ଚାଷୀଙ୍କ ବେକକୁ ଝାମ୍ପିନେଲା ମାଈ ଭାଲୁ !

ନୀଳଗିରି : ବାଲେଶ୍ୱର ଜିଲା, ନୀଳଗିରି ଥାନା ମିତ୍ରପୁର ନିକଟ ତୈଲାସାହି ଅଞ୍ଚଳରେ ଜଣେ ଚାଷୀ ଏକ ମାଈଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଏହି ଗାଁର ଶ୍ୟାମସୁନ୍ଦର ସିଂହ (୫୦) ରାତିରେ ନିକଟସ୍ଥ ବିଲ ପାଖକୁ ଶୌଚ ପାଇଁ ଯାଇଥିବା ସମୟରେ ଗୋଟିଏ ମାଈଭାଲୁ ତା’ର ଦୁଇଟି ଛୁଆ ସହ ଛିଡ଼ା ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦେଖି ମାଈଭାଲୁଟି ତାଙ୍କ ବେକକୁ ଝାମ୍ପି ନେଇଥିଲା। ହିଂସ୍ର ଭାଲୁଟି ବେକକୁ କାମୁଡ଼ି ରକ୍ତାକ୍ତ କରି ଦେବା ସହ ଦେହର ବିଭିନ୍ନ ସ୍ଥାନରେ ଆମ୍ପୁଡ଼ି ପକାଇଥିଲା। ଚାଷୀଜଣକ ରକ୍ତ ଜୁଡୁବୁଡୁ ହୋଇ ଚିତ୍କାର କରିବା ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବାରୁ ଛୁଆକୁ ନେଇ ମାଈଭାଲୁଟି ନିକଟସ୍ଥ ଜଙ୍ଗଲକୁ ଦୌଡ଼ିଥିଲା। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ନମିଳିବାରୁ ସ୍ଥାନୀୟଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହି ଅଞ୍ଚଳଟି ଭାଲୁ ଉପଦ୍ରବ ଅଞ୍ଚଳ ହୋଇଥିବା ଯୋଗୁ ଏଠାରେ ମୁହଁଅନ୍ଧାର ହେଲେ ଜଙ୍ଗଲରୁ ଭାଲୁମାନେ ଓହ୍ଲାଇ ଆସି ଜନବସତିରେ ଉପଦ୍ରବ ଘଟାଉଥିବା କୁହାଯାଉଛି।

Comments are closed.