ନୂଆ କ୍ରିକେଟ୍‍ ସଂଘ ନିମନ୍ତେ ନିୟମ କୋହଳ କରିପାରେ ବିସିସିଆଇ

0

ନୂଆଦିଲ୍ଲୀ : ଆଗାମୀ ଘରୋଇ ସିଜିନ୍‍ରେ ଖେଳିବାକୁ ଯାଉଥିବା ୯ଟି ନୂଆ ରାଜ୍ୟ କ୍ରିକେଟ୍‍ ସଂଘ ନିମନ୍ତେ ନିୟମରେ କିଛିଟା କୋହଳ କରିପାରେ ବିସିସିଆଇ। ସୂଚନାଥାଉକି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ୬ ଓ ଅନ୍ୟ ୩ଟି ନୂଆ ରାଜ୍ୟ କ୍ରିକେଟ୍‍ ସଂଘକୁ ବିସିସିଆଇ ସ୍ୱୀକୃତି ପ୍ରଦାନ କରିଛି। ନିୟମ ଅନୁଯାୟୀ ଯେଉଁ ଖେଳାଳି ଅତିକମ୍‍ରେ ୨୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‍ ଖେଳିଥିବେ ସେ ହିଁ ସେହି ରାଜ୍ୟର ମନୋନୟନକାରୀ ଭାବେ ନିଯୁକ୍ତି ପାଇପାରିବେ। ତେବେ ୬ଟି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଏପରି କୌଣସି ଖେଳାଳି ନ ଥିବାରୁ ନିୟମରେ ପରିବର୍ତ୍ତନ ଆଣିବାକୁ ବିସିସିଆଇ ଚିନ୍ତା କରୁଥିବା ଜଣାପଡ଼ିଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇର ଜେନେରାଲ୍‍ ମ୍ୟାନେଜର ସବା କରିମ୍‍ କହିଥିଲେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିୟମରେ ପରିବର୍ତ୍ତନ କରାଯିବାରେ କୌଣସି ଅସୁବିଧା ନାହିଁ। ଜଣେ କମ୍‍ ସଂଖ୍ୟକ ପ୍ରଥମ ଶ୍ରେଣୀ ମ୍ୟାଚ୍‍ ଖେଳିଥିଲେ ସେ ଭଲ ମନୋନୟନକାରୀ ହୋଇପାରିବେ ନାହିଁ ବୋଲି କୁହାଯାଇ ପାରିବ ନାହିଁ। ବିଜୟ ହଜାରେ ଟ୍ରଫି ଆସନ୍ତା ୧୯ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ ନିମନ୍ତେ ନୂଆ କ୍ରିକେଟ୍‍ ସଂଘଗୁଡ଼ିକୁ ପ୍ରସ୍ତୁତ କରିବାକୁ ବିସିସିଆଇ ତରଫରୁ ଆବଶ୍ୟକ ସହାୟତା ପ୍ରଦାନ କରାଯାଉଥିବା କରିମ୍‍ ସୂଚନା ଦେଇଛନ୍ତି। ପ୍ରତି ନୂଆ କ୍ରିକେଟ୍‍ ସଂଘକୁ ୪ଜଣ ଲେଖାଏଁ ପ୍ରଶାସନିକ ଅଧିକାରୀ ଓ ଗ୍ରାଉଣ୍ଡ ଷ୍ଟାଫ୍‍, ୬ଜଣ ଲେଖାଏଁ ପ୍ରଶିକ୍ଷକ, ଫିଜିଓ ଓ ଟ୍ରେନ୍‍ର ଯୋଗାଇ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।

Leave A Reply