ଆଇପିଏଲ୍‌ ସ୍ଥଗିତ ଯୋଗୁ ବିସିସିଆଇର କ୍ଷତି ୨୨୦୦ କୋଟି

ନୂଆଦିଲ୍ଲୀ: ଚଳିତବର୍ଷର ଆଇପିଏଲ୍‌ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଇଥିବା ବେଳେ ଆଗକୁ ଏହା ସମ୍ପୂର୍ଣ୍ଣ ହେବ କି ନାହିଁ; ତାହା କେହି ଜାଣନ୍ତିନାହିଁ। ତେବେ ଏହା ନିଶ୍ଚିତ ଯେ ଯଦି ଆଇପିଏଲ୍‌ର ୧୪ଶ ସଂସ୍କରଣ ସମ୍ପୂର୍ଣ୍ଣ ନହୁଏ; ତେବେ ବିସିସିଆଇକୁ ୨୨୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ିବ। ଆଇପିଏଲ୍‌ ମଝିରେ ୪ ଖେଳାଳି ଓ ଏକାଧିକ ଅଣଖେଳାଳି କରୋନା ସଂକ୍ରମିତ ହେବା ପରେ ବିସିସିଆଇ ଏପରି ନିଷ୍ପତ୍ତି ନେଇଛି। ମେ’ ୩୦ରେ ସମାପ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୫୨ ଦିନ​‌ରେ ୬୦ଟି ମ୍ୟାଚ୍‌ ଖେଳାଯିବାର ଥିଲା। ତେବେ ସ୍ଥଗିତ ହେବା ପୂର୍ବରୁ ୨୯ଟି ମ୍ୟାଚ୍‌ ଖେଳାଯାଇଛି। ଯଦି ଏହି ଟୁର୍ଣ୍ଣାମେଣ୍ଟ ଚଳିତବର୍ଷ ସମ୍ପୂର୍ଣ୍ଣ ନହୁଏ; ଟିଭି ପ୍ରସାରଣ ଓ ବିଜ୍ଞାପନରୁ ଏହା ୨୨୦୦ କୋଟି ଟଙ୍କା ହରାଇବ। ଆଇପିଏଲ୍‌ର ପ୍ରସାରଣ ପାଇଁ ୫ ବର୍ଷ ଲାଗି ଷ୍ଟାର୍ ସ୍ପୋର୍ଟସ ସହ ବିସିସିଆଇ ୧୬,୩୪୭ କୋଟି ଟଙ୍କାର ଚୁକ୍ତିକରିଛି। ଅର୍ଥାତ୍ ବର୍ଷକୁ ପ୍ରାୟ ୩୨୭୦ କୋଟି ଟଙ୍କା ବିସିସିଆଇ ପାଇଥାଏ।

ଗୋଟିଏ ସିଜିନ୍‌ରେ ୬୦ଟି ମ୍ୟାଚ୍ ଥିବା ବେଳେ ପ୍ରତି ମ୍ୟାଚ୍‌ରୁ ବିସିସିଆଇର ଆୟ ୫୪.୫ କୋଟି ଟଙ୍କା। ଯଦି ଆଗକୁ ଆଇପିଏଲ୍‌ ଆଉ ଖେଳାଯିବ ସମ୍ଭବ ନହୁଏ; ତେବେ ୨୯ଟି ମ୍ୟାଚ୍‌ ପାଇଁ ବିସିସିଆଇ ୧୫୮୦ କୋଟି ଟଙ୍କା ଷ୍ଟାର୍ ସ୍ପୋର୍ଟସଠାରୁ ପାଇବ ଏବଂ ବାକି ୧୬୯୦ କୋଟି ଟଙ୍କାର କ୍ଷତି ସହିବ। ପୁଣି ମୋବାଇଲ୍‌ ଫୋନ୍ ନିର୍ମାତା କମ୍ପାନୀ ଭିଭୋ ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକ ହେବା ପାଇଁ ପ୍ରତି ସିଜିନ୍‌ ଲାଗି ବିସିସିଆଇକୁ ୪୪୦ କୋଟି ଟଙ୍କା ଦେବାକୁ ଚୁକ୍ତିକରିଛି। ତେବେ ଆଗକୁ ଆଇପିଏଲ୍‌ ଯଦି ଆଉ ଖେଳାନଯାଏ; ତେବେ ବିସିସିଆଇ ଚୁକ୍ତି ଅର୍ଥର ଅଧା; ଅର୍ଥାତ୍ ୨୨୦ କୋଟି ଟଙ୍କାରୁ ମଧ୍ୟ କମ୍ ପାଇବ। ପୁଣି ଆଇପିଏଲ୍‌ର ସହଯୋଗୀ ପ୍ରାୟୋଜକ ଭାବେ ୬ଟି ସଂସ୍ଥା ରହିଛନ୍ତି। ଏମାନଙ୍କ ମଧ୍ୟରେ ଡ୍ରିମ୍୧୧, ଅନ୍‌ଏକାଡେମୀ, କ୍ରେଡ୍‌, ଅପ୍‌ଷ୍ଟକ୍‌ସ, ଟାଟା ମୋର୍ଟସ ପ୍ରଭୃତି ଅଛନ୍ତି। ଏମାନେ ସମସ୍ତେ ୧୨୦ କୋଟି ଟଙ୍କା ଲେଖାଏଁ ବିସିସିଆଇକୁ ଦେବା ପାଇଁ ଚୁକ୍ତି କରିଛନ୍ତି।

ଆଗକୁ ଏହି ଟୁର୍ଣ୍ଣାମେଣ୍ଟ ଖେଳାନଗଲେ; ବିସିସିଆଇ ପ୍ରାୟ ୨୨୦୦ କୋଟି ଟଙ୍କା ହରାଇବ। ବିସିସିଆଇ ଏତେ ରାଜସ୍ବ ହରାଇଲେ; ଏହାର ଲାଭାଂଶରୁ ଆଇପିଏଲ୍‌ର ୮ଟି ଦଳ ପାଇବାକୁ ଥିବା ଅର୍ଥ ମଧ୍ୟ ଅଧାରୁ ବି କମ୍ ହେବ। ତେବେ ବିସିସିଆଇ ପାଇଁ ମୁଣ୍ଡ ବିନ୍ଧାର କାରଣ ହେବ ଖେଳାଳି ପାଇବାକୁ ଥିବା ପାରିଶ୍ରମିକ। ଆଇପିଏଲ୍‌ର ନିୟମ ଅନୁସାରେ; ଯଦି ଜଣେ ଖେଳାଳି ବ୍ୟକ୍ତିଗତ କାରଣରୁ କିମ୍ବା ଆହତ ହୋଇ ଟୁର୍ଣ୍ଣାମେଣ୍ଟ ଅଧାରୁ ଓହରି ଯାଆନ୍ତି; କେତୋଟି ମ୍ୟାଚ୍‌ରୁ ସେ ଓହରିଗଲେ; ତାହାର ପାରିଶ୍ରମିକ କାଟି ତାଙ୍କ ଦଳ ପ୍ରଦାନ କରିବ। ହେଲେ ଆଇପିଏଲ୍‌ ଆୟୋଜକ ଯଦି ଟୁର୍ଣ୍ଣାମେଣ୍ଟକୁ ଅଧାରୁ ବାତିଲ କରିଦିଅନ୍ତି; ତେବେ ଖେଳାଳିଙ୍କୁ ସେମାନଙ୍କ ଦଳ ପୂର୍ଣ୍ଣ ପାରିଶ୍ରମିକ ଦେବାକୁ ପଡ଼ିବ। ଏହାର ଭରଣା କରିବାକୁ ଦଳମାନେ ବିସିସିଆଇ ପାଖରେ ଦାବି କରିପାରନ୍ତି। ତେଣୁ ଏହାକୁ ହିସାବକୁ ନେଲେ ବିସିସିଆଇକୁ ୨୨୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ିବ।

Comments are closed.