ଅବସରପ୍ରାପ୍ତ ଯବାନ ବିଦେଶୀ ଘୋଷିତ

ନୂଆଦିଲ୍ଲୀ : ନାଗରିକତ୍ବ ଯାଞ୍ଚ ବେଳେ ସ୍ବଚ୍ଛତା ଅବଲମ୍ବ ନିମନ୍ତେ ଯାଞ୍ଚ ପ୍ରକ୍ରିୟାରେ କୌଣସି ପ୍ରକାରର କାଣ୍ଟଛାଣ୍ଟ ନ କରିବାକୁ ସୁପ୍ରିମକୋର୍ଟ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନଆରସି) କୋର୍ଡିନେଟର ପ୍ରତୀକ ହାଜେଲାଙ୍କୁ ଗୁରୁବାର ନିର୍ଦେଶ ଦେଇଛନ୍ତି। ସେନାରେ ୩୦ ବର୍ଷ ଧରି କାର୍ଯ୍ୟ କରିଥିବା ଆସାମର ଜଣେ ଅବସରପ୍ରାପ୍ତ ଯବାନ ମହମ୍ମଦ ସାନାଉଲ୍ଲାଙ୍କୁ ରାଜ୍ୟ ପୁଲିସ ବିଦେଶୀ ଘୋଷଣା କରିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏନ୍‌ଆରସି ଚୂଡାନ୍ତ କରିବା ଲାଗି ଜୁଲାଇ ୩୧ ସୁଦ୍ଧା ସମୟସୀମା ଦିଆଯାଇଥିବା ବେଳେ ନିଜ କାମ ଦ୍ରୁତ ବେଗରେ ପୂରଣ କରିବା ନିମନ୍ତେ ନାଗରିକ ଯାଞ୍ଚ ପ୍ରକ୍ରିୟା କାଣ୍ଟଛାଣ୍ଟ କରାଯିବା ଉଚିତ ନୁହେଁ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ କହିଛନ୍ତି। ସାନାଉଲ୍ଲା ଭାରତୀୟ ସେନାର ଇଲେକ୍ଟ୍ରୋନିକ ଓ ମେକାନିକ ଇଞ୍ଜିନିୟର୍ସ (ଇଏମଇ)ରେ ସୁବେଦାର ଭାବେ ନିଯୁକ୍ତ ଥିଲେ। ୨୦୧୭ ଅଗଷ୍ଟରେ ସେ ଅବସର ଗ୍ରହଣ କରିଥିଲେ। ବେଆଇନ ଭାବେ ବାସ କରୁଥିବା ବିଦେଶୀ ଦର୍ଶାଇ ପୁଲିସ ତାଙ୍କୁ ଅଟକ କେନ୍ଦ୍ରରେ ରଖିଥିଲା। ଫରେନର୍ସ ଟ୍ରାଇବୁନାଲ (ଏଫଟି) ତାଙ୍କୁ ଜଣେ ବିଦେଶୀ ଘୋଷଣା କରିଥିଲା। ଜାମ୍ମୁ-କାଶ୍ମୀର ଓ ଉତ୍ତର-ପୂର୍ବର ଅନୁପ୍ରବେଶକାରୀ ପ୍ରଭାବିତ କ୍ଷେତ୍ରଗୁଡିକରେ ସେ କାର୍ଯ୍ୟ କରିଥିବା ଏଫଟି ନିକଟରେ ସନାଉଲ୍ଲା ଜେରା ବେଳେ କହିଥିଲେ। ଏଫ୍‌ଟି ୨୦୧୯ ମେ’ ୨୩ରେ ତାଙ୍କୁ କାମରୁପ(ଗ୍ରାମୀଣ)ର ଜଣେ ବିଦେଶୀ ଘୋଷଣା କରିଥିଲା। ସେ ଭାରତୀୟ ନାଗରିକ ବୋଲି ତାଙ୍କ ପରିବାର ଲୋକଙ୍କ ସରକାରୀ କାଗଜପତ୍ର ତଥା ନିଯୁକ୍ତି ସମ୍ବନ୍ଧୀୟ ଦସ୍ତାବିଜରୁ ଜଣାପଡେ। ସମ୍ପ୍ରତି ସେ ଆସାମ ପୁଲିସର ସୀମାନ୍ତ ବାହିନୀରେ ସବଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି।

Comments are closed.