କରୋନା ତୃତୀୟ ଲହର ପାଇଁ ପ୍ରସ୍ତୁତ ରୁହ

କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ

ନୂଆଦିଲ୍ଲୀ : ଦେଶରେ କରୋନାର ତୃତୀୟ ଲହର ଆସିବା ଅବଶ୍ୟମ୍ଭାବୀ ନେଇ ବିଶେଷଜ୍ଞମାନେ ସୂଚନା ଦେବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ପ୍ରସ୍ତୁତି କରିବାକୁ ନିର୍ଦେଶ ଦେଇଛନ୍ତି। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ଏମଆର ଶାହାଙ୍କୁ ନେଇ ଗଠିତ ପୀଠ ଏହି ନିର୍ଦେଶ ଦେଇଛନ୍ତି। ପୀଠ କହିଛନ୍ତି ଯେ କରୋନାର ତୃତୀୟ ଲହରକୁ ମୁକାବିଲା କରିବା ଲାଗି ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହିତ ଅଧିକ ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତି ଓ ଟିକାକରଣ ଉପରେ ଗୁରୁତ୍ବ ଦେବା ଦରକାର। ଡାକ୍ତରଙ୍କ ସେବାକୁ ଯଥା ସମ୍ଭବ ଉପଯୋଗ କରିବା ଲାଗି ସରକାର ବିଚାର କରିବା ଦରକାର। ଏଥିପାଇଁ ଏମବିବିଏସ୍‌ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଓ ଯେଉଁମାନେ ସ୍ନାତକତ୍ତୋର ଡିଗ୍ରୀ ପାଇଁ ଅପେକ୍ଷା କରିଛନ୍ତି ସେମାନଙ୍କୁ କରୋନା ଚିକିତ୍ସାରେ ନିୟୋଜନ କରାଯିବା ଦରକାର। ଦେଶରେ ଏବେ ୧.୫ଲକ୍ଷ ଛାତ୍ରଛାତ୍ରୀ ଏମବିବିଏସ୍‌ ଉତ୍ତୀର୍ଣ୍ଣ ହୋଇ ନିଟ୍‌-ପିଜି ପରୀକ୍ଷା ପାଇଁ ଅପେକ୍ଷା କରି ରହିଛନ୍ତି। ସେହିପରି ୨.୫ଲକ୍ଷ ନର୍ସ ଘରେ ବସି ରହିଛନ୍ତି। ତେଣୁ ଏହିସବୁ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କରୋନା ସେବା କାର୍ଯ୍ୟରେ ନିଯୁକ୍ତି ଦିଆଯିବା ଦରକାର। ତୃତୀୟ ଲହରକୁ ମୁକାବିଲା ପାଇଁ ଦେଶବ୍ୟାପୀ ଅମ୍ଳଜାନ ଯୋଗାଣର ବିସ୍ତୃତ ଯୋଜାନା ହେବା ଦରକାର।
ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଯେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଯୁବବର୍ଗଙ୍କୁ ଶୀଘ୍ର ଟିକାକରଣ କରାଯିବା ଦରକାର। ଏହି ବର୍ଗର ଲୋକଙ୍କ ଯୋଗୁଁ ସମଗ୍ର ପରିବାର ସଂକ୍ରମିତ ହେଉଛନ୍ତି। ତୃତୀୟ ଲହରରେ କରୋନା ଭୂତାଣୁ ଶିଶୁଙ୍କୁ ସଂକ୍ରମିତ କରିବା ନେଇ ଆଶଙ୍କା ପ୍ରକାଶ କରାଯାଇଛି। ତେଣୁ ଶିଶୁଙ୍କୁ ସଂକ୍ରମଣରୁ ରୋକିବା ପାଇଁ କି ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ପୀଠ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କାରଣ ଜଣେ ଶିଶୁ ଅସୁସ୍ଥ ହେଲେ ତା’ ସହିତ ତାର ପିତାମାତା ଡାକ୍ତରଖାନା ଯାଇଥାନ୍ତି। ଫଳରେ ସମସ୍ତେ ସଂକ୍ରମିତ ହୋଇଥାନ୍ତି। ତେଣୁ ଶିଶୁଙ୍କୁ ସଂକ୍ରମଣରୁ ଦୂରେଇ ରଖିବା ଲାଗି ବୈଜ୍ଞାନିକ ଉପାୟ ଓ ବ୍ୟବସ୍ଥା କରାଯିବା ଦରକାର। ଦିଲ୍ଲୀକୁ ୭୦୦ ମେଟ୍ରିକ ଟନ୍‌ ଡାକ୍ତରୀ ଅମ୍ଳଜାନ ଯୋଗାଇ ଦେବା ସମ୍ପର୍କିତ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ଏହି ନିର୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀ ପାଇଁ ଆବଶ୍ୟକ ୭୦୦ ଟନ୍‌ ଡାକ୍ତରୀ ଅମ୍ଳଜାନ ଯୋଗାଇ ଦେବାକୁ କେନ୍ଦ୍ର ସରକାର ବାଧ୍ୟ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଗୁରୁବାର କହିଛନ୍ତି। ଦିଲ୍ଲୀ ପାଇଁ ଏତେ ପରିମାଣର ଅମ୍ଳଜାନ ଆବଶ୍ୟକ ନଥିବା ଓ ଦିଲ୍ଲୀର ଡାକ୍ତରଖାନାଗୁଡିକରେ ଏତେ ଅମ୍ଳଜାନ ମହଜୁଦର କ୍ଷମତା ନଥିବା କେନ୍ଦ୍ର ସରକାର କହିଥିବାବେଳେ ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ ପରିମାଣର ଅମ୍ଳଜାନ ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି। ଅନ୍ୟଥା କେନ୍ଦ୍ର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲୁ କରାଯିବ। ମାମଲାର ଶୁଣାଣି ବେଳେ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ କେନ୍ଦ୍ର ସରକାର ଉତ୍ତରପ୍ରଦେଶ ଓ ହରିୟାଣା ଭଳି ବିଜେପି ଶାସିତ ରାଜ୍ୟକୁ ଅଗ୍ରାଧିକାର ଭିତ୍ତିରେ ଅମ୍ଳଜାନ ଯୋଗାଇ ଦେଉଥିବାବେଳେ ଦିଲ୍ଲୀ ପ୍ରତି ଉପେକ୍ଷା କରୁଛନ୍ତି। ଦିଲ୍ଲୀକୁ ଯେତିକି ଅମ୍ଳଜାନ ଆବଶ୍ୟକ ତାର ଅଧା ଯୋଗାଇ ଦିଆଯାଉଛି। ଦିଲ୍ଲୀ ସରକାରଙ୍କ ଏପରି ଯୁକ୍ତି ପରେ ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଦେଶରେ ଅମ୍ଳଜାନ ଆବଣ୍ଟନର ସବିଶେଷ ଯାଞ୍ଚ (ଅଡିଟ୍‌) କରାଯିବା ଦରକାର। କେନ୍ଦ୍ର ସରକାର ବିନା ପକ୍ଷପାତିତାରେ ଅମ୍ଳଜାନ ବଣ୍ଟନ କରୁଛନ୍ତି କି ନାହିଁ ତା’ର ଅନୁଧ୍ୟାନ କରାଯାଉ। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ଅମ୍ଳଜାନ ବଣ୍ଟନର ଯାଞ୍ଚ ନେଇ କୌଣସି ଆପତ୍ତି ନାହିଁ। ଅମ୍ଳଜାନ ବଣ୍ଟନରେ କୌଣସି ରାଜନୈତିକ ପକ୍ଷପାତିତା କରାଯାଉ ନାହିଁ; ବରଂ ଏଥିରେ ବ୍ୟବସ୍ଥାଗତ ବିଫଳତା ରହିଛି।

Comments
Loading...