊର୍ଦ୍ଧ୍ବ କୁକୁଡ଼ା ଅଛନ୍ତି। ସେମାନଙ୍କର ଚିକିତ୍ସା ଏବଂ ସରକାରୀ ଯୋଜନା ଗୁଡିକ ଠିକ ଭାବରେ କାର୍ୟ୍ୟକାରୀ କରିବା ପାଇଁ ବେଗୁନିଆ ବ୍ଲକର ବେଗୁନିଆ ଏବଂ ସିକୋରେ ଦୁଇଟି ପଶୁ ଡାକ୍ତରଖାନା ଥିଲେ ମଧ୍ୟ କୌଣସି ସ୍ଥାନରେ ଏଲଆଇଠାରୁ ଆରମ୍ଭ କରି ବିଭିଓ ପର୍ଯ୍ୟନ୍ତ କେହି ନାହାନ୍ତି । ଫଳରେ ପଶୁ ଚିକିତ୍ସା ପାଇଁ ଲୋକମାନେ ଏହି ବ୍ଲକରେ କି ଅବସ୍ଥା ଭୋଗ କରୁଥିବେ ତାହା ଏହି ଘଟଣାରୁ ସହଜରେ ସ୍ପଷ୍ଟ ଅନୁମେୟ । ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବାବେଳେ କୌଣସି ଗୋଟିଏ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ନହେବା ନିଶ୍ଚୟ ପରିତାପର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି ।

ବେଗୁନିଆରେ ବିଭିଓ ପଦବୀ ସହିତ ଭିଏସ ଏବଂ ଏଭିଏସ ପଦବୀ ଖାଲି ପଡ଼ିଛି । ଏମଭିୟୁରେ ଭିଏସ ନଥିବାବେଳେ ଆଟେଣ୍ଡାଣ୍ଟ ଏବଂ ଏଲଆଇଙ୍କୁ ନେଇ ଚିକିତ୍ସା ଚାଲିଛି। ଫଳରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ିରେ ଡାକ୍ତର ଅଭାବରୁ ଦୁଆର ମୁହଁରେ ପ୍ରାଣୀମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ରୋଗ ବିଷୟରେ ସଚେତନତା ଓ କୃମି ଔଷଧ ଆଦି ଦେବା ବାଧାପ୍ରାପ୍ତ ହେଉଛି।୮ଜଣ ଏଲ ଆଇ ରହିବା ପାଇଁ ଥିବାବେଳେ୪ଜଣ ଏଲ ଆଇ ଅଛନ୍ତି । କଣ୍ଟାବାଡ଼, ଡାଳତୋଳା, ଗୁଡୁମ ଏବଂ ବାଘମାରୀ ଏଲ ଆଇ ସେଣ୍ଟର ରେ ଏଲ ଆଇ ନାହାନ୍ତି।ଫଳରେ ୪ ଜଣ ଏଲ ଆଇ୨୧ ଟି ପଞ୍ଚାୟତରେ କାର୍ଯ୍ୟ କରିବା ସମ୍ଭବପର ହେଉନାହିଁ । ବେଗୁନିଆ ବ୍ଲକରେ କର୍ମଚାରୀ ଅଭାବରୁ ପଶୁ ସେବା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ସିକୋ ବେଗୁନିଆ ପ୍ରାଣୀ ଚିକିତ୍ସାଳୟରେ ନିଯୁକ୍ତି ପାଇଥିବା ଅଧିକାରୀଙ୍କୁ କାହା ସ୍ୱାର୍ଥରେ ଏଠାରୁ ଭୁବନେଶ୍ୱରକୁ ଡେପୁଟେସନରେ ନିଆଯାଇଛି ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି। ସିକୋ ପ୍ରାଣୀ ଚିକିତ୍ସାଳୟରେ ନିଯୁକ୍ତି ପାଇଥିବା ଡାକ୍ତର ସୁବ୍ରତ କୁମାର ସାହୁଙ୍କୁ ୫ ବର୍ଷ ହେଲା ଓଏଲଆରଡିଏସକୁ ଡେପୁଟେସନରେ ଯାଇଛନ୍ତି। ସେହିପରି ବେଗୁନିଆ ପ୍ରାଣୀ ଚିକିତ୍ସାଳୟରେ ନିଯୁକ୍ତି ପାଇଥିବା ଡାକ୍ତର ଅପରାଜିତା ସାମନ୍ତରାୟଙ୍କୁ ୬ ମାସ ହେଲା ଭୁବନେଶ୍ୱରସ୍ଥିତ ସେହି ଏକା ଜାଗାକୁ ଡେପୁଟେସନରେ ଯାଇଛନ୍ତି। ସରକାର ସେମାନଙ୍କୁ ବେଗୁନିଆରେ ନିଯୁକ୍ତି ଦେଇ ଭୁବନେଶ୍ୱର ନେବା ପଛରେ କଣ ରହସ୍ୟ ରହିଛି ତାହା ଜନସାଧାରଣ ଜାଣି ପାରୁନାହାନ୍ତି। ସେମାନେ ଦରମା ଏଠାରୁ ପାଉଥିବାବେଳେ ସେଠାରେ କାର୍ଯ୍ୟ କରୁଛନ୍ତି କାହା ନିର୍ଦେଶରେ।ଏହିସବୁ ଘଟଣାକୁ ନେଇ ଏଠାରେ ଆନ୍ଦୋଳନ ପାଇଁ ଲୋକମାନେ ସଜବାଜ ହେଉଥିବାର ଜଣାପଡିଛି। ଏଭଳି ଅବସ୍ଥାରେ ବେଗୁନିଆ ବ୍ଲକରେ ପଶୁ ସେବା ନାହିଁ ନାହିଁରେ ଚାଲିଥିବାବେଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଆଖି ବୁଜିଦେବା ୫ଟି ନିୟମର ଖୋଲା ଖୋଲି ଉଲ୍ଲଂଘନ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଯାହାଦ୍ୱାରା ୫ଟି ନିୟମ ଲାଗୁ ପରେ ପୁରୁଣା ଢାଞ୍ଚାରେ ନିଯୁକ୍ତି ପାଇଥିବା ଜାଗାରେ କାର୍ଯ୍ୟ ନକରି ନିଜର ସୁବିଧା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ହାତ କରି ଭୁବନେଶ୍ୱରରେ ରହିବା ଘଟଣା ପଶୁସେବା ଯୋଗାଇବା ଭଳି ଅଭାବନୀୟ ଚିତ୍ର ବ୍ଲକର ବିପର୍ଯ୍ୟସ୍ତ ପଶୁସେବାର ମୂଳକାରଣ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏଠାରୁ ଡେପୁଟେସନରେ ଯାଇଥିବା କର୍ମଚାରୀଙ୍କୁ ଫେରାଇ ନଆଣି ବୋଲଗଡ଼ ବ୍ଲକ ବିଭିଓଙ୍କୁ ବେଗୁନିଆ ଦାୟିତ୍ୱ ଦିଆଯାଇଥିବା ଯୋଗୁଁ ଉଭୟ ସ୍ଥାନରେ କାର୍ଯ୍ୟ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହେବା ସହିତ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ଜାଣିବା ପାଇଁ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି।

Comments are closed.