ଇଂଲଣ୍ଡ ଗସ୍ତ ପାଇଁ ବିସିସିଆଇର ଯୋଜନା

ନୂଆଦିଲ୍ଲୀ: ଚଳିତମାସ ଶେଷରେ ଭାରତୀୟ କ୍ରିକେଟ୍‌ ଦଳ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଦଳ ପାଇଁ ଗସ୍ତ କାର୍ଯ୍ୟକ୍ରମ ବିସିସିଆଇ ପ୍ରସ୍ତୁତ କରିଛି। ଇଂଲଣ୍ଡରେ ଜୁନ୍‌ ୧୮ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ଫାଇନାଲ ଖେଳିବ। କୋଭିଡ୍‌ ପରିସ୍ଥିତିକୁ ଦେଖି ବିସିସିଆଇ ଏହି ଯୋଜନା କରିଛି ଯେ ମେ’ ୨୫ରୁ ଇଂଲଣ୍ଡ ଗସ୍ତରେ ଯିବାର ଥିବା ଭାରତୀୟ ଖେଳାଳି ଓ ଅଣଖେଳାଳିଙ୍କ ପାଇଁ ଭାରତରେ ହିଁ ଏକ ଜୈବ ନିରାପତ୍ତା ବଳୟ ତିଆରିହେବ। ଏଥିରେ ୮ ଦିନ ଧରି ଖେଳାଳି ଓ ସପୋର୍ଟ ଷ୍ଟାଫ୍ ରହିବେ। ଜୁନ୍‌ ୨ରେ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଯିବେ।

ସେଠାରେ ଭାରତୀୟ ଦଳ ୧୦ ଦିନ ସଂଗରୋଧରେ ରହିବେ। ହେଲେ ଜୈବ ନିରାପତ୍ତା ବଳୟରୁ ଆସିଥିବାରୁ ସେମାନଙ୍କୁ ଅଭ୍ୟାସର ଅନୁମତି ମିଳିବ। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ପରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବ। ୫ମ ଟେଷ୍ଟମ୍ୟାଚ୍‌ ସେପ୍ଟେମ୍ବର ୧୪ରେ ଶେଷହେବ। ଏଥିରୁ ସ୍ପଷ୍ଟ ଯେ ପାଖାପାଖି ସାଢ଼େ ୩ ମାସ ଭାରତୀୟ ଦଳ ଇଂଲଣ୍ଡରେ ରହିବ। ତେଣୁ ଖେଳାଳିଙ୍କୁ ସାଙ୍ଗରେ ତାଙ୍କ ପରିବାର ସଦସ୍ୟଙ୍କୁ ନେବାର ଅନୁମତି ଦିଆଯାଇଛି।

Comments are closed.