ବିଡିଏର କୋଠା ନକ୍ସା ଅନୁମତି : ଅନ୍‌ଲାଇନ୍‌ ବଢ଼ାଉଛି ଅଡୁଆ

ଭୁବନେଶ୍ବର : ଆଉ ବିଡିଏ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି। ଅଫିସ୍‌ରେ ଆଉ ଲମ୍ବା ଲାଇନ୍‌ ଲାଗିବନି। ଲୋକେ ଘରେ ବସି ନିଜର କାମ କରିପାରିବେ। ଆବେଦନର ସାତଦିନ ଭିତ‌ରେ ଅନୁମତି ମିଳିବ। ଏଭଳି ପ୍ରତିଶ୍ରୁତି ଦେଇ ବିଡିଏରେ ଅନ୍‌ଲାଇନ୍‌ରେ ସବୁ କାମ ନିମନ୍ତେ ବ୍ୟବସ୍ଥା ହେଲା। କୋଠା ସମ୍ପର୍କିତ ଅନୁମତିପତ୍ରର ଆବେଦନ ଏବଂ ମଞ୍ଜୁରି ଯାଏ ସମସ୍ତ କାମ ଅନ୍‌ଲାଇନ୍‌ରେ କରାଗଲା। ହେଲେ ଏହି ବ୍ୟବସ୍ଥାରେ ଆରମ୍ଭରୁ ତ୍ରୁଟି ଦେଖାଦେଇଥିବା ବେଳେ ଏବେ ଏହା ଲୋକଙ୍କୁ ସୁବିଧା ଦେବା ବଦଳରେ ଅଡୁଆରେ ପକାଉଥିବା ଅଭିଯୋଗ ହୋଇଛି।

ଘର ନିର୍ମାଣ (ବିଲ୍‌ଡିଂ ପ୍ଲାନ୍‌) ଅନୁମତି ନିମନ୍ତେ ପୂର୍ବ ମାନୁଆଲ ବ୍ୟବସ୍ଥାକୁ ବିଡିଏ ପକ୍ଷରୁ ବନ୍ଦ କରିଦିଆଗଲା। ୨୦୧୭ରୁ ଅନ୍‌ଲାଇନ୍‌ ବ୍ୟବସ୍ଥା ଆରମ୍ଭ ହେଲା। ହେଲେ ଠିକା ନେଇଥିବା କମ୍ପାନୀର ସଫ୍ଟୱେର କାମ ନ କରିବାରୁ ବିଡିଏ ଏହାକୁ ସାମୟିକ ଭାବେ ସ୍ଥଗିତ ରଖିଥିଲା। ୨୦୧୮, ଜାନୁଆରୀରେ ପୁଣି ଥରେ ଅନ୍‌ଲାଇନ୍‌ ବ୍ୟବସ୍ଥା ଆରମ୍ଭ ହେଲା। କିଛିଦିନ ଯାଏ ସର୍ଭର ସମସ୍ୟାରୁ ଏହା ମଧ୍ୟ ଠିକ୍‌ ଭାବେ ଆଗକୁ ବଢ଼ି ପାରି ନ ଥିଲା। ଏବେ ଅନ୍‌ଲାଇନ୍‌ ବ୍ୟବସ୍ଥା ଚାଲିଛି, କିନ୍ତୁ ବିଡିଏ ଅଫିସର ବିଭିନ୍ନ ଆଳ ଦେଖାଇ ଅନୁମତି ଦେବାରେ ଅହେତୁକ ବିଳମ୍ବ କରୁଛନ୍ତି। ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ଆରମ୍ଭରୁ ଚଳିତ ବର୍ଷ ଅକ୍ଟୋବର ଯାଏ ସେତେଟା ସଫଳ ମିଳି ନ ଥିବାବେଳେ ଏବେ ଆଉ କୌଣସି ଆବେଦନକୁ ଅନୁମତି ମିଳୁ ନାହିଁ ବୋଲି ଅନେକ ଆବେଦନକାରୀ ଅଭିଯୋଗ କରିଛନ୍ତି।
ମାନୁଆଲ୍‌ରେ କୋଠା ନିର୍ମାଣ ଅନୁମତି ପାଇଁ ପ୍ରତିବର୍ଷ ପ୍ରାୟ ୩ ହଜାର ଆବେଦନ ବିଡିଏକୁ ଆସେ। ଏଥିରୁ ୯୦ ପ୍ରତିଶତରୁ ଅଧିକ ଆବେଦନକୁ ଅନୁମତି ମିଳୁଥିବା‌େ‌ବଳେ ବାକି ୧୦ ପ୍ରତିଶତ ଆବେଦନର ଆବଶ୍ୟକ ଦସ୍ତାବିଜ୍‌ ଦାଖଲ ପରେ ଅନୁମତି ଦିଆଯାଉଥିଲା ବୋଲି ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ୨୦୧୮ରୁ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ପ୍ରାୟ ୫୦ ପ୍ରତିଶତ ଆବେଦନକୁ ଅନୁମତି ମିଳିଥିବା ଜଣାପଡ଼ିଛି।

୨୦୧୮ରେ ୨୯୫୩ ଆବେଦନ ଆସିଥିଲା। ଏଥିରୁ ୧୭୨୫କୁ ଅନୁମତି ମିଳିଥିଲା। ସେହିପରି ଲେ’ ଆଉଟ୍‌ ପ୍ଲାନ୍‌ ନିମନ୍ତେ ୭୪ ଆବେଦନରୁ ୩୨ଟିକୁ ଅନୁମତି ମିଳିଥିଲା। ୨୦୧୯ରେ କୋଠା ନିର୍ମାଣ ପାଇଁ ୫୬୦ଟି ଆବେଦନରୁ ୩୮୧ଟିକୁ ମଞ୍ଜୁରି ଦିଆଯାଇଥିଲା। ତେବେ ଲେ’ ଆଉଟ୍‌ ପ୍ଲାନ୍‌ ନିମନ୍ତେ ୭୫ରୁ ୨୫ଟି ଅନୁମତି ପାଇଥିଲା। ହେଲେ ୨୦୨୦, ଅକ୍ଟୋବର ସୁଦ୍ଧା ୧୮୮ ଲୋକ କୋଠା ନିର୍ମାଣ ପାଇଁ ଆବେଦନ କରିଥିବାବେଳେ ୧୭ଟିକୁ ଅନୁମତି ଦିଆଯାଇଥିବା ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଲେ’ ଆଉଟ୍‌ ପ୍ଲାନ୍‌‌ ନିମନ୍ତେ ୩୦ଟି ଆବେଦନରୁ ମାତ୍ର ଗୋଟିଏକୁ ଅନୁମତି ମିଳିଛି। ବର୍ତ୍ତମାନ ୧୫୦୦ରୁ ଊର୍ଦ୍ଧ୍ବ ଆବେଦନ ଆସିଥିବା‌େ‌ବଳେ ସେ ସମ୍ପର୍କରେ କୌଣସି ବିଚାର କରାଯାଇ ନ ଥିବା ଜଣାପଡ଼ିଛି।

ସେହିପରି ୨୦୨୦ରେ ଦଖଲ ପ୍ରମାଣପତ୍ର ନିମନ୍ତେ ଆସିଥିବା ୧୨ଟି ଆବେଦନରୁ ମାତ୍ର ଗୋଟିଏକୁ ଅନୁମତି ମିଳିଥିବାବେଳେ ସର୍ବକ୍ଷମା ଯୋଜନାରେ ୯୫୬୪ଟି ଆବେଦନ ମଧ୍ୟରୁ ମାତ୍ର ୧୪୨୮ଟିକୁ ମଞ୍ଜୁରି ମିଳିଛି। ବିଡିଏ ପ୍ଲାନିଂ ସେକ୍ସନ ପକ୍ଷରୁ ସୂଚନା ଦିଆଯାଇଛି, ରିସ୍କ ନ ଥିବା ଆବେଦନଗୁଡ଼ିକୁ ପ୍ରାୟ ସାତଦିନ ଭିତରେ ଅନୁମତି ଦିଆଯାଉଛି। ଯେଉଁ ଆବେଦନଗୁଡ଼ିକରେ ଲେ’ ଆଉଟ୍‌ରେ ତ୍ରୁଟି, ଏନ୍‌ଓସି ଏବଂ ଅନ୍ୟାନ୍ୟ କାଗଜପତ୍ରରେ ସମସ୍ୟା ରହୁଛି ସେଗୁଡ଼ିକ ରଖାଯାଉଛି। ଏପରି ଆବେଦନକାରୀଙ୍କୁ ଦୁଇମାସରୁ ଊର୍ଦ୍ଧ୍ବ ଅପେକ୍ଷା କରିବାକୁ ପଡୁଛି।
ବିଡିଏ ଯୋଜନା ସଦସ୍ୟ ଗୌରୀଶଙ୍କର ଭୂୟାଁ କହିଛନ୍ତି, ଅଗ୍ରାଧିକାର ଭିତ୍ତିରେ ଅବେଦନଗୁଡ଼ିକର ବିଚାର କରାଯାଉଛି। ଚଳିତବର୍ଷର ଆବେଦନକୁ ଅନୁମତି ମିଳୁ ନ ଥିବା ଅଭିଯୋଗ ଭିତ୍ତିହୀନ। କୋଭିଡ ନିମନ୍ତେ ପୁରୁଣା ଆବେଦନଗୁଡ଼ିକ ରହିଯାଇଥିବାରୁ ମଞ୍ଜୁରି ମିଳିବାରେ ସାମାନ୍ୟ ବିଳମ୍ବ ହୋଇଥାଇପାରେ।

Comments are closed.