ଭାଲୁ ଆକ୍ରମଣରେ ମହିଳା ଆହତ

ଅନୁଗୁଳ : ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ଗ୍ରାମର ଜଣେ ମହିଳା ଗୁରୁବାର ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗାଁ ନିକଟସ୍ଥ ଖଜୁରୀ ଖମଣ ଜଙ୍ଗଲକୁ ଲାଗିଥିବା ପାହାଡ଼କୁ ପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ପାତ୍ରପଡ଼ା ଗ୍ରାମ ବରସାହିର ଅଞ୍ଜଳୀ ବେହେରା, ବାସନ୍ତୀ ବେହେରା, କୁମାରୀ ବେହରା ଓ କାହ୍ନୁ ବେହରା ଗ୍ରାମ ପାହାଡ଼ ଉପରେ ପତ୍ର ତୋଳୁଥିବା ବେଳେ ଏକ ପଥରଖୋଳରୁ ୩ଟି ଭାଲୁ ବାହାରି ସେମାନଙ୍କୁ ତଡ଼ି ଆଣିବା ସହିତ ଅଞ୍ଜଳୀଙ୍କୁ ଆକ୍ରମଣ କରିଥିଲେ। ଏହାସହିତ ଅନ୍ୟ ଦୁଇଜଣ ମହିଳା ଭୟରେ ଦୌଡ଼ି ପଳାଇ ଯାଇଥିଲେ। ଅଞ୍ଜଳୀ ଚିତ୍କାର କରିବାରୁ ପାଖରେ ପତ୍ର ତୋଳୁଥିବା କାହ୍ନୁ ବେହେରା ଚିତ୍କାର ଶୁଣି ଦୌଡ଼ି ଆସିବା ସହିତ ଏକ ବାଡ଼ି ସହାଯ୍ୟରେ ଭାଲୁକୁ ଘଉଡ଼ାଇ ଥିଲେ। ଫଳରେ ଭାଲୁମାନେ ଅଞ୍ଜଳୀଙ୍କୁ ଛାଡ଼ି ଜଙ୍ଗଲ ଆଡ଼କୁ ପଳାଇଥିଲେ। ଅଞ୍ଜଳୀଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଭାଲୁ ଆକ୍ରମଣରେ ଅଞ୍ଜଳୀଙ୍କ ଡାହାଣ ଆଣ୍ଠୁରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି।

Comments are closed.