ଝାଟିମାଟି ଭଙ୍ଗାଘରେ ବିତୁଛି ଜୀବନ

ବେଗୁନିଆ: ଗରୀବଙ୍କୁ ମିଳୁନି ଘର । ସ୍ୱାମୀଙ୍କ ଦେହାନ୍ତ ପରେବି ନାହିଁ ବିଧବା ଭତ୍ତା । ସରକାରୀ ଯୋଜନା ପାଇଁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ମହିଳା । ଏପରି ଏକ ଅଭିଯୋଗ ଆସିଛି ବେଗୁନିଆ ବ୍ଲକ ସିକୋ ଗ୍ରାମ ପଞ୍ଚାୟତର ଆଦିବାସୀ ସାହିରୁ । ଗାଁର ସତ୍ୟଭାମା ବେହେରାଙ୍କ ପାଇଁ ସରକାରୀ ଯୋଜନା ପାଲଟିଛି ସାତ ସପନ । ସ୍ୱାମୀଙ୍କର ଗତ ୨ ବର୍ଷ ହେଲା ମୃତ୍ୟୁ ହେଲାଣି । ହେଲେ ଏଯାଏ ମିଳିନି ବିଧବା ଭତ୍ତା । ଅନ୍ତେଷ୍ଟିକ୍ରିୟା ପାଇଁ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ଦେଉଥିବା ୨ ହଜାର ଟଙ୍କା ବି ଆଜି ପର୍ୟ୍ୟନ୍ତ ସେ ପାଇ ପାରି ନାହାନ୍ତି ।ସତ୍ୟଭାମାଙ୍କ ସ୍ୱାମୀ ଜଣେ ଦିନମଜୁରିଆ ଥିଲେ ।ସେ ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କର ପତ୍ନୀ ଏବଂ ଦୁଇ ଛୋଟ ପୁଅ ପ୍ରତି ପାଳିତ ହେଉଥିଲେ ।ସ୍ୱାମୀଙ୍କ ମୃତ୍ୟୁ ପରେ ସତ୍ୟଭାମା ଏବେ ନିଜେ ମଜୁରୀ ଲାଗି ଏବଂ ଜଙ୍ଗଲୁ କାଠ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଆଉ ଅର୍ଥାଭାବ କାରଣରୁ ଓଳିଏ ଖାଇ ଓଳିଏ ଉପବାସ ରହିବାକୁ ପଡ଼ୁଛି । ସରକରଙ୍କର ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ହିଁ ତାଙ୍କର ଏକମାତ୍ର ସାହା ଭରସା । ହେଲେ ସେଥିରେ ତିନିଜଣ ଚଳିବା ସମ୍ଭବ ନୁହେଁ । ଘର କଥା ତ ନକହିବା ଭଲ । ଯାହା ଆପଣ ଦେଖୁଛନ୍ତି । ଝାଟିମାଟି ଭଙ୍ଗାଘରେ ଅସରାଏ ବର୍ଷା ହେଲେ ରହିବା ସମ୍ଭବ ନୁହେଁ । ବହୁ କଷ୍ଟରେ ସେହି ଘରେ ପଡ଼ିରହିଛନ୍ତି ୩ ପ୍ରାଣୀ । ଅନେକ ସମୟରେ ଘର ଭିତରେ ସରୀସୃପ ମାନଙ୍କ ସହିତ ମଧ୍ୟ ରାତି ବିତାଇବାକୁ ପଡେ ବୋଲି ସତ୍ୟଭାମା କୋହ ଭରା କଣ୍ଠରେ କହିଛନ୍ତି । ପ୍ରଶାସନ ପକ୍ଷରୁ ଏହି ପରିବାରକୁ ବିଧବା ଭତ୍ତା ସହିତ ଯଦି ଘର ଖଣ୍ଡିଏ ମିଳନ୍ତା ତାହେଲେ ଏହି ଦୁଃଖି ପରିବାରଟି ଉପକୃତ ହୋଇପାରନ୍ତା ।

Comments are closed.