ବିସିସିଆଇର ନୂଆ ସମ୍ବିଧାନକୁ ସୁପ୍ରିମକୋର୍ଟ ମୋହର

0

ନୂଆଦିଲ୍ଲୀ : ବିସିସିଆଇର ନୂତନ ସମ୍ବିଧାନକୁ ସୁପ୍ରିମକୋର୍ଟ ଗୁରୁବାର ଅନୁମୋଦନ କରିଛନ୍ତି। ଜଷ୍ଟିସ ଲୋଧା କମିଟିର ସୁପାରିସ ଅନୁଯାୟୀ ଏହି ସମ୍ବିଧାନ ପ୍ରସ୍ତୁତ କରାଯାଇଥିବାବେଳେ କେତେକ ପ୍ରସ୍ତାବର କାର୍ଯ୍ୟକାରିତାକୁ ନେଇ ସମସ୍ୟା ଉପୁଜିଥିବାରୁ ସୁପ୍ରିମକୋର୍ଟ ସେଥିରେ ସାମାନ୍ୟ ପରିବର୍ତ୍ତନ କରିଥିବା ପ୍ରକାଶ। ଏଗୁଡିକ ମଧ୍ୟରେ (୧) ଗୋଟିଏ ରାଜ୍ୟ ଗୋଟିଏ ଭୋଟ ଓ (୨) କ୍ରିକେଟ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରହିବାକୁ ଥିବା ସର୍ବନିମ୍ନ ସମୟ ବ୍ୟବଧାନ (କୁଲିଂ ଅଫ୍‍ ପିରିୟଡ) ପ୍ରସଙ୍ଗରେ ସୁପ୍ରିମକୋର୍ଟ କୋହଳ ମନୋଭାବ ପୋଷଣ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏ.ଏମ.ଖାନ୍‍ୱିଲକର ଓ ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ପୀଠ ନୂତନ ସମ୍ବିଧାନକୁ ଅନୁମୋଦନ କରିବା ସହ ଆଗାମୀ ଚାରି ସପ୍ତାହ ମଧ୍ୟରେ ନୂଆ ସମ୍ବିଧାନ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିବାକୁ ତାମିଲନାଡୁ ସୋସାଇଟିଜ୍‍ର ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦେଶ ଦେଇଛନ୍ତି। ରାୟ ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ନୂତନ ସମ୍ବିଧାନକୁ କାର୍ଯ୍ୟକାରୀ ନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ ବିସିସିଆଇର ସ୍ୱୀକୃତିପ୍ରାପ୍ତ ରାଜ୍ୟ ଆସୋସିଏସନଗୁଡିକୁ ନିର୍ଦେଶ ଦେଇଛନ୍ତି। ଏହାବ୍ୟତୀତ ସୁପ୍ରିମକୋର୍ଟ ପୀଠ ମୁମ୍ବଇ, ସୌରାଷ୍ଟ୍ର, ବିଦର୍ଭ ଓ ଭଦୋଦରା (ବରୋଦା) କ୍ରିକେଟ ଆସୋସିଏସନର ସ୍ଥାୟୀ ସଦସ୍ୟତାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ତେବେ କ୍ରିକେଟ କର୍ମକର୍ତ୍ତାଙ୍କ ସର୍ବୋଚ୍ଚ ବୟସସୀମା ୭୦ ବର୍ଷରେ ସୀମିତ ରହିବ ବୋଲି ଜଷ୍ଟିସ ଲୋଧା କମିଟି ଯେଉଁ ସୁପାରିସ କରିଥିଲେ, ସେହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେଇନାହାନ୍ତି।
ଜଷ୍ଟିସ ଲୋଧା କମିଟି ସୁପାରିସକୁ ଶହେ ପ୍ରତିଶତ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ବହୁପୂର୍ବରୁ ନିର୍ଦେଶ ଦେଇଥିଲେ। ତେବେ କେତେକ ପ୍ରସ୍ତାବରେ ବିସିସିଆଇ ଓ ଏହାର ଅନୁବନ୍ଧିତ ସଦସ୍ୟ ଆପତ୍ତି ଉଠାଇବା ସହ ଏଗୁଡିକୁ କାର୍ଯ୍ୟକାରୀ କରାଗଲେ ଦେଶରେ କ୍ରିକେଟ ପ୍ରଶାସନରେ ଏକପ୍ରକାର ଅବ୍ୟବସ୍ଥା ଉପୁଜିବ ବୋଲି କାରଣ ଦର୍ଶାଯାଇଥିଲା। ସୁପ୍ରିମକୋର୍ଟ ଏହାର ଗୁରୁତ୍ୱ ଉପଲବ୍ଧୀ କରି କ୍ରିକେଟ ଆସୋସିଏସନଗୁଡିକୁ ଆଉ ଏକ ସୁଯୋଗ ଦେଇଥିଲେ। ସତ୍ୟପାଠ ଜରିଆରେ ସମ୍ଭାବ୍ୟ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ସୁପ୍ରିମକୋର୍ଟ ସେମାନଙ୍କ ନିକଟରୁ ଜବାବ ଲୋଡିଥିଲେ। ମାମଲାର ଏକାଧିକ ଶୁଣାଣି ପରେ ଗୁରୁବାର ସୁପ୍ରିମକୋର୍ଟ ପୀଠ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସୁପାରିସ ଉପରେ ରାୟ ପ୍ରକାଶ କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ରାଜ୍ୟ ଗୋଟିଏ ଭୋଟ ସୁପାରିସ ଅନ୍ୟତମ। ମହାରାଷ୍ଟ୍ର ଓ ଗୁଜରାଟରେ ଏକାଧିକ କ୍ରିକେଟ ଆସୋସିଏସନ ରହିଛି। ତେଣୁ ଗୋଟିଏ ରାଜ୍ୟ-ଗୋଟିଏ ଭୋଟ ସୁପାରିସକୁ କାର୍ଯ୍ୟକାରୀ କରାଗଲେ ବିସିସିଆଇ କର୍ତ୍ତୃପକ୍ଷ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା। ମହାରାଷ୍ଟ୍ରରେ ଚାରିଟି ସଂଗଠନ ଯଥା (୧) ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ, (୨) ମୁମ୍ବଇ କ୍ରିକେଟ ଆସୋସିଏସନ, (୩) ବିଦର୍ଭ କ୍ରିକେଟ ଆସୋସିଏସନ ଓ (୪) କ୍ରିକେଟ କ୍ଲବ ଅଫ୍‍ ଇଣ୍ଡିଆ ଓ ଗୁଜରାଟରେ ତିନିଟି ଯଥା (୧) ଗୁଜରାଟ କ୍ରିକେଟ ଆସୋସିଏସନ, (୨) ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଓ (୩) ବରୋଦା କ୍ରିକେଟ ଆସୋସିଏସନ ବିସିସିଆଇର ସ୍ୱୀକୃତି ପାଇଛନ୍ତି।
କୌଣସି ରାଜ୍ୟର ମାନ୍ୟତା ପାଇନଥିବା କ୍ରିକେଟ ଆସୋସିଏସନ ଯଥା ରେଲୱେ ସ୍ପୋର୍ଟସ ପ୍ରମୋସନ ବୋର୍ଡ, ସର୍ଭିସେସ ସ୍ପୋର୍ଟସ କାଉନସିଲ ବୋର୍ଡ, ଆସୋସିଏସନ ଅଫ୍‍ ଇଣ୍ଡିଆନ ୟୁନିଭର୍ସିଟିଜ୍‍, ନ୍ୟାସନାଲ କ୍ରିକେଟ କ୍ଲବ (କଲକାତା) ବିସିସିଆଇର ପୂର୍ଣ୍ଣ ସଦସ୍ୟତା ପାଇପାରିବେ ନାହିଁ ବୋଲି ଜଷ୍ଟିସ ଲୋଧା କମିଟି ସୁପାରିସ କରିଥିଲେ। ତେବେ ସୁପ୍ରିମକୋର୍ଟ ଏଗୁଡିକ ମଧ୍ୟରୁ ରେଳବାଇ, ସର୍ଭିସେସ୍‍ ଓ ଆସୋସିଏସନ ଅଫ୍‍ ଇଣ୍ଡିଆନ ୟୁନିଭର୍ସିଟିଜ୍‍କୁ ପୂର୍ଣ୍ଣ ସଦସ୍ୟତା ପ୍ରଦାନ କରିଛନ୍ତି। ବିସିସିଆଇ ନିର୍ବାଚନରେ ଏହି ସଂଗଠନଗୁଡିକ ଭୋଟ ଦେଇପାରିବେ ବୋଲି ଜଣାପଡିଛି। ବିସିସିଆଇ ପ୍ରଶାସନରେ କୌଣସି ମନ୍ତ୍ରୀ କିମ୍ବା ପ୍ରଶାସନିକ ଅଧିକାରୀ ସାମିଲ ହୋଇପାରିବେ ନାହିଁ ବୋଲି ଲୋଧା କମିଟି ସୁପାରିସ କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ରେଳବାଇ, ସର୍ଭିସେସ୍‍ ଇତ୍ୟାଦି ସଂଗଠନରେ ପରିଚାଳନା ଦାୟିତ୍ୱ ବୁଝୁଥିବା ପ୍ରଶାସନିକ ଅଧିକାରୀଙ୍କୁ ଭୋଟଦାନର ଅଧିକାର ମିଳିପାରିଛି।
କ୍ରିକେଟ କର୍ମକର୍ତ୍ତାଙ୍କ ଅବଧିକୁ ନେଇ ଜଷ୍ଟିସ ଲୋଧା କମିଟି ଯେଉଁ କଟକଣା ସୁପାରିସ କରିଥିଲେ, ସୁପ୍ରିମକୋର୍ଟ ତାହାକୁ କୋହଳ କରିଛନ୍ତି। ସୁପାରିସ ଅନୁଯାୟୀ କୌଣସି କ୍ରିକେଟ କର୍ମକର୍ତ୍ତା ସର୍ବାଧିକ ତିନିଥର (ମୋଟ ୯ ବର୍ଷ) କାର୍ଯ୍ୟ କରିପାରିବେ। ତେବେ ଦୁଇଟି ଅବଧି ମଧ୍ୟରେ ୩ ବର୍ଷର ବ୍ୟବଧାନ (କୁଲିଂ ଅଫ୍‍ ପିରିୟଡ) ରହିବ ବୋଲି କୁହାଯାଇଥିଲା। ବର୍ତ୍ତମାନ ଜଣେ କର୍ମକତ୍ତା କ୍ରମାଗତ ଦୁଇଟି ଅବଧି (ମୋଟ ୬ ବର୍ଷ) ପରେ କୁଲିଂ ଅଫ୍‍ ପିରିୟଡ ନିୟମ ଲାଗୁ ହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଅର୍ଥାତ ଜଣେ କର୍ମକତ୍ତା ଏଣିକି କ୍ରମାଗତ ୬ ବର୍ଷ କାର୍ଯ୍ୟ କରିବାପରେ ତାଙ୍କ ପାଇଁ ୩ ବର୍ଷିଆ କୁଲିଂ ଅଫ୍‍ ପିରିୟଡ ନିୟମ ଲାଗୁ ହେବ।
୨୦୧୩ ଆଇପିଏଲରେ ମ୍ୟାଚ ଫିକ୍ସିଂ ଓ ବେଟିଂ ଅଭିଯୋଗ ଲୋକଲୋଚନକୁ ଆସିବାପରେ ଏହାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ସେତେବେଳେ ପୂର୍ବତନ ହାଇକୋର୍ଟ ବିଚାରପତି ଜଷ୍ଟିସ ମୁକୁଲ ମୁଦଗଲଙ୍କ ଅଧ୍ୟକ୍ଷତାରେ ତିନିଜଣିଆ କମିଟି ଗଠନ ନିର୍ଦେଶ ଦେଇଥିଲେ। ତତ୍କାଳୀନ ଅତିରିକ୍ତ ସଲିସିଟର ଜେନେରାଲ ଏଲ.ନାଗେଶ୍ୱର ରାଓ ଓ ନିଲୟ ଦତ୍ତ କମିଟିର ଅନ୍ୟ ଦୁଇ ସଦସ୍ୟ ନିଯୁକ୍ତ ହୋଇଥିଲେ। ୨୦୧୪ ନଭେମ୍ବରରେ ଜଷ୍ଟିସ ମୁଦଗଲ କମିଟି ଜଉମୁଦ ଲଫାପାରେ ତାଙ୍କ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ। ଏହି ରିପୋର୍ଟ ଦୁଇଭାଗରେ ବିଭକ୍ତ ହୋଇଥିଲା। ଗୋଟିଏ ପଟେ ଆଇପିଏଲ ଦୁର୍ନୀତିର ଦୋଷୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅନ୍ୟପଟରେ ବିସିସିଆଇର ତତ୍କାଳୀନ ସଭାପତି ଏନ.ଶ୍ରୀନିବାସନ, ଚେନ୍ନଇ ସୁପର କିଙ୍ଗ୍‍ସ, ରାଜସ୍ଥାନ ରୟାଲ୍‍ସର ଅଧିକାରୀ ଓ ଆଇପିଏଲର ତତ୍କାଳୀନ ସିଇଓ ସୁନ୍ଦର ରମଣଙ୍କ ଭୂମିକାର ତଦନ୍ତ ପାଇଁ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହାକୁ ଆଧାର କରି ସୁପ୍ରିମକୋର୍ଟ ବିସିସିଆଇ କାର୍ଯ୍ୟଶୈଳୀରେ ସ୍ୱଚ୍ଛତା ଆଣିବାକୁ ୨୦୧୫ ଜାନୁୟାରୀ ୧୫ରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଆର.ଏମ.ଲୋଧାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। କମିଟିକୁ ଦୁଇଟି ଦାୟିତ୍ୱ ଦିଆଯାଇଥିଲା। ଗୋଟିଏପଟେ ଆଇପିଏଲ ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଦଣ୍ଡବିଧାନ ଓ ଦ୍ୱିତୀୟରେ ବିସିସିଆଇରେ ସଂସ୍କାର ଆଣିବାକୁ ସୁପାରିସ। ଜଷ୍ଟିସ ଲୋଧା କମିଟି ୨୦୧୬ ଜାନୁଆରୀରେ ସୁପ୍ରିମକୋର୍ଟରେ ତାଙ୍କ ରିପୋର୍ଟ ଦାଖଲ କରିଥିଲେ।

Comments
Loading...