୨୪ ବର୍ଷର ନ୍ୟାୟିକ ଲଢ଼େଇ, ଭିକ୍ଷୁକ ହେଲେ ଶିକ୍ଷକ

ନାରାୟଣପାଟଣା: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ। ମାତ୍ର ଘଟଣା ସତ୍ୟ। ଦୀର୍ଘ ୨୪ ବର୍ଷ ଧରି ଆଇନଗତ ଲଢେଇ ପରେ ଶେଷରେ ନ୍ୟାୟାଳୟରୁ ତାଙ୍କୁ ମିଳିଛି ସଫଳତା। ହେଲେ ଗଡି ଯାଇଛି ବୟସ। ଭିକ୍ଷାବୃତ୍ତି କରି ଜୀବନ ଜୀଉଁଥିବା ଜଣେ ବ୍ୟକ୍ତିଙ୍କୁ ବୟସର ଅପରାହ୍ଣରେ ମିଳିଛି ଶିକ୍ଷକ ଚାକିରି। ସବୁଠୁ ବିସ୍ମିତ ହେଲା ଭଳି ଘଟଣା ହେଲା ସେ ନିଜେ ଏହି ନ୍ୟାୟିକ ଲଢେଇରେ ଜିତିଛନ୍ତି ବୋଲି ଜାଣି ନଥିଲେ। ଗାଁର ଯୁବକମାନେ ଏ ସଂପର୍କରେ ସରକାରୀ ୱେବ୍‌ସାଇଟ୍‌ରୁ ସୂଚନା ପାଇ ଏହି ଭିକ୍ଷୁକଙ୍କୁ ଜଣାଇଥିଲେ। ଭିକ୍ଷା ଥାଳ ଛାଡ଼ି ଏବେ ଚକ୍‌ ଓ ଡଷ୍ଟର ଧରିଛନ୍ତି ସୀମାନ୍ତ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲାର ପାତାପାଟଣା ମଣ୍ଡଳର ସିଦି ଗ୍ରାମର ୫୫ ବର୍ଷୀୟ ଆଲାକା କେଦାରେଶ୍ବର।

ଜଣେ ଭିକ୍ଷୁକ ଏବେ ଶିକ୍ଷକ ନିଯୁକ୍ତି ପାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବିଳମ୍ବି ନ୍ୟାୟ ସତ୍ତ୍ବେ ଆଇନ ବ୍ୟବସ୍ଥା ତାଙ୍କ ଆସ୍ଥା ବଢିଛି। ପରିଣତ ବୟସରେ ଏଭଳି ନ୍ୟାୟ ତାଙ୍କ ମୁହଁରେ ହସ ଫୁଟାଇଛି। ବିଏଡ୍‌ ପ୍ରମାଣପତ୍ର ପାଇଥିବା କେଦାରେଶ୍ବର ୧୯୯୪ ମସିହାରେ ଜିଲା ମନୋନୟନ କମିଟିରେ ଆବେଦନ କରି ବିଫଳ ହୋଇଥିଲେ। ପୁଣି ସେ ୧୯୯୮ରେ ଜିଲା ମନୋନୟନ କମିଟିରେ ଶିକ୍ଷକ ଲାଗି ମନୋନୀତ ହୋଇଥିଲେ ମଧ୍ୟ ଏହି ଘଟଣା ବିବାଦ ଘେରକୁ ଚାଲିଯାଇଥିଲା। ଫଳରେ ମାମଲା ଅଦାଲତରେ ଲଟକି ରହିଲା। ସେବେଠାରୁ ଚାକିରି ଆଶା ତାଙ୍କର ମଉଳି ଯାଇଥିଲା। ଗରିବ ଶ୍ରେଣୀର କେଦାରେଶ୍ବର ନିଜର ଜୀବିକା ନିର୍ବାହ ପାଇଁ ସାଇକଲରେ ବୁଲି ବୁଲି ପ୍ରଥମେ ଶାଢ଼ି ବିକ୍ରି କରୁଥିଲେ। ବ୍ୟବସାୟରେ ସେ ସଫଳ ହୋଇ ନ ଥିଲେ।

ଶେଷରେ ପରିସ୍ଥିତି ତାଙ୍କୁ ଭିକ୍ଷା ଥାଳ ଧରିବାକୁ ବାଧ୍ୟ କରିଥିଲା। ଗଳିକନ୍ଦି ବୁଲି ଭିକ ମାଗୁଥିଲେ।
ହାତୀ ସୁନା କଳସ ଢାଳିବା ଇତିମଧ୍ୟରେ ଅଦାଲତଙ୍କ ନିଯୁକ୍ତି ନିର୍ଦେଶ ଆସିବା ପରେ ୧୯୯୮ ତାଲିକାରେ ଯେଉଁମାନେ ଉତ୍ତୀର୍ଣ୍ଣ ହୋଇଥିଲେ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି ଆନ୍ଧ୍ର ସରକାର। ତେବେ ଉକ୍ତ ତାଲିକାରେ କେଦାରେଶ୍ବରଙ୍କ ନାମ ଥିଲେ ମଧ୍ୟ ସେ ଜାଣିପାରି ନ ଥିଲେ। ଗ୍ରାମର କେତେକ ଯୁବକ ଏ ବିଷୟରେ ତାଙ୍କୁ ଅବଗତ କରାଇଥିଲେ। ଖବର ପାଇ ସେ ଖୁସିରେ କାନ୍ଦି ପକାଇଥିଲେ। ୨୪ବର୍ଷର ସଂଘର୍ଷ ପରେ ଏଭଳି ନିଯୁକ୍ତିକୁ ସେ ସହଜରେ ବିଶ୍ବାସ କରିପାରି ନ ଥିଲେ। ସେ ଚାକିରି ପାଇଥିଲେ ମଧ୍ୟ ଅବସର ପାଇଁ ଆଉ ମାତ୍ର ୬ ବର୍ଷ ହିଁ ରହିଛି। ଫଳରେ ଏ କ୍ଷେତ୍ରରେ ସେ ବରିଷ୍ଠତା ହରାଇଛନ୍ତି। ତାଲିକାରେ ତାଙ୍କ ନାମ ପ୍ରକାଶ ପାଇବା ପରେ ଗ୍ରାମର କିଛି ଯୁବକ ତାଙ୍କୁ ସମ୍ମାନିତ କରିବା ସହ ଚାନ୍ଦାକରି ଏକ ସ୍ମାର୍ଟ ଫୋନ ଓ ସାର୍ଟପ୍ୟାଣ୍ଟ ପ୍ରଦାନ କରିଛନ୍ତି। ଗୋଟିଏ ଦିନରେ ଭିକ୍ଷୁକ ଜଣକ ଶିକ୍ଷକ ପାଲଟିବା ଘଟଣା ଆଶ୍ଚର୍ଯ୍ୟଜନକ ହୋଇଥିଲେ ହେଁ ନ୍ୟାୟିକ ବ୍ୟବସ୍ଥାର ସତ୍ୟତାକୁ ପ୍ରମାଣିତ କରୁଛି। ତାଙ୍କର ନିଯୁକ୍ତି ଭିଡିଓ ମୋବାଇଲରୁ ମୋବାଇଲ ଘୂରି ବୁଲୁଥିବାବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Comments are closed.