ଦୁର୍ଘଟଣାରେ ଆହତ ଛାତ୍ର ବିଜେଡି ସଭାପତିଙ୍କ ମୃତ୍ୟୁ, ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଅନ୍ତ୍ୟୋଷ୍ଟି କ୍ରିୟା ସମ୍ପନ୍ନ

ଗୁଣପୁର: ଗତ ରବିବାର ନଗର ଛାତ୍ର ବିଜେଡି ସଭାପତି ସନାତନ ପାଣି(୨୪) କୌଣସି ଏକ କାମରେ ବାଇକରେ ଯାଉଥିବାବେଳେ ଗୁଣପୁର ଏସବିଆଇ ମୁଖ୍ୟଶାଖା ନିକଟରେ ତାଙ୍କର ଦୁର୍ଘଟଣା ହୋଇଥିଲା। ସ୍ଥାନୀୟ ଉପଖଣ୍ଡ ମେଡିକାଲ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣାରେ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ପରିବାର ପକ୍ଷରୁ ରବିବାର ରାତିରେ ବିଶାଖାପାଟଣାର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସନାତନଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ମୃତଶରୀର ନିଜ ଘର ବେବର୍ତ୍ତାଢେପ ସାହିରେ ପହଞ୍ଚିଥିଲା। ଏହି ଖବର ପାଇ ମୃତ ସନାତନଙ୍କ ଶହ ଶହ ସମର୍ଥକ, ସାଙ୍ଗସାଥି ଓ ପରିବାରବର୍ଗ ଶେଷ ଦର୍ଶନ ନିମନ୍ତେ ଭିଡ ଜମାଇଥିଲେ। ମୃତ ସନାତନ ବିଜେଡିର ଜଣେ ଦୃଢ ଛାତ୍ର ସଂଗଠକ, ମେଳାପୀ, ପରୋପକାରୀ, ବନ୍ଧୁବତ୍ସଳ ଭାବେ ଜିଲାରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲେ। ସେ ଗତକିଛି ମାସତଳେ ବିଜେଡିର ନଗର ସଭାପତି ଦାୟିତ୍ୱ ପ୍ରଦାନ ପରେ ଅଧିକାରୁ ଅଧିକା ସକ୍ରିୟ ସଭ୍ୟ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଥିଲେ। ସ୍ୱଳ୍ପ ବୟସରେ ବହୁ ସୁନାମ ଅର୍ଜନ କରିଥିବା ଏହି ମାଟିର ସୁଯୋଗ୍ୟ ସନ୍ତାନକୁ ହରାଇ ଭାବବିହ୍ୱଳ ହୋଇପଡୁଥିଲେ ଲୋକେ। ପିଲାଠାରୁ ବୃଦ୍ଧା ଯାଏଁ ସମସ୍ତଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି। ହଜାର ହଜାର ଲୋକଙ୍କ ଉପସ୍ଥିତ ଓ ଶୋକାକୂଳ ପରିବେଶ ମଧ୍ୟରେ ସ୍ଥାନୀୟ ବଂଶଧାରା ନଦୀତଟ୍ଟରେ ମୃତ ସନାତନଙ୍କ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତାଙ୍କ ବିୟୋଗରେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ଜିଲା ବିଜେଡି ସଭାପତି ତଥା ରାଜ୍ୟ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ପରିଷଦର ଉପଦେଷ୍ଟା ସୁଧିର ଦାଶ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ରଘୁନାଥ ଗମାଙ୍ଗ, ଜିଲା ଛାତ୍ର ବିଜେଡି ସଭାପତି ବିଷ୍ଣୁ ପଣ୍ଡା(ପିଙ୍କୁ), ବିଜେଡି ଯୁବ ସଂଗଠକ ରାମଚନ୍ଦ୍ର ପଣ୍ଡା, ପୂର୍ବତନ ଏନଏସି ଅଧ୍ୟକ୍ଷ ଶିବପ୍ରସାଦ ଗୌଡ, ଓଳିଲ ସଂଘର ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ରାଜୁ ସାହୁ, ରମେଶ ଲିମା, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ପ୍ରେସ କ୍ଲବର ସଭାପତି ଦେବୀ ଚୌଧୁରୀ, ସମ୍ପାଦକ କୁନା ପଟ୍ଟନାୟକ, ମିଲି ପାଢୀ, ପ୍ରଦୀପ ପାଢୀ, ଦେବୀପ୍ରସାଦ ମିଶ୍ର, ପୂର୍ଣ୍ଣଚନ୍ଦ୍ର ଖାଡାଙ୍ଗା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତ ସନାତନ ବରିଷ୍ଠ ଆଇନଜୀବୀ ଶିବ ପାଣିଙ୍କ ପୁତ୍ର ଓ କାଉନସିଲର ମିନା ପାଣିଙ୍କ ପୁତରା।

Comments are closed.