ଆଇପିଏଲ୍ ପରେ ଧୋନୀଙ୍କ ଲାଗି ବିଦାୟୀ ମ୍ୟାଚ୍ ଆୟୋଜନ କରିବ ବିସିସିଆଇ

ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟରୁ ନିକଟରେ ଅବସର ଘୋଷଣା କରିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଲାଗି ବିଦାୟୀ ମ୍ୟାଚ ଆୟୋଜନ କରିବ ବିସିସିଆଇ । ସମ୍ଭବତଃ ଆଇପିଏଲ୍ ପରେ ଏହି ମ୍ୟାଚ୍ ହୋଇପାରେ । ଏ ସମ୍ପର୍କରେ ଧୋନୀଙ୍କ ସହ ଆଲୋଚନା କରାଯିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ । ପୂର୍ବରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଞ୍ଚିରେ ଧୋନୀଙ୍କ ବିଦାୟ ନିମନ୍ତେ ଏକ ମ୍ୟାଚ ଆୟୋଜନ ନିମନ୍ତେ ବିସିସିଆଇକୁ ପ୍ରସ୍ତାବ ଦେଇଥିଲେ ।

ସମ୍ବାଦ ସରବରାହ ସଂସ୍ଥା ଆଇଏଏଏନ୍ଏସକୁ ବିସିସିଆଇର ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁସାରେ ବର୍ତମାନ କୌଣସି ଆନ୍ତଜାତିକ ସିରିଜ ନାହିଁ । ତେଣୁ ଆଇପିଏଲ୍ ପରେ ଏ ସମ୍ପର୍କରେ ଆଲୋଚନା କରାଯାଇ ମ୍ୟାଚ ସମ୍ପର୍କରେ ନିଷ୍ପତ୍ତି ନିଆଯିବ  । ଧୋନୀ ଦେଶ ନିମନ୍ତେ ବହୁତ କିଛି କରିଛନ୍ତି ଓ ଏଥିପାଇଁ ସେ ସମ୍ମାନର ହକଦାର । ଆମେ ମଧ୍ୟ ତାହା ଚାହୁଁଛୁ । ମାତ୍ର ଧୋନୀ ହେଉଛନ୍ତି ଏକ ଅଲଗା ପ୍ରକାରର ଖେଳାଳି, ସେ ଅଚାନକ ଏପରି ଭାବରେ ନିଜର ସନ୍ୟାସ ଘୋଷଣା କଲେ ଯେ ତାହା କେବେ କଳ୍ପନା କରି ନ ଥିଲେ । ତେବେ ତାଙ୍କୁ ସମ୍ମାନିତ କରିବ ଆମ ପାଇଁ ସମ୍ମାନର କଥା ବୋଲି ଏହି ଅଧିକାରୀ କହିଛନ୍ତି ।

ପୂର୍ବତନ କ୍ରିକେଟ ଖେଳାଳି ମଦନଲାଲ କହିଛନ୍ତି ଯେ ବିସିସିଆଇ ଯଦି ଧୋନୀଙ୍କ ନିମନ୍ତେ ଏକ ବିଦାୟୀ ମ୍ୟାଚ୍ ଆୟୋଜନ କରେ ତେବେ ତାହା ବହୁତ ଖୁସିର କଥା । ସେ ଜଣେ ମହାନ ଖେଳାଳି ଓ ତାଙ୍କୁ ସମ୍ମାନର ସହ ବିଦାୟ ଦିଆଯିବା ଆବଶ୍ୟକ । ତାଙ୍କ ପ୍ରଶଂସକ ତାଙ୍କୁ ପୁଣିଥରେ ପଡ଼ିଆରେ ଦେଖିବାକୁ ଚାହୁଛନ୍ତି ।

ସୂଚନାଯୋଗ୍ୟ ଯେ ଧୋନୀ ୨୦୦୪ରେ ଆନ୍ତର୍ଜାତିକ କ୍ରିକେଟରେ ପଦାର୍ପଣ କରିବା ପରେ ୩୫୦ ଦିନିକିଆ, ୯୦ ଟେଷ୍ଟ ଓ ୯୮ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ଅଧିନାୟକତ୍ବରେ ଭାରତ ୨୦୦୭ରେ ଟି-୨୦ ବିଶ୍ବକପ, ୨୦୧୧ରେ ବିଶ୍ବ କପ୍ ଓ ୨୦୧୩ରେ ଚମ୍ପିୟାନ ଟ୍ରଫି ବିଜୟୀ ହୋଇଛି । ଏହା ସହ ୨୦୧୦ ଓ ୨୦୧୬ରେ ଏସିଆ କପ୍ ମଧ୍ୟ ଧୋନୀଙ୍କ ଅଧିନାୟକତ୍ବରେ ଭାରତ ବିଜୟଲାଭ କରିଛି ।

Comments are closed.