ଉତ୍ତମ ଆଚରଣ ଥିବା ବ୍ୟକ୍ତି ସବୁଠି ପୂଜା ପାଇ ଥାଆନ୍ତି

ଭଗବାନ ଶ୍ରୀରାମ ୧୪ବର୍ଷ ବନବାସ ଯାଇ ଚିତ୍ରକୂଟ ପର୍ବତରେ ବାସ କରିଥିଲେ। ​‌ଥରେ ଭଗବାନ ରାମ ଓ ମାତା ସୀତା ତାଙ୍କ କୁଡିଆ ବାହାରେ ବସିଥିଲେ। ଲକ୍ଷ୍ମଣ ତାଙ୍କ ପାଦ ନିକଟରେ ବସିଥିଲେ। ସେତେବେଳେ ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ ଯେ, ଲକ୍ଷ୍ମଣ ମୋର ସୀତାଙ୍କ ସହ ଝଗଡା ହୋଇଯାଇଛି ତୁମେ ଏହାର ନ୍ୟାୟ କର। ଏହା ଶୁଣି କିଛି ସମୟ ପରେ ଲକ୍ଷ୍ମଣ ଶ୍ରୀରାମଙ୍କ କଥା ମାନିଲେ।

ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ ଯେ, ମୋ ଚରଣ ସୁନ୍ଦର ଅଟେ କିନ୍ତୁ ସୀତା କହୁଛନ୍ତି ଯେ ତାଙ୍କ ଚରଣ ସୁନ୍ଦର। ଏବେ ତୁମେ କୁହ ଲକ୍ଷ୍ମଣ କାହା ଚରଣ ସୁନ୍ଦର ଅଟେ। ଏହା ଶୁଣି ଲକ୍ଷ୍ମଣ କହିଲେ ଯେ, ଆପଣ ମୋତେ ଧର୍ମ ସଙ୍କଟରେ ପକାନ୍ତୁ ନାହିଁ। ଏହାପରେ ଶ୍ରୀରାମ କହିଲେ ଯେ, ତୁମେ ବୈରାଗୀ ଅଟ ତେଣୁ ଏହାର ଉତ୍ତର ନିର୍ଭୟର ସହ କୁହ। ତାପରେ ଲକ୍ଷ୍ମଣ ରାମଙ୍କ ଚରଣ ଦେଖି କହିଲେ ଯେ, ମାତା ସୀତାଙ୍କ ଚରଣ ଅଧିକ ସୁନ୍ଦର। ମାତା ସୀତା ଏକଥା ଶୁଣି ଖୁସୀ ହୋଇଗଲେ। ଏହାପରେ ଲକ୍ଷ୍ମଣ ପୁନଶ୍ଚ କହିଲେ ମାତା ଆପଣ ଖୁସୀ ହୁଅନ୍ତୁ ନାହିଁ କାରଣ ଶ୍ରୀରାମଙ୍କ ଚରଣ ଅଛି ବୋଲି ଆପଣଙ୍କ ଚରଣ ସୁନ୍ଦର ଅଟେ। ଲକ୍ଷ୍ମଣଙ୍କ ଠାରୁ ଏପରି କଥା ଶୁଣି ଶ୍ରୀରାମ ପ୍ରସନ୍ନ ହୋଇଗଲେ। ତାପରେ ପୁନଶ୍ଚ ଲକ୍ଷ୍ମଣ କହିଲେ ଯେ, ଆପଣ ଦୁଇ ଜଣ ଖୁସୀ ହୁଅନ୍ତୁ ନାହିଁ କାରଣ ଆପଣଙ୍କ ଚରଣ ବ୍ୟତୀତ ଅନ୍ୟ ଏକ ଚରଣ ରହିଛି ଯାହା ଅଧିକ ସୁନ୍ଦର। ଅନ୍ୟ ଚରଣ ହେଉଛି ଆଚରଣ। ତାହାର କୌଣସି ମୂଲ୍ୟ ନାହିଁ। ଆଚରଣ ଉତ୍ତମ ହେବା ଦ୍ବାରା ମନ ଓ ହୃହୟ ସୁନ୍ଦର ରହିଥାଏ।

ତେଣୁ ଯେଉଁମାନଙ୍କ ଆଚରଣ ଉତ୍ତମ ରହିଥାଏ ସେମାନଙ୍କର ସମସ୍ତ କର୍ମ ଓ ବ୍ୟବହାରକୁ ସମସ୍ତେ ପୂଜା କରିଥାଆନ୍ତି। ଲକ୍ଷ୍ମଣ କହିଲେ ଯେ​, ମନରେ ସମସ୍ତଙ୍କ ପ୍ରତି ପ୍ରେମ, ତ୍ୟାଗ, ଧର୍ମ ଓ କ୍ଷମା କରିବାର ଭାବନା ଥିଲେ ସେହି ସୁନ୍ଦରତା ଆଗରେ ଅନ୍ୟ ସବୁ ଫିକା ଲାଗିଥାଏ।

 

Comments are closed.