କୋହଲିଙ୍କ ବିସ୍ଫୋରକ ବୟାନ ପରେ ମୁହଁ ଖୋଲିଲେ ଗାଙ୍ଗୁଲି ; ‘କୌଣସି ମନ୍ତବ୍ୟ ଦେବିନାହିଁ; ବିସିସିଆଇ ନିଷ୍ପତ୍ତି ନେବ’

କଲକାତା : ଖୋଲାଖୋଲି ଭାବେ ତାଙ୍କ ମନ୍ତବ୍ୟକୁ ଖଣ୍ଡନକରି ବିରାଟ କୋହଲି ଝଡ଼ ସୃଷ୍ଟି କରିବାର ଦିନକ ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମୁହଁ ଖୋଲିଛନ୍ତି। ପ୍ରିନ୍‌ସ ଅଫ୍ କଲକାତା କହିଛନ୍ତି ଯେ ଏହି ମାମଲାରେ ସେ କୌଣସି ମନ୍ତବ୍ୟ ଦେବେନାହିଁ। ବିସିସିଆଇ ଏହି ମାମଲାର ବିଚାରକରି ଯାହା କିଛି ନିଷ୍ପତ୍ତି ନେବ। ବୁଧବାର ଆଭାସୀ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଥିଲେ ଯେ ଟ୍ବେଣ୍ଟି୨୦ ଦଳର ନେତୃତ୍ବରୁ ଓହରିଯିବାକୁ ଘୋଷଣାର କିଛିଦିନ ପରେ ବିସିସିଆଇ ସଭାପତି ଗାଙ୍ଗୁଲି କହିଥିଲେ ଯେ ବିରାଟଙ୍କୁ ଟ୍ବେଣ୍ଟି୨୦ ଦଳର ନେତୃତ୍ବ ଛାଡ଼ିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ କୁହା ଯାଇଥିଲା। ହେଲେ କୋହଲି ଏପରି କରିନଥିଲେ। ବୁଧବାର ସାମ୍ବାଦିକ ସମ୍ମିଳନୀରେ ଗାଙ୍ଗୁଲିଙ୍କ ନାମ ନନେଇ ତାଙ୍କର ଉପରୋକ୍ତ ମନ୍ତବ୍ୟକୁ କୋହଲି ଖଣ୍ଡନକରି ଗାଙ୍ଗୁଲି ସତ କଥା କହିନାହାନ୍ତି ବୋଲି କୋହଲି ପରୋକ୍ଷରେ କହିଥିଲେ। ଏହା ପରଠାରୁ ଗାଙ୍ଗୁଲିଙ୍କ ବିପକ୍ଷରେ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିଦିଅନ୍ତୁ ବୋଲି ମଧ୍ୟ ଦାବି ହେଉଛି।
ବୁଧବାର କୋହଲିଙ୍କ ମନ୍ତବ୍ୟ ପରେ ସତ କ’ଣ; ତାହା ପ୍ରକାଶ କରନ୍ତୁ ବୋଲି ସୁନୀଲ ଗାଭାସ୍କର, କପିଳ ଦେବଙ୍କ ସହ ଏକାଧିକ କ୍ରିକେଟର ଦାବି କରିଛନ୍ତି। ହେଲେ କଲକାତାରେ ଗୁରୁବାର ଏକ ସ୍ଥାନୀୟ ଗଣମାଧ୍ୟମକୁ ଗାଙ୍ଗୁଲି କେବଳ ଏହା କହିଛନ୍ତି- କୌଣସି ବିବୃତ୍ତି ନାହିଁ; ସାମ୍ବାଦିକ ସମ୍ମିଳନୀ ନାହିଁ। ଆମେ ଏହି ମାମଲାର ବିଚାର କରିବୁ। ସବୁକିଛି ବିସିସିଆଇ ଉପରେ ଛାଡ଼ିଦିଅନ୍ତୁ। କୋହଲିଙ୍କ ବିସ୍ଫୋରକ ସାମ୍ବାଦିକ ସମ୍ମିଳନୀ ପରେ ବିସିସିଆଇ ବରିଷ୍ଠ ମନୋନୟନ କମିଟିର ଅଧ୍ୟକ୍ଷ ଚେତନ ଶର୍ମା ସାମ୍ବାଦିକ ସମ୍ମିଳନୀ କରି କୋହଲିଙ୍କ ଦାବିର ଜବାବ ଦେବାର ଯୋଜନା ଥିଲା। ତେବେ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ କରି ଦିଆ ଯାଇଥିଲା। ଗାଙ୍ଗୁଲିଙ୍କ ବକ୍ତବ୍ୟକୁ ଖଣ୍ଡନକରି କୋହଲି କହିଥିଲେ, ଟି୨୦ ନେତୃତ୍ବ ଛାଡ଼ିବା କଥା ବିସିସିଆଇକୁ ଜଣାଇଥିଲି। ସମସ୍ତେ ଏହାକୁ ଗ୍ରହଣ କରିଥିଲେ। କେହି ବିରୋଧ କରିନଥିଲେ କି ଦ୍ବିଧା ପ୍ରକାଶ କରିନଥିଲେ। ମୋତେ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କେହି କହିନଥିଲେ। ମୋତେ କୁହା ଯାଇଥିଲା ଏହା ଆଗକୁ ବଢ଼ିବାର ପ୍ରକ୍ରିୟା ଏବଂ ସଠିକ୍ ପଦକ୍ଷେପ। କୋହଲି ଆହୁରି କହିଥିଲେ, ଭାରତୀୟ ଟେଷ୍ଟ ଦଳ ଘୋଷଣାର ଦେଢ଼ଘଣ୍ଟା ପୂର୍ବରୁ ମୁଖ୍ୟ ମନୋନୟନକାରୀ ଚେତନ ଶର୍ମା ମୋ ସହ ଦଳ ମନୋନୟନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଶେଷରେ ସେ କହିଥିଲେ ଯେ ମୋତେ ଦିନିକିଆ ଦଳରୁ ନେତୃତ୍ବରୁ ହଟାଇବା ପାଇଁ ୫ ଜଣଯାକ ମନୋନୟନକାରୀ ନିଷ୍ପତ୍ତି ନେଇଛନ୍ତି। ମୁଁ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଥିଲି। ସୂଚନାଯୋଗ୍ୟ; ଗାଙ୍ଗୁଲି ଗଣମାଧ୍ୟମକୁ କହିଥିଲେ ଯେ ବିରାଟ କୋହଲିଙ୍କ ସହ ଆଲୋଚନା କରିଛନ୍ତି ଏବଂ ତାଙ୍କୁ ବୁଝାଇଛନ୍ତି ଯେ ଧଳା ବଲ୍‌ କ୍ରିକେଟ୍‌ରେ ୨ ଜଣ ଅଧିନାୟକ ରଖିବାକୁ ମନୋନୟନକାରୀ ଚାହୁଁନାହାନ୍ତି। ଟ୍ବେଣ୍ଟି୨୦ ପରେ ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରା ଯାଇଥିଲା।

Comments are closed.