ଆଇପିଏଲ୍‍ ଆୟୋଜନ ପାଇଁ ବିସିସିଆଇର ଯୋଜନା ପ୍ରସ୍ତୁତି

ଫାଙ୍କା ଷ୍ଟାଡ଼ିୟମରେ ଖେଳାଯାଇପାରେ ମ୍ୟାଚ

କଟକ : ସ୍ପେନରେ ପ୍ରିମିୟର ଡିଭିଜନ୍‍ ଫୁଟ୍‍ବଲ ଲିଗ୍‍ ଲା ଲିଗା ଆରମ୍ଭ ହୋଇଯାଇଛି। ଏଫ୍‍ସି ବାର୍ସେଲୋନାର ତାରକା ଷ୍ଟ୍ରାଇକର ଲିଓନେଲ ମେସିଙ୍କ ଫର୍ମକୁ କୋଭିଡ୍‍-୧୯ ଆଦୌ ପ୍ରଭାବିତ କରି ପାରିନାହିଁ। ପ୍ରଥମ ମ୍ୟାଚ୍‍ରୁ ହିଁ ମେସି ତାଙ୍କ ଯାଦୁ ଦେଖାଇଛନ୍ତି। ଇଂଲଣ୍ଡରେ ମଧ୍ୟ ଆନ୍ତର୍ଜାତିକ କ୍ରିକେଟ୍‍ ଆରମ୍ଭହେବାକୁ ଯାଉଛି। ତେବେ ଉଭୟ ଇଭେଣ୍ଟ ତାଲାବନ୍ଦ ଷ୍ଟାଡିୟମ୍‍ରେ ଖେଳାଯାଉଛି। ତେବେ ସମ୍ପୂର୍ଣ୍ଣଭାବେ କରୋନାମୁକ୍ତ ହୋଇଥିବା ନ୍ୟୁଜିଲାଣ୍ଡ କ୍ରୀଡ଼ା ପ୍ରତିଯୋଗିତାରେ ଦର୍ଶକଙ୍କ ପ୍ରବେଶକୁ ଅନୁମତି ଦେବାକୁ ଯାଉଛି। ତେବେ ଭାରତରେ କୋଭିଡ୍‍-୧୯ର ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଷ୍ଟାଡିୟମ୍‍କୁ ଦର୍ଶକ ଛାଡ଼ିବା କ’ଣ; ପ୍ରତିଯୋଗିତା ଆରମ୍ଭ କରିବା କଥା ମଧ୍ୟ ଚିନ୍ତା କରା ଯାଉନାହିଁ। ତେବେ ତା’ର ସବୁଠାରୁ ଲାଭଜନକ ପ୍ରୋଜେକ୍ଟ ଆଇପିଏଲ୍‍ ଆୟୋଜନ ପାଇଁ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍‍ ବୋର୍ଡ ବିସିସିଆଇ ପ୍ରବଳ ପ୍ରୟାସ ଆରମ୍ଭ କରିଦେଇଛି।
ମାର୍ଚ୍ଚ ୨୯ରୁ ଆରମ୍ଭ ହେବାର ଥିବା ଆଇପିଏଲ୍‍ର ୧୩ଶ ସଂସ୍କରଣକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଚଳିତବର୍ଷ ଆଇପିଏଲ୍‍ ଆୟୋଜନ ନ ହେଲେ ବିସିସିଆଇ ୫୨୫ ନିୟୁତ ଡଲାର (ପ୍ରାୟ ୩୯୮୧ କୋଟି ଟଙ୍କା) ରାଜସ୍ୱ ହରାଇବ। ଚଳିତ ସପ୍ତାହରେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ସମସ୍ତ ରାଜ୍ୟର କ୍ରିକେଟ୍‍ ଆସୋସିଏସନ୍‍ମାନଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ ଚଳିତବର୍ଷ ଆଇପିଏଲ୍‍ ଆୟୋଜନ ପାଇଁ ବିସିସିଆଇ ସମସ୍ତ ପ୍ରୟାସ କରୁଛି। ଆବଶ୍ୟକ ପଡ଼ିଲେ ଖାଲି ଷ୍ଟାଡିୟମ୍‍ରେ ଆଇପିଏଲ୍‍ ଆୟୋଜନ ହେବ। ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଆୟୋଜନ ହେବାର ଅଛି। ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଟ୍ୱେଣ୍ଟି୨୦ ବିଶ୍ୱକପ୍‍କୁ ୨୦୨୧କୁ ଘୁଞ୍ଚା ଯାଇପାରେ। ଏହି ସମୟରେ ଆଇପିଏଲ୍‍ ଆୟୋଜନ ପାଇଁ ବିସିସିଆଇ ଯୋଜନା କରିଛି। ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ କହିଛନ୍ତି ଯେ ଆମକୁ ଯଦି ୪୦ ଦିନ ମିଳିଯାଏ; ତେବେ ଆମେ ଆଇପିଏଲ୍‍ ଆୟୋଜନ କରିପାରିବୁ। ତେବେ ଏଥିପାଇଁ ଆମକୁ ବହୁ ପୂର୍ବରୁ ନିରାପତ୍ତା ବ୍ୟବସ୍ଥା, ଖେଳାଳିଙ୍କ ଯାତ୍ରା ବ୍ୟବସ୍ଥା ଓ ଜୈବ ସୁରକ୍ଷିତ ବ୍ୟବସ୍ଥା କରିବାକୁ ହେବ। ସମସ୍ତ ଆଇପିଏଲ୍‍ ଫ୍ରାଞ୍ଚାଇଜି ମଧ୍ୟ ସେମାନଙ୍କ ଯୋଜନା ଓ ବ୍ୟବସ୍ଥା କରିବାରେ ବ୍ୟସ୍ତ। ଏହା ବିଷୟରେ କଲକାତା ନାଇଟ୍‍ ରାଇଡର୍ସ (କେକେଆର୍‍)ର ସିଇଓ ଭେଙ୍କି ମୈସୁର କହିଛନ୍ତି, ଆପଣ ଧରିନିଅନ୍ତୁ ଯେ ମୁମ୍ବଇ ଭଳି ସହରରେ ଆଇପିଏଲ୍‍-୧୩ର ସମସ୍ତ ମ୍ୟାଚ୍‍ ଖେଳାଯିବ। ଏହି ସହରରେ ୪ଟି ଭଲ ଗ୍ରାଉଣ୍ଡ ଥିବା ବେଳେ ନିକଟବର୍ତ୍ତୀ ପୁଣେ ସହରରେ ମଧ୍ୟ ଆନ୍ତର୍ଜାତିକ ଗ୍ରାଉଣ୍ଡ ରହିଛି। ସମସ୍ତ ଦଳ ସେମାନଙ୍କର ନିଜ ହୋଟେଲ ବୁକ୍‍ କରିପାରିବେ। ସେମାନେ ନିଶ୍ଚିତ କରିବେ ଯେ ସମସ୍ତ ରୁମ୍‍ ପାଖାପାଖି ରହିବ। ପୁଣି ସମୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ ବ୍ୟକ୍ତିଗତ ତଉଲିଆ ଓ ପାଣିବୋତଲ ବ୍ୟବହାର କରିବେ। ଯାତ୍ରା, ହୋଟେଲ, କିଟ୍‍, ଖାଦ୍ୟ, ଜିମ୍‍ ଓ ବସ୍‍ ଉପରେ ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ। ୮ଟି ଫ୍ରାଞ୍ଚାଇଜିରେ ପାଖାପାଖି ୧୭୦ ଖେଳାଳି ଓ ୮୦ ଜଣ ସପୋର୍ଟ ଷ୍ଟାଫ୍‍- ଏହିପରି ମୋଟ ୨୫୦ କୋଭିଡ୍‍-୧୯ ପରୀକ୍ଷା କିଟ୍‍ ଆବଶ୍ୟକ ହେବ; ଯାହା ହାସଲ କରିବା କଷ୍ଟକର ହେବନାହିଁ। ବିସିସିଆଇର ଜଣେ କର୍ମକର୍ତ୍ତା କହିଛନ୍ତି ଯେ ଆଇପିଏଲ୍‍ ଆୟୋଜନ ହେଲେ ସାରା କ୍ରିକେଟ୍‍ ଦୁନିଆ ଉତ୍ସାହିତ ହେବ।
ପ୍ରସାରଣକାରୀ ସଂସ୍ଥା ଷ୍ଟାର୍‍ ସ୍ପୋର୍ଟସର ମୁଖ୍ୟ ଉଦୟ ଶଙ୍କର ତାଙ୍କ ଯୋଜନା ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ଖେଳାଳିଙ୍କୁ ବିଭିନ୍ନ ଦେଶରୁ ଚାର୍ଟର ବିମାନରେ ଅଣାଯିବ ଏବଂ ଦେଶ ମଧ୍ୟରେ ମଧ୍ୟ ସେମାନେ ଚାର୍ଟର ବିମାନରେ ଯିବାଆସିବା କରିବେ। ଖେଳାଳି ୫ ଦିନ ପୂର୍ବରୁ ଆସୁଥିଲେ। ଏଥର ସେମାନେ ୨ ସପ୍ତାହ ପୂର୍ବରୁ ଆସି କ୍ୱାରେଣ୍ଟାଇନ୍‍ରେ ରହିବେ। ଅଭ୍ୟାସ ବେଳେ ସେମାନଙ୍କୁ ସାବଧାନ ହେବାକୁ ପଡ଼ିବ। ଏହାସହ ଆଇସିସିର କରୋନା ପରବର୍ତ୍ତୀ ନିର୍ଦେଶାବଳୀକୁ ପାଳନ କରାଯିବ। ଏଥିରେ ପ୍ରମୁଖ ହେଲା ଯାତ୍ରା ପୂର୍ବରୁ କୋଭିଡ୍‍-୧୯ ପରୀକ୍ଷା, ମ୍ୟାଚ୍‍ ପୂର୍ବରୁ ଏକାନ୍ତ ରହିବା, ଦୈନିକ ତାପମାତ୍ରା ସ୍କ୍ରିନିଂ ଏବଂ ଦଳ ସହ ବିଶେଷଜ୍ଞ ଡାକ୍ତରୀ ଦଳ ଓ ଜୈବ ସୁରକ୍ଷା ବିଶେଷଜ୍ଞ ରହିବା। ଆଇସିସି ଏହା ମଧ୍ୟ କହିଛନ୍ତି ଯେ ଖେଳାଳି ସମାନ ଜିମ୍‍ ଉପକରଣ ବ୍ୟବହାର କରିବେ ନାହିଁ। ଫାଙ୍କା ଷ୍ଟାଡ଼ିୟମରେ ମ୍ୟାଚ ଆୟୋଜନ ନେଇ ବିସିସିଆଇ ପ୍ରସ୍ତୁତ ରହିଛି। ସରକାରଙ୍କ ପକ୍ଷରୁ ଆଇପିଏଲ୍‌ ଆୟୋଜନ ନେଇ ସବୁଜ ସଙ୍କେତ ମିଳିଲେ ବିସିସିଆଇ ଆଗକୁ ବଢ଼ିବ ବୋଲି ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି।

Comments are closed.