ବିସିସିଆଇ ନିର୍ବାଚନ: ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

୮ଟି କ୍ରିକେଟ ଆସୋସିଏସନ୍‌ ଏଜିଏମ୍‌ରୁ ବାସନ୍ଦ; ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥହେବେ

ନୂଆଦିଲ୍ଲୀ: ଚଳିତମାସ ୨୩ରେ ଭାରତୀୟ କ୍ରିକେଟ କର୍ଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟ ଅନୁମୋଦିତ ନୂତନ ସମ୍ବିଧାନ ଅନୁସାରେ ବିସିସିଆଇର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ବିସିସିଆଇର ନିର୍ବାଚନ ଅଧିକାରୀ ଏନ୍. ଗୋପାଳସ୍ବାମୀ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକାରେ ବିସିସିଆଇର ଅନୁବନ୍ଧିତ ୩୮ଟି ସଂଘ ମଧ୍ୟରୁ ୩୦ଟି ରାଜ୍ୟ କ୍ରିକେଟ ଆସୋସିଏସନ୍‌ଙ୍କ ପ୍ରତିନିଧିମାନଙ୍କ ନାମ ସ୍ଥାନପାଇଛି। ଏହି ୩୦ ଜଣ ପ୍ରତିନିଧି ବିସିସିଆଇ ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ଏବଂ ଭୋଟ ଦେଇପାରିବେ। ତେବେ ୮ଟି ଅନୁବନ୍ଧିତ କ୍ରିକେଟ ଆସୋସିଏସନ୍‌କୁ ଏଜିଏମ୍‌ ସହ ଭୋଟଦାନରୁ ବଞ୍ଚିତ କରିଛି ବିସିସିଆଇ ପ୍ରଶାସକ କମିଟି (ସିଓଏ)।
ବାସନ୍ଦ ହୋଇଥିବା ଅନୁବନ୍ଧିତ କ୍ରିକେଟ ଆସୋସିଏସନ୍‌ ହେଲେ ତାମିଲନାଡ଼ୁ, ହରିୟାଣା, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ମଣିପୁର, ରେଳବାଇ, ସର୍ଭିସେସ୍ ଓ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍‌ ୟୁନିଭର୍ସିଟିଜ୍। ଏମାନଙ୍କ ପ୍ରତିନିଧି ବିସିସିଆଇ ଏଜିଏମ୍‌ରେ ଯୋଗ ଦେଇପାରିବେ ନାହିଁ କିମ୍ବା ଭୋଟ୍‌ ମଧ୍ୟ ଦେଇପାରିବେ ନାହିଁ। ପ୍ରଥମ ୫ଟି ରାଜ୍ୟ କ୍ରିକେଟ ଆସୋସିଏସନ୍‌ ୨୦୧୮ ଅଗଷ୍ଟରେ ସୁପ୍ରିମକୋର୍ଟରେ ଅନୁମୋଦିତ ସମ୍ବିଧାନ ଅନୁସାରେ ନିଜର ସମ୍ବିଧାନ ପ୍ରସ୍ତୁତ କରିନଥିବାରୁ ସିଓଏ ସେମାନଙ୍କୁ ବାସନ୍ଦ କରିଛନ୍ତି। ପୁଣି ରେଳବାଇ, ସର୍ଭିସେସ୍ ଓ ୟୁନିଭର୍ସିଟିଜ୍ ପରି ୩ଟି ସରକାରୀ ସଂସ୍ଥା ଖେଳାଳି ସଂଘ ଗଠନ କରିନଥିବାରୁ ସେମାନଙ୍କୁ ମଧ୍ୟ ବାସନ୍ଦ କରାଯାଇଛି। ବାସନ୍ଦ ହୋଇଥିବା ଏହି ୮ଟି କ୍ରିକେଟ ଆସୋସିଏସନ୍‌ ଏହି ନିଷ୍ପତ୍ତି ବିପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ନିଶ୍ଚିତ। ଗୁରୁବାର ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ଥିବା ପ୍ରମୁଖ ନାମଙ୍କ ମଧ୍ୟରେ ରହିଛନ୍ତି କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲ୍‌ (ସିଏବି)ର ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି, ହାଇଦରାବାଦ କ୍ରିକେଟ ଆସୋସିଏସନ୍‌ର ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ ଓ ପୂର୍ବତନ ଟେଷ୍ଟ କ୍ରିକେଟର ବ୍ରିଜେଶ ପଟେଲ (କର୍ଣ୍ଣାଟକ) ପ୍ରଭୃତି। ଏମାନଙ୍କ ସହ ବିସିସିଆଇ କର୍ମକର୍ତ୍ତା ହେବା ପାଇଁ ଆଶାୟୀ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା (ଗୁଜରାଟ), ପ୍ରଣବ ଅମିନ୍ (ବରୋଦା), ରଜତ ଶର୍ମା (ଦିଲ୍ଲୀ), କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ସିଂହ ଧୁମଲ (ହିମାଚଳ ପ୍ରଦେଶ), ପୂର୍ବତନ ବିସିସିଆଇ ସମ୍ପାଦକ ନିରଞ୍ଜନ ଶାହାଙ୍କ ପୁଅ ଜୟଦେବ ଶାହା (ସୌରାଷ୍ଟ୍ର) ପ୍ରଭୃତି। ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ସମ୍ପାଦକ ସଞ୍ଜୟ ବେହେରାଙ୍କ ନାମ ଭୋଟର ତାଲିକାରେ ରହିଛି। ବିସିସିଆଇର ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ- ଏହିପରି ୫ଟି କର୍ମକର୍ତ୍ତାଙ୍କ ସହ ଆପେକ୍ସ କାଉନ୍‌ସିଲର ସଦସ୍ୟ ଓ ଆଇପିଏଲ୍‌ ଗଭର୍ଣ୍ଣିଂ କାଉନ୍‌ସିଲ ସଦସ୍ୟଙ୍କ ପାଇଁ ନିର୍ବାଚନ ୨୩ରେ ଅନୁଷ୍ଠିତ ହେବ।

Comments are closed.