ବିଡିପିଏଲର ପାଇପ୍‍ ବିଛା କାର୍ଯ୍ୟକୁ ଗାଁ ଲୋକଙ୍କ ବିରୋଧ

୬ ଦିନ ହେଲା କାର୍ଯ୍ୟବନ୍ଦ, ବିଡିଓଙ୍କ ହସ୍ତକ୍ଷେପ ପରେ ବି ଫଳ ଶୂନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଂଚାୟତର ତିତିରିକଟାଠାରେ ଗଢିଉଠିଥିବା ବିଡିପିଏଲ ନାମକ ଏକ ସ୍ପିରିଟ କାରଖାନା ଦ୍ୱାରା ଗ୍ରାମ୍ୟ ଜଙ୍ଗଲ ଦେଇ ପାଣି ପାଇପ ବିଛା କାର୍ଯ୍ୟକୁ ଫକୀରପୁର ଗ୍ରାମବାସୀ ବିରୋଧ କରିଛନ୍ତି। ଫଳରେ ଗାଁ ଲୋକ ଏବଂ କାରାଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ପୁନର୍ବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ପ୍ରକାଶ ଯେ, ସ୍ପିରିଟ ପ୍ରସ୍ତୁତ ପାଇଁ କାରଖାନାକୁ ପ୍ରଚୁର ପରିମାଣରେ ଜଳ ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି କାରଖାନା କର୍ତ୍ତୃପକ୍ଷ ମହାନଦୀରୁ ପାଣି ଆଣିବା ପାଇଁ ଅନୁମତି ପାଇଛି। ମାତ୍ର ଫକୀରପୁର ଗ୍ରାମ୍ୟ ଜଙ୍ଗଲ ଦେଇ ପାଇପ ସଂଯୋଗକୁ ଗାଁ ଲୋକେ ମୂଳରୁ ବିରୋଧ କରିଆସୁଛନ୍ତି। ଏ ନେଇ ଗତ ୧୮ରେ ପୁର୍ନବାର କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗ୍ରାମ୍ୟ ଜଙ୍ଗଲ ଦେଇ ପାଇପ ସଂଯୋଗ କାର୍ଯ୍ୟକୁ ନେଇ ଗାଁ ଲୋକେ ବିରୋଧ କରିବାରୁ ମୁହାଁମୁହାଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ବୌଦ୍ଧ ପୁଲିସ ଏବଂ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ପହଞ୍ଚି ଲୋକଙ୍କୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ କହିବା ପରେ ବିବାଦ ଥମିଥିଲା। ଏ ସମ୍ପର୍କରେ ଗତକାଲି ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ଫକୀରପୁର ସ୍କୁଲରେ ପହଞ୍ଚି ଗାଁ ଲୋକଙ୍କ ସହିତ ବୁଝାସୁଝା କରିଥିଲେ ମଧ୍ୟ ଆଳୋଚନା ବିଫଳ ହୋଇଛି। ଫଳରେ ପାଇପ ବିଛା କାର୍ଯ୍ୟ ସେତିକିରେ ଅଟକିଥିବାବେଳେ ଘଟଣାର ୬ଦିନ ପରେ ବି କୌଣସି ନିଷ୍କର୍ସ ବାହାରି ପାରିନଥିବା ଜଣାପଡିଛି। ଏ ସମ୍ପର୍କରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କୁ ପଚାରିବାରୁ ସେ କହିଲେ ଏ ବାବଦରେ ଶୁକ୍ରବାର ଫକୀରପୁର ଗାଁ ଲୋକଙ୍କ ସହିତ କଥାବାର୍ତା ପାଇଁ ଯାଇଥିଲୁ। ବହୁ ସମୟ ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରିନାହିଁ। ଓଲଟି ତାଙ୍କୁ ଲୋକଙ୍କ ଆକ୍ରୋଶର ଶୀକାର ହେବାକୁ ପଡିଛି ବୋଲି କହିଥିଲେ।

Comments are closed.