ବିସିସିଆଇ ନିର୍ବାଚନ: ଗାଙ୍ଗୁଲି, ଶାହା, ଅରୁଣଙ୍କ ପ୍ରାର୍ଥିପତ୍ର ଦାଖଲ; ୮ ଜଣଯାକ ଅପ୍ରତିଦ୍ବନ୍ଦ୍ବୀ

ମୁମ୍ବଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲ (ସିଏବି)ର ସଭାପତି ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ସଭାପତି ହେବାକୁ ଯାଉଛନ୍ତି। କାରଣ ସଭାପତି ପଦ ପାଇଁ ଗାଙ୍ଗୁଲି ଏକମାତ୍ର ବ୍ୟକ୍ତି ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଅକ୍ଟୋବର ୨୩ରେ ବିସିସିଆଇ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ଗାଙ୍ଗୁଲି ବିନା ପ୍ରତିଦ୍ବନ୍ଦ୍ବିତାରେ ସଭାପତି ନିର୍ବାଚିତ ହେବା ନିଶ୍ଚିତ। ସୋମବାର ମୁମ୍ବଇରେ ବିସିସିଆଇ ମୁଖ୍ୟାଳୟରେ ପହଞ୍ଚି ଗାଙ୍ଗୁଲି ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ବିସିସିଆଇର ପୂର୍ବତନ ସଭାପତି ଏନ୍. ଶ୍ରୀନିବାସନ୍, ପୂର୍ବତନ ସମ୍ପାଦକ ନିରଞ୍ଜନ ଶାହା ଓ ପୂର୍ବ ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା ମଧ୍ୟ ଯାଇଥିଲେ। ରବିବାର ମୁମ୍ବଇର ଟ୍ରାଇଡେଣ୍ଟ ହୋଟେଲରେ ବିସିସିଆଇର ସମସ୍ତ ଅନୁବନ୍ଧିତ ରାଜ୍ୟ ଆସୋସିଏସନ୍‌ ପ୍ରତିନିଧିଙ୍କ ବୈଠକରେ ବିନା ପ୍ରତିଦ୍ବନ୍ଦ୍ବିତାରେ ସମସ୍ତ କର୍ମକର୍ତ୍ତା ନିର୍ବାଚନ ଲାଗି ପ୍ରସ୍ତାବ ଗୃହୀତ ହୋଇଥିଲା। ତେଣୁ ସମସ୍ତ ୮ଟିଯାକ ପଦ ପାଇଁ ଜଣେ ଲେଖାଏଁ ପାର୍ଥିପତ୍ର ଦାଖଲ କରିଛନ୍ତି। ତେଣୁ ଏହି ୮ ଜଣ ବିନା ପ୍ରତିଦ୍ବନ୍ଦ୍ବିତାର ନିର୍ବାଚିତ ହେବା ନିଶ୍ଚିତ।

ସୋମବାର ପ୍ରାର୍ଥିପତ୍ର ଦାଖଲ କରିବାକୁ ଯାଉଛନ୍ତି (ବାମରୁ) ଜୟ ଶାହା; ବ୍ରିଜେଶ ପଟେଲ ଓ ଅରୁଣ  ସିଂହ  ଧୁମଲ

ଏନ୍​‌. ଶ୍ରୀନିବାସନ୍ ପ୍ରଥମେ କର୍ଣ୍ଣାଟକର ବ୍ରିଜେଶ ପଟେଲଙ୍କୁ ସଭାପତି କରାଇବାକୁ ଚାହିଁଥିଲେ। ତେବେ ରାତିରେ ନାଟକୀୟ ପରିବର୍ତ୍ତନ ହୋଇଥିଲା। ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ପ୍ରତିନିଧିମାନେ ଗାଙ୍ଗୁଲିଙ୍କୁ ସମର୍ଥନ ଦେଇଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ୪୭ ବର୍ଷ ବୟସ୍କ ସୌରଭ ଗାଙ୍ଗୁଲି ଭାରତ ପାଇଁ ୧୧୩ଟି ଟେଷ୍ଟ ଓ ୩୧୧ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ୨୦୦୦ରୁ ୨୦୦୫ ପର୍ଯ୍ୟନ୍ତ ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ଥିଲେ। ୨୦୦୮ରେ ଗାଙ୍ଗୁଲି କ୍ରିକେଟ୍‌ରୁ ଅବସର ନେଇଥିଲେ। ପରେ ସେ କିଛିବର୍ଷ ଆଇପିଏଲ୍‌ ଖେଳିଥିଲେ। ୨୦୧୫ରେ ଗାଙ୍ଗୁଲି ସିଏବିର ଯୁଗ୍ମସମ୍ପାଦକ ହୋଇଥିଲେ। ଜଗମୋହନ ଡାଲମିୟାଙ୍କ ମୃତ୍ୟୁ ପରେ ଗାଙ୍ଗୁଲି ସିଏବିର ସଭାପତି ଦାୟିତ୍ବ ନେଇଥିଲେ। ଗାଙ୍ଗୁଲି ସଭାପତି ଭାବେ ମାତ୍ର ୧୦ ମାସ ରହିପାରିବେ। ଲୋଧା କମିଟି ସୁପାରିସ ଅନୁସାରେ ତାଙ୍କୁ ୨୦୨୦ ଜୁଲାଇରେ ସ୍ଥାନ ରିକ୍ତ କରିବାକୁ ପଡ଼ିବ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଗୁଜରାଟର ଜୟ ଶାହା ସମ୍ପାଦକ ପଦ ପାଇଁ ଏକମାତ୍ର ବ୍ୟକ୍ତିଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପିତା ଅମିତ ଗୁଜରାଟ କ୍ରିକେଟ ଆସୋସିଏସନ୍‌ (ଜିସିଏ)ର ସଭାପତି ଥିବା ବେଳେ ଜୟ ଶାହା ଯୁଗ୍ମସମ୍ପାଦକ ଥିଲେ। ଅଗଷ୍ଟରେ ଅମିତ ଓ ଜୟ ଶାହା ଜିସିଏରୁ ଇସ୍ତଫା ଦେଇଥିଲେ। ଉଭୟେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍‌କୁ ବିଶ୍ବର ସର୍ବବୃହତ୍ କ୍ରିକେଟ ଷ୍ଟାଡିୟମ୍‌ରେ ପରିବର୍ତ୍ତନ କରିବାର ଉଦ୍ୟମ ଆରମ୍ଭ କରିଥିଲେ।
କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସଭାପତି ଅନୁରାଗ ଠାକୁରଙ୍କ ଭାଇ ଅରୁଣ ସିଂହ ଧୁମଲ ବୋର୍ଡର ନୂତନ କୋଷାଧ୍ୟକ୍ଷ ହେବେ। ଏକମାତ୍ର ପ୍ରାର୍ଥୀ ଭାବେ ଅରୁଣ ଧୁମଲ କୋଷାଧ୍ୟକ୍ଷ ନାମାଙ୍କନ ଦାଖଲ କରିଛନ୍ତି। ୧୦ ବର୍ଷ ରହିବା ପରେ ଅନୁରାଗ ଠାକୁର ହିମାଚଳ କ୍ରିକେଟ ଆସୋସିଏସନ୍‌ର ସଭାପତି ପଦରୁ ଇସ୍ତଫା ଦେଇଥିବା ବେଳେ ସାନଭାଇ ଅରୁଣ ଏହି ଦାୟିତ୍ବ ନେଇଥିଲେ।
କେରଳର ଜୟେଶ ଜର୍ଜ ବିସିସିଆଇର ଯୁଗ୍ମ ସମ୍ପାଦକ ଭାବେ ଏକମାତ୍ର ପ୍ରାର୍ଥୀ ରହିଛନ୍ତି। ଏର୍ନାକୁଲମ୍ ଜିଲା କ୍ରିକେଟ ଆସୋସିଏସନ୍‌ର ସଭାପତି ଥିବା ଜୟେଶ ଜର୍ଜ ପରେ କେରଳ କ୍ରିକେଟ ଆସୋସିଏସନ୍‌ର ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ସମ୍ପାଦକ ଭାବେ କାର୍ଯ୍ୟ କରିଛନ୍ତି। ଗତମାସରେ ଜୟେଶ ଜର୍ଜ କେରଳ କ୍ରିକେଟ ଆସୋସିଏସନ୍‌ର ସଭାପତି ନିର୍ବାଚିତ ହୋଇଥିଲେ।
ଉତ୍ତରାଖଣ୍ଡର ମହିମ୍ ବର୍ମା ବିସିସିଆଇ ଉପସଭାପତି ଭାବେ ନିର୍ବିରୋଧ ନିର୍ବାଚିତ ହେବେ। ମହିମ୍ ଏବେ ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏନ୍‌ର ସମ୍ପାଦକ ଅଛନ୍ତି ଏବଂ ସେ ଉପସଭାପତି ଭାବେ ଏକା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଛତିଶଗଡ଼ କ୍ରିକେଟ ଆସୋସିଏସନ୍‌ର ସଭାପତି ପ୍ରଭତେଜ ସିଂହ ଭାଟିଆ ଆପେକ୍ସ କାଉନ୍‌ସିଲ୍‌ର ସଦସ୍ୟ ଅଥବା କାଉନ୍‌ସିଲର ଭାବେ ଏକମାତ୍ର ପ୍ରାର୍ଥୀ ରହିଛନ୍ତି।
ପୂର୍ବତନ ଟେଷ୍ଟ କ୍ରିକେଟର କର୍ଣ୍ଣାଟକର ବ୍ରିଜେଶ ପଟେଲ ଓ ମିଜୋରାମ କ୍ରିକେଟ ଆସୋସିଏସନ୍‌ର ଏମ୍. ଖୈରୁଲ ଜମାଲ ମଜୁମଦାର ଆଇପିଏଲ୍‌ ଗଭର୍ଣ୍ଣିଂ କାଉନ୍‌ସିଲ ସଦସ୍ୟ ଭାବେ ସୋମବାର ନାମାଙ୍କନ ଦାଖଲ କରିଛନ୍ତି। ଆଇପିଏଲ୍‌ ଗଭର୍ଣ୍ଣିଂ କାଉନ୍‌ସିଲ ସଦସ୍ୟ ପାଇଁ ୨ଟି ପଦ ଥିବା ବେଳେ ଉଭୟ ପଟେଲ ଓ ମଜୁମଦାର ଏହି ୨ଟି ପଦରେ ନିର୍ବାଚିତ ହେବା ନିଶ୍ଚିତ। ବ୍ରିଜେଶ କର୍ଣ୍ଣାଟକ କ୍ରିକେଟ ଆସୋସିଏସନ୍‌ର ସମ୍ପାଦକ ରହିବା ସହ ଭାରତୀୟ ସିନିୟର ମନୋନୟନ କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ କାମ କରିଛନ୍ତି।

Comments are closed.