ବିଏଡ୍‌ ଛାତ୍ରଛାତ୍ରୀ ଓଏସଏସଟିଇଟିରେ ଭାଗ ନେଇପାରିବେ

ଆନ୍ଦୋଳନ ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ବଦଳିଲା

ଭୁବନେଶ୍ୱର : ଓଏସଏସଟିଇଟି(ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା), ଚୁକ୍ତିଭିତ୍ତିକ ଶିକ୍ଷକ ଓ ବିଏଡ୍‌ ନିୟମାବଳୀରେ ସମନ୍ବୟ ରହୁ ନ ଥିବା ନେଇ ଆନ୍ଦୋଳନ ହେବା ପରେ ନିଷ୍ପତ୍ତି ବଦଳିଛି। ସମନ୍ବୟ ନ ରହିବାରୁ ଓଡ଼ିଶାର ବହୁ ବିଏଡ୍‌ ଛାତ୍ରଛାତ୍ରୀ ଓଏସଏସଟିଇଟିରେ ଭାଗ ନେବାରୁ ବଞ୍ଚିତ ହେଉଥିଲେ। ଗତକାଲି ଏହି ପ୍ରସଙ୍ଗକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବାସଭବନ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣ ଦେବା ପରେ ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବ ପ୍ରକାଶିତ ନିୟମାବଳୀରେ ସଂଶୋଧନ କରାଯାଇଛି। ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ନାତକରେ ୨୦୦ ଅଙ୍କ ବାଧ୍ୟତାମୂଳକ ବ୍ୟବସ୍ଥା ହଟାଇ ଦିଆଯାଇଛି। ଏଥିସହ ସମସ୍ତ ବିଏଡ୍‌ ତାଲିମଧାରୀଙ୍କୁ ଓଏସଏସଟିଇଟିରେ ଭାଗ ନେବାକୁ ସୁଯୋଗ ମିଳିଛି। ଓଏସ୍‌ଏସ୍‌ଟିଇଟି ଆବେଦନ ସମୟ ସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି। ଜୁଲାଇ ୧୩ ଆବେଦନର ଶେଷ ତାରିଖ ଥିବାବେଳେ ଏହାକୁ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Comments are closed.