ଶରୀର ପ୍ରତି ଧ୍ୟାନ ଦିଅନ୍ତୁ

– ବିଶେଷଜ୍ଞଙ୍କ ମତରେ ପ୍ରତ୍ୟହ କସରତ ଯେପରି ଯୋଗ, ପ୍ରାଣାୟମ କରି ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହୁଅନ୍ତୁ। ଲକ୍-ଡାଉନ୍ ସମୟରେ ମଧ୍ୟ ଅନ୍-ଲାଇନ୍‌‌ରେ ଜଣେ ଯୋଗ ପ୍ରଶିକ୍ଷକଙ୍କ ନିକଟରୁ ତାଲିମ ନେଇପାରିବ।
– ବିଭିନ୍ନ ପ୍ରକାର ଘରୋଇ କାମ କରି ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରିବା ଜରୁରୀ। ଅଳସୁଆ ହୋଇ ବସି ଘଣ୍ଟାଘଣ୍ଟା ଫୋନ୍‌‌ରେ ଚ୍ୟାଟିଂ କରିବା, ଭିଡିଓ ଦେଖିବା ଇତ୍ୟାଦି ଶରୀର ନିମନ୍ତେ ଭଲ ନୁହେଁ।
– ପାହାଚରେ ଯିବା ଆସିବା ନିୟମିତ କରନ୍ତୁ। ଏହା ଏକ ଉତ୍ତମ ବ୍ୟାୟାମ। ଘରୋଇ ଖାଦ୍ୟ ଖାଇବା ଉଚିତ। ବାହାର ରେସ୍ତୋରାଁ ଖାଦ୍ୟ ଆଦୌ ବରାଦ୍ କରନ୍ତୁନାହିଁ।
– ଥଣ୍ଡା, ସର୍ଦି ସହ ଶରୀରର ଆଭ୍ୟନ୍ତରୀଣ ଶକ୍ତି ବଢ଼ାଇବାକୁ ଚାହୁଁଥିଲେ, ନିୟମିତ ହଳଦୀ ଚିମୁଟାଏ ଖାଆନ୍ତୁ। ପିଲାଠାରୁ ବୟସ୍କ ସମସ୍ତେ ଏହି ହଳଦୀ ଖାଇବା ଉଚିତ। ଶୁଦ୍ଧ ହଳଦୀ ମହୌଷଧିଠାରୁ କମ୍ ନୁହେଁ।
– ଦୈନିକ ଆବଶ୍ୟକ ପରିମାଣରେ ପାଣି ପିଇବା ଉଚିତ। ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ। ଫେରିବା ପରେ ୨୦ ସେକେଣ୍ଡ ଭଲଭାବେ ହାତକୁ ଧୋଇବାର ଅଭ୍ୟାସ ରଖନ୍ତୁ।
– ହାତକୁ ବାରମ୍ବାର ମୁହଁରେ, ଆଖିରେ ଲଗାଇବାର ଅଭ୍ୟାସ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ସବୁବେଳେ ସତେଜ ଖାଦ୍ୟ ଖାଇବାର ଅଭ୍ୟାସ ରଖନ୍ତୁ।
– ପ୍ରତିଦିନ ଦ୍ବିପହର ଭୋଜନରେ ଦହି ଖାଇବା ଉଚିତ। ଏଥିରେ ଥିବା ପ୍ରୋ-ବାୟୋଟିକ୍ସ ଆମ ପାଚନ ତନ୍ତ୍ରକୁ ଶକ୍ତି ଯୋଗାଇଥାଏ। ଅଣ୍ଡାରେ ଥିବା ଭିଟାମିନ୍ ଡି ମଧ୍ୟ ସ୍ବାସ୍ଥ୍ୟ ପାଇଁ ହିତକାରୀ। ଏଥିରେ ଥିବା ପୋଷକତତ୍ତ୍ବ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ।
– ସପ୍ତାହରେ ୨-୩ଥର ପାଳଙ୍ଗ ଶାଗ ଖାଆନ୍ତୁ। ଏହା ସୁପର୍‌ ଫୁଡ୍ ଭାବେ ଜଣାଯାଉଥିବାବେଳେ ସ୍ବାସ୍ଥ୍ୟ ପାଇଁ ହିତକାରୀ।
– ଛୋଟ ପିଲାଙ୍କୁ ନିୟମିତ ଚ୍ୟବନପ୍ରାଶ ଖାଇବାକୁ ଦେବା ଉଚିତ। ଏହା ସେମାନଙ୍କ ପାଇଁ ମହୌଷଧି ପରି କାମ କରୁଥିବାର ବିଶେଷଜ୍ଞଙ୍କ ମତ। ସକାଳ ବେଳା ୧ ଗ୍ଲାସ ଖିରରେ ଚ୍ୟବନପ୍ରାଶ ମିଶାଇ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ।
– ଆମ ଭାରତୀୟ ଦେଶୀ ମସଲାର ପ୍ରଭାବ ମଧ୍ୟ ସ୍ବାସ୍ଥ୍ୟ ନିମନ୍ତେ ହିତକାରୀ। ଶୁଣ୍ଠି ଗୁଣ୍ଡ, ଗୁଜୁରାତି, ଡାଲଚିନି, ଲବଙ୍ଗ, ଜିରା ଇତ୍ୟାଦି ଖାଦ୍ୟର ସ୍ବାଦ ବଢ଼ାଇବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।