୩୦୦ କୋଟି ପ୍ରାୟୋଜନ ଅର୍ଥର ଲକ୍ଷ୍ୟ ରଖିଛି ବିସିସିଆଇ

ମୁମ୍ବଇ : ସାରାଦେଶ ଏବେ କରୋନା ପରି ମହାମାରୀ ସହ ଲଢ଼ୁଛି। କରୋନା ଯୋଗୁଁ ଦେଶର ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ଏପରି ପରିସ୍ଥିତିରେ ମଧ୍ୟ ବିଶ୍ୱର ସବୁଠାରୁ ଧନଶାଳୀ କ୍ରିକେଟ୍‍ ଲିଗ୍‍ ବିସିସିଆଇ ତା’ର ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛି। ଏପରି ମହାମାରୀ ସମୟରେ ମଧ୍ୟ ଆସନ୍ତା ୪୮ ଘଣ୍ଟା ନିର୍ଦ୍ଧାରଣ କରିବ ଯେ ଭାରତରେ କ୍ରିକେଟ୍‍ର ଶକ୍ତି କେତେ। ବିସିସିଆଇ ନିଷ୍ପତ୍ତି ନେଇଛି ଯେ ଚଳିତବର୍ଷର ଆଇପିଏଲ୍‍ ଲାଗି ୩ଟି ପରିବର୍ତ୍ତେ ୫ଟି ଅଫିସିଆଲ ପ୍ରାୟୋଜକ ରହିବେ। ଆଉ ୨ଟି ନୂଆ ଅଫିସିଆଲ୍‍ ପ୍ରାୟୋଜକ ପାଇଁ ବିସିସିଆଇ ୪୦ କୋଟି ଟଙ୍କା ଲେଖାଏଁ ପାଇବାର ଲକ୍ଷ୍ୟ ରଖିଛି। ଏହାସହ ଭିଭୋ ସ୍ଥାନରେ ନୂତନ ଟାଇଟଲ ପ୍ରାୟୋଜକ ହେବା ପାଇଁ ୨୦୦ରୁ ୨୫୦ କୋଟି ଟଙ୍କା ପାଇବାର ଲକ୍ଷ୍ୟ ବିସିସିଆଇ ରଖିଛି। ଏହିପରି ମୋଟ ୩୦୦ କୋଟି ଟଙ୍କାର ପ୍ରାୟୋଜନ ଅର୍ଥ ପାଇବାକୁ ବିସିସିଆଇ ଲକ୍ଷ୍ୟ ରଖିଛି।
ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ ଯେ ଭିଭୋ ସ୍ଥାନରେ ଏକ ନୂତନ ପ୍ରାୟୋଜକ ସହ କଥାବାର୍ତ୍ତା ଚାଲିଛି। ଉକ୍ତ ପ୍ରାୟୋଜକ ଭଲ ଅର୍ଥ ଦେବ ବୋଲି ଉକ୍ତ ସୂତ୍ର ଦାବି କରିଛନ୍ତି। ଆମାଜନ୍‍, ଡିମ୍‍୧୧, ବାଇଜୁସ୍‍ ପରି ସଂସ୍ଥା ଆଇପିଏଲ୍‍-୧୩ର ଟାଇଟଲ ପ୍ରାୟୋଜକ ହେବାକୁ ଆଗଭର ହୋଇଥିଲେ ହେଁ ବିସିସିଆଇ ଏକ ନୂତନ ପ୍ରାୟୋଜକ ଯୋଗାଡ଼ କରିସାରିଛି ଏବଂ କ୍ରିକେଟ୍‍ପ୍ରେମୀଙ୍କୁ ବିସିସିଆଇ ଚକିତ କରିବାକୁ ଯାଉଛି ବୋଲି ଉକ୍ତ ସୂତ୍ର କହିଛନ୍ତି। ମାତ୍ର ୪ ମାସ ଲାଗି ନୂତନ ଟାଇଟଲ ପ୍ରାୟୋଜକ ସହ ଚୁକ୍ତି ହେବାର ଥିବା ବେଳେ ୨୦୦ କୋଟି ଟଙ୍କା ପାଇଲେ ବି ବିସିସିଆଇ ପାଇଁ ଏହା ବହୁତ ବୋଲି ଉକ୍ତ ସୂତ୍ର କହିଛନ୍ତି। ଭିଭୋ ବାର୍ଷିକ ୪୪୦ କୋଟି ଟଙ୍କା ଦେଉଥିବା ବେଳେ ନୂଆ ଟାଇଟଲ ପ୍ରାୟୋଜନ ଏବଂ ୨ ନୂତନ ଅଫିସିଆଲ୍‍ ପ୍ରାୟୋଜନରୁ ଯଦି ବିସିସିଆଇ ୩୦୦ କୋଟି ଟଙ୍କା ପାଏ; ତେବେ ଏହା ୩ ଚତୁର୍ଥାଂଶ କ୍ଷତି ଭରଣା କରିପାରିବ। ବର୍ତ୍ତମାନ ବିସିସିଆଇ ପାଇଁ ଏହା ବହୁତ ବଡ଼ ଉପଲବ୍‍ଧି ହେବ।

Comments are closed.