ଗାଭାସ୍କରଙ୍କୁ ସମ୍ବର୍ଦ୍ଧିତ କଲା ବିସିସିଆଇ

ଅହମ୍ମଦାବାଦ୍: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ଲିଟିଲ ମାଷ୍ଟର ଭାବେ ପରିିଚିତ ସୁନୀଲ ଗାଭାସ୍କରଙ୍କୁ ବିସିସିଆଇ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଟେଷ୍ଟ କ୍ରିକେଟ ପଦାର୍ପଣର ୫୦ ବର୍ଷ ପୂରଣ ଅବସରରେ ଗାଭାସ୍କରଙ୍କୁ ବିସିସିଆଇ ସମ୍ବର୍ଦ୍ଧିତ କରିଛି। ଅହମ୍ମଦାବାଦ୍‌ରେ ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟର ୩ୟ ଦିନ ଭୋଜନ ବିରତିରେ ବିସିସିଆଇ ପକ୍ଷରୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ୭୧ ବର୍ଷ ବୟସ୍କ ଗାଭାସ୍କରଙ୍କୁ ବିସିସିଆଇ ସମ୍ପାଦକ ଜୟ ଶାହା ଏକ ଟେଷ୍ଟ ଟୋପି ପ୍ରଦାନ କରିଥିଲେ।

ଏହି ଅବସରରେ ସେ କହିଥିଲେ, ଭାରତ ପାଇଁ କ୍ରିକେଟ ଖେଳିବାକୁ ନେଇ ନିଜକୁ ଭାଗ୍ୟବାନ ମନେକରୁଛି। ଟେଷ୍ଟ କ୍ରିକେଟ ପଦାର୍ପଣ କରିବାର ମୁହୂର୍ତ୍ତ ଆଜି ବି ମନ ଭିତରେ ଉଙ୍କି ମାରୁଛି। ୧୯୭୧ରୁ ୧୯୮୭ ପର୍ୟ୍ୟନ୍ତ ଗାଭାସ୍କର ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ୧୨୫ଟି ଟେଷ୍ଟମ୍ୟାଚ ଖେଳି ୧୦,୧୨୨ରନ କରିଥିବାବେଳେ ୧୦୮ଟି ଦିନିକିଆ ମ୍ୟାଚରୁ ୩,୦୯୨ରନ କରିଥିଲେ। ୧୯୮୩ ବିଶ୍ବକପ ବିଜୟୀ ଭାରତୀୟ ଦଳର ସଦସ୍ୟ ମଧ୍ୟ ଥିଲେ। ଗାଭାସ୍କର ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ। ପ୍ରଥମ ଇନିଂସରେ ୬୫ ଓ ୨ୟ ଇନିଂସରେ ଅପରାଜିତ ୬୭ରନ କରିଥିଲେ। ଭାରତ ସେହି ଟେଷ୍ଟ ମ୍ୟାଚକୁ ୭ ୱିକେଟରେ ଜିତି ନେଇଥିଲା।

Comments are closed.