ନିର୍ଦ୍ଧାରିତ ସମୟରେ ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ଆଶାବାଦୀ

ନୂଆଦିଲ୍ଲୀ : ଭାରତର ଅଧିକାଂଶ ରାଜ୍ୟ; ବିଶେଷକରି ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ନିର୍ଦ୍ଧାରିତ ସ୍ଥାନ ଓ ତାରିଖରେ ଆଇପିଏଲ୍‌ ଆୟୋଜନ ପାଇଁ ଦୃଢ଼ ଆଶାବାଦୀ ରହିଛି ଆୟୋଜକ ବିସିସିଆଇ। ଶୁକ୍ରବାର ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଥିଲେ, ରାଜ୍ୟରେ କରୋନାର ୨ୟ ଲହର ଆସିଛି। ଔପଚାରିକ ଭାବେ ଘୋଷଣା କରୁନଥିଲେ ମଧ୍ୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ର ସୂଚନା ଦେଉଛି। ୨/୩ ଦିନ ମଧ୍ୟରେ ପରିସ୍ଥିତିରେ ଉନ୍ନତି ନ ଘଟିଲେ; ବାଧ୍ୟହୋଇ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯିବ।
ଏପରିକି ମୁମ୍ବଇରେ ଯଦି ଲକ୍‌ଡାଉନ୍ ଘୋଷଣା କରାଯାଏ; ଏଠାରେ ମ୍ୟାଚ୍ ଆୟୋଜନ ଅସମ୍ଭବ ନୁହେଁ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। କାରଣ ଖେଳାଳି, ସପୋର୍ଟ ଷ୍ଟାଫ୍, ମ୍ୟାଚ୍ ଅଫିସିଆଲ୍, ଗ୍ରାଉଣ୍ଡଷ୍ଟାଫ୍ ଓ ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ଗତ କିଛିଦିନ ହେଲା ଜୈବ ନିରାପତ୍ତା ବଳୟରେ ଅଛନ୍ତି। ତେଣୁ ସେମାନଙ୍କର ମ୍ୟାଚ୍‌ ଖେଳିବା ନେଇ କୌଣସି ଅସୁବିଧା ନାହିଁ ବୋଲି ଉକ୍ତ ଅଧିକାରୀ କହିଛନ୍ତି। କାରଣ ମ୍ୟାଚ୍ ମଧ୍ୟ ଜୈବ ନିରାପତ୍ତା ବଳୟରେ ଖେଳାଯିବ। ଚେନ୍ନଇ ସୁପର କିଙ୍ଗ୍‌ସ, ଦିଲ୍ଲୀ କ୍ୟାପିଟାଲ୍‌ସ, ରାଜସ୍ଥାନ ରୟାଲ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ପୃଥକ୍ ଭାବେ ଜୈବ ନିରାପତ୍ତା ବଳୟରେ ରହୁଛନ୍ତି। ସେମାନେ ପୃଥକ୍‌ ହୋଟେଲରେ ରହୁଥିବା ବେଳେ କେହି କାହା ସହ ମିଶି ପାରୁନାହାନ୍ତି। ପୁଣି ଖେଳାଳିଙ୍କର ନିୟମିତ କୋଭିଡ୍‌ ପରୀକ୍ଷା କରାଯାଉଛି। ଏଣେ ମୁମ୍ବଇ କ୍ରିକେଟ୍‌ ଆସୋସିଏସନ୍ (ଏମ୍‌ସିଏ) ମଧ୍ୟ ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଆୟୋଜନ ପାଇଁ ଦୃଢ଼ ଆଶାବାଦୀ ରହିଛି। ଖେଳାଳି ଜୈବ ନିରାପତ୍ତା ବଳୟରେ ଅଛନ୍ତି ଏବଂ ମ୍ୟାଚ୍ ମଧ୍ୟ ଜୈବ ନିରାପତ୍ତା ବଳୟରେ ଖେଳାଯିବ। ମୁମ୍ବଇ ସହରକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଗଲେ ମଧ୍ୟ ଏହା ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନକୁ ପ୍ରଭାବିତ କରିପାରିବ ନାହିଁ। ପୁଣି ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା ହେଲେ ୱାଙ୍ଖେଡ଼େରେ ମ୍ୟାଚ୍‌ ଆୟୋଜନ ନେଇ ରାଜ୍ୟ ସରକାର ଏମ୍‌ସିଏକୁ କିଛି ଜଣାଇ ନାହାନ୍ତି। ତେବେ ମୁମ୍ବଇର ମ୍ୟାଚ୍ ସ୍ଥାନାନ୍ତର ପାଇଁ ବହୁତ ବିଳମ୍ବ ହୋଇଗଲାଣି ବୋଲି ବିସିସିଆଇ କହିଛି।

Comments are closed.