ବିଧାନସଭା ବିଏଡ଼୍ ନାମଲେଖା ପ୍ରସଙ୍ଗକୁ ନେଇ ବର୍ଷିଲେ ଜୟ ନାରାୟଣ

ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ବିଏଡ଼ ନାମଲେଖାକୁ  ନେଇ ଜାରି ରହିଥିବା ଅଚଳାବସ୍ଥା ପ୍ରସଙ୍ଗକୁ ନେଇ ଆଜି ବିଧାନସଭାର ଶୂନ୍ୟକାଳରେ ପ୍ରଶ୍ନ ଉଠାଇ ଏହାର ଶୀଘ୍ର ସମାଧାନ ଦାବି କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ରାଜ୍ୟରେ ବିଏଡ଼୍ ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ନିମ୍ନଗାମୀ ହୋଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟରେ ବିଇଡ଼ି ଶିକ୍ଷା ଭିତ୍ତିଭୂମି ବିକାଶ କରିବାରେ ସରକାରୀ ଅବହେଳା ଯୋଗୁଁ ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ ପଡ଼ିଛି ।  ରାଜ୍ୟ ସରକାରଙ୍କର ଉଦାସୀନତା ଓ ଅପାରଗତା ଯୋଗୁଁ ଯେ କେବଳ ବିଇଡ଼ି ପଢିବାକୁ ଚାହୁଁ ଥୁବା ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ନୁହେଁ ରାଜ୍ୟର ଆଗାମୀ ଦିନର ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଏହାର କୁପ୍ରଭାବ ପଡିବାକୁ ଯାଉଛି । ଆବଶ୍ୟକୀୟ ଶିକ୍ଷକ, କର୍ମଚାରୀ ଓ ଭିତ୍ତିଭୂମି ର ଅଭାବ କାରଣରୁ ଏନସିଟିଇ ବିଇଡ଼ି ନାମ ଲେଖା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିରୁ ସମ୍ବଲପୁର ଠାରେ ରହିଥିବା ରାଜ୍ୟ ର ସର୍ବପୁରାତନ ଶିକ୍ଷା ଅନୁଷ୍ଠାନ ଡ଼.ପର୍ଶୁରାମ ମିଶ୍ର ଅଗ୍ରଗମୀ ଶିକ୍ଷା ପ୍ରତିଷ୍ଠାନ ମଧ୍ୟ ବାଦ ପଡ଼ିନାହିଁ । ୧୯୬୨ରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନ କେବଳ ରାଜ୍ୟର ନୁହେଁ ସର୍ବଭାରତୀୟ ସ୍ତରରେ ମଧ୍ୟ ଏକ ପୁରାତନ ଓ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇଥିଲା । ସମଗ୍ର ରାଜ୍ୟର ଗରିବ ମେଧାବୀ ଛାତ୍ର ଛାତ୍ରୀ ସରକାରୀ ବ୍ୟବସ୍ଥାରେ ଏହି ଶିକ୍ଷାନୁଷ୍ଠାନ ରେ ଶିକ୍ଷା ଲାଭ କରିବାର ସୁଯୋଗ ପାଉଥୁଲେ । କିନ୍ତୁ ରାଜ୍ୟ ସରକାରଙ୍କର ଅପାରଗତା ଓ ନିଷ୍କ୍ରିୟତା ଯୋଗୁଁ ବର୍ତ୍ତମାନ ଏହି ଶିକ୍ଷାନୁଷ୍ଠାନ ବନ୍ଦ ହେବାକୁ ଯାଉଛି ।

ଏହି ଶିକ୍ଷାନୁଷ୍ଠାନରେ ବିଇଡ଼ି (୧୦୦ସିଟ) ଏମ୍ଇଡ଼ି (୫୦ସିଟ) ସଙ୍ଗେ ସଙ୍ଗେ ଏମଫିଲ୍ ଏବଂ ପିଏଚଡ଼ି ଶିକ୍ଷାଦାନ ର ବ୍ୟବସ୍ଥା ରହିଛି । ଏହା ସହିତ ଏହି ଶିକ୍ଷାନୁଷ୍ଠାନ ରେ ସର୍ବମୋଟ ୨୭ ଜଣ ଶିକ୍ଷକ (୨୬ ଜଣ ଶିକ୍ଷକ + ୧ ଅଧ୍ୟକ୍ଷ) ରହିବା ପରିବର୍ତ୍ତେ ବର୍ତ୍ତମାନ  ମାତ୍ର ୯ ଜଣ ଶିକ୍ଷକ (୫ ଜଣ ନିୟମିତ + ୩ ଅତିଥି + ୧ ଜଣ ଠିକା) କାର୍ଯ୍ୟ କରୁଛନ୍ତି । ଏହି ଗୌରବମୟ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶ୍ରେଣୀ କକ୍ଷ, ଛାତ୍ରାବାସ, ଛାତ୍ରୀବାସ, ଖେଳ ପଡିଆ ରହିଥିବା ସତ୍ତ୍ୱେ ଶିକ୍ଷକ ଅଭାବ ଯୋଗୁଁ ନୂତନ ଛାତ୍ର ଛାତ୍ରୀ ଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯିବା ଯେତିକି ଦୁର୍ଭାଗ୍ୟପୂର୍ଣ୍ଣ ଓ ନିନ୍ଦନୀୟ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ରାଜ୍ୟ ସରକାରଙ୍କର ଅପାରଗତା, ନିଷ୍କ୍ରିୟତା, ସ୍ଥାଣୁତା ପାଇଁ ଡ଼. ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ ସଙ୍ଗେ ସଙ୍ଗେ ସମଗ୍ର ପଶ୍ଚିମ ଓଡିଶା ର ଗୋଟିଏ ମଧ୍ୟ DIET ରେ ଚଳିତ ବର୍ଷ ନୂତନ ଛାତ୍ର ଛାତ୍ରୀ ପ୍ରବେଶ କରିନପାରିବା ରାଜ୍ୟ ସରକାରଙ୍କ ପଶ୍ଚିମ ଓଡିଶା ପ୍ରତି ଜାରି ରହିଥିବା ବୈମାତୃକ ମନୋଭାବର ଚରମ ନିଦର୍ଶନ  । ରାଜ୍ୟ ସରକାରଙ୍କର ଏଭଳି ଭୁଲ ପାଇଁ ସମଗ୍ର ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିବା ସଙ୍ଗେ ସଙ୍ଗେ ଛାତ୍ର ଛାତ୍ରୀ ଓ ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ଭବିଷ୍ୟତ ଦିଗହରା ହେବ ବୋଲି ରେଙ୍ଗାଲି ବିଧାୟକ ନାଉରି ନାଏକ ଓ ବିଜେପି କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ରାଜ୍ୟ ସରକାରଙ୍କୁ ଦୋଷାରୋପ କରିଛନ୍ତି।

Comments are closed.