ବିସିସିଆଇ ଏଜିଏମ୍‌ରୁ ତାମିଲନାଡ଼ୁ, ହରିୟାଣା, ମହାରାଷ୍ଟ୍ର ବାସନ୍ଦ

ନୂଆଦିଲ୍ଲୀ: ଚଳିତମାସ ୨୩ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହେବ। ଏହି ବୈଠକରେ ସୁପ୍ରିମକୋର୍ଟ ଅନୁମୋଦିତ ବିସିସିଆଇର ନୂତନ ସମ୍ବିଧାନ ଅନୁସାରେ ଏହାର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହି ଏଜିଏମ୍‌ରେ ତାମିଲନାଡ଼ୁ କ୍ରିକେଟ ଆସୋସିଏସନ୍ (ଟିଏନ୍‌ସିଏ), ହରିୟାଣା କ୍ରିକେଟ ଆସୋସିଏସନ୍ ଓ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ର ପ୍ରତିନିଧି ଯୋଗ ଦେଇପାରିବେ ନାହିଁ କିମ୍ବା ଭୋଟ୍‌ ମଧ୍ୟ ଦେଇପାରିବେ ନାହିଁ। ସୁପ୍ରିମକୋର୍ଟ ନିଯୁକ୍ତ ବିସିସିଆଇର ପ୍ରଶାସକ କମିଟି (ସିଓଏ) ବୁଧବାର ଏହି ଘୋଷଣା କରିଛନ୍ତି। ଉପରୋକ୍ତ ୩ଟି କ୍ରିକେଟ ଆସୋସିଏସନ୍‌ ୨୦୧୮ ଅଗଷ୍ଟରେ ସୁପ୍ରିମକୋର୍ଟରେ ଅନୁମୋଦିତ ସମ୍ବିଧାନ ଅନୁସାରେ ନିଜର ସମ୍ବିଧାନ ପ୍ରସ୍ତୁତ କରିନଥିବାରୁ ସିଓଏ ଏପରି ନିର୍ଦେଶ ଦେଇଛନ୍ତି। ପୂର୍ବରୁ ସିଓଏ ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏସନ୍‌କୁ ସତର୍କ କରାଇ ଦେଇଥିଲେ ଯେ ବିସିସିଆଇ ସମ୍ବିଧାନ ଅନୁସାରେ ଯେଉଁ ରାଜ୍ୟ କ୍ରିକେଟ ଆସୋସିଏସନ୍‌ ନିଜ ସମ୍ବିଧାନ ପ୍ରସ୍ତୁତ କରିନଥିବେ; ସେମାନଙ୍କ ପ୍ରତିନିଧିଙ୍କୁ ବିସିସିଆଇର ଏଜିଏମ୍ ଓ ନିର୍ବାଚନ ପ୍ରକ୍ରିୟାରେ ଭାଗନେବାର ସୁଯୋଗ ମିଳିବ ନାହିଁ।
ତେଣୁ ତାମିଲନାଡ଼ୁ, ହରିୟାଣା ଓ ମହାରାଷ୍ଟ୍ରର ସମ୍ବିଧାନ ବିସିସିଆଇ ସମ୍ବିଧାନ ଅନୁସାରେ ବୈଧ ଘୋଷିତ ହୋଇନଥିବାରୁ ସେମାନଙ୍କ ପ୍ରତିନିଧି ବିସିସିଆଇର ଏଜିଏମ୍ ଓ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇପାରିବେ ନାହିଁ ବୋଲି ବୁଧବାର ସିଓଏ ଉପରୋକ୍ତ ୩ ଆସୋସିଏସନ୍‌ଙ୍କୁ ଜଣାଇ ଦେଇଛନ୍ତି ବୋଲି ବୋର୍ଡ ମଧ୍ୟସ୍ଥ ସୂତ୍ରରୁ ଖବର ମିଳିଛି। ତାମିଲନାଡ଼ୁ କ୍ରିକେଟ ଆସୋସିଏସନ୍‌ରେ ବିସିସିଆଇର ପୂର୍ବତନ ସଭାପତି ଏନ୍. ଶ୍ରୀନିବାସନ୍‌ଙ୍କର ଖୁବ୍ ପତିଆରା ରହିିଛି। ପୂର୍ବରୁ ଟିଏନ୍‌ସିଏ ଖୋଲାଖୋଲି ଯୁକ୍ତି ବାଢ଼ିଥିଲା ଯେ ବିସିସିଆଇ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିବାର ଅଧିକାର ସିଓଏକୁ ସୁପ୍ରିମକୋର୍ଟ ଦେଇନାହାନ୍ତି। ହରିୟାଣା ଓ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ମଧ୍ୟ ସମାନ କଥା କହି ଆସୁଛନ୍ତି। ଶ୍ରୀନିବାସନ୍‌ଙ୍କ କନ୍ୟା ରୂପା ଗୁରୁନାଥ ଟିଏନ୍‌ସିଏର ସଭାପତି ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ, ଟିଏନ୍‌ସିଏ ଆର୍.ଏସ୍. ରାମସ୍ବାମୀଙ୍କୁ, ହରିୟାଣା ମୃଣାଳ ଓଝାଙ୍କୁ ଓ ମହାରାଷ୍ଟ୍ର ରିୟାଜ୍ ବାଗ୍‌ବାନ୍‌ଙ୍କୁ ବିସିସିଆଇ ଏଜିଏମ୍‌ରେ ସେମାନଙ୍କ ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ପ୍ରତିନିଧିତ୍ବ କରିବାକୁ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ; ଗୁରୁବାର ସନ୍ଧ୍ୟାରେ ବିସିସିଆଇ ଏଜିଏମ୍‌ର ବୈଧ ଭୋଟର ତାଲିକା ପ୍ରକାଶ ପାଇବ। ଯଦି ତାମିଲନାଡ଼ୁ, ହରିୟାଣା ଓ ମହାରାଷ୍ଟ୍ରର ପ୍ରତିନିଧିଙ୍କ ନାମ ଏହି ତାଲିକାରେ ସ୍ଥାନ ଦିଆ ଯାଇନଥିବ; ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରନ୍ତି।

Comments are closed.