ଜୈବ ନିରାପତ୍ତା ବଳୟ ନିୟମ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ : ବିସିସିଆଇ

ନୂଆଦିଲ୍ଲୀ : କରୋନା ସଂକ୍ରମଣକାଳରେ ଜୈବ ନିରାପତ୍ତା ବଳୟ ସୃଷ୍ଟି କରାଯାଇ ୟୁଏଇରେ ଆଇପିଏଲ୍‌ର ଚଳିତ ସଂସ୍କରଣ ଆୟୋଜିତ ହେଉଛି। ଏହି ଜୈବ ନିରାପତ୍ତା ବଳୟ ନିୟମକୁ ଯେଉଁ କ୍ରିକେଟର୍‌, ଦଳୀୟ ପଦାଧିକାରୀ କିମ୍ବା ସେମାନଙ୍କ ପରିବାର ସଦସ୍ୟ ଭଙ୍ଗ କରନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିସିସିଆଇ ତରଫରୁ ୮ଟି ଯାକ ଫ୍ରାଞ୍ଚାଇଜିକୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି।
ବିସିସିଆଇ ତରଫରୁ ପ୍ରଦାନ କରାଯାଇଥିବା ପତ୍ର ଅନୁଯାୟୀ ଯଦି କୌଣସି କ୍ରିକେଟର୍‌ ଜୈବ ନିରାପତ୍ତା ବଳୟ ବାହାରକୁ ବାହାରିବେ ତେବେ ତାଙ୍କୁ ୬ଦିନ ସଙ୍ଗରୋଧରେ ରହିବାକୁ ପଡ଼ିବ। ଯଦି ସଂପୃକ୍ତ କ୍ରିକେଟର୍‌ ଦ୍ବିତୀୟଥର ସମାନ ଭୁଲ୍‌ କରନ୍ତି ତେବେ ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯିବ। ଯଦି ତୃତୀୟଥର ପାଇଁ ସେ ସେହି ଭୁଲ୍‌ କରନ୍ତି ତେବେ ତାଙ୍କୁ ଆଇପିଏଲ୍‌ରୁ ବାଦ୍ ଦିଆଯିବ ଓ ତାଙ୍କ ସ୍ଥାନରେ କୌଣସି ବଦଳ ଖେଳାଳିଙ୍କୁ ସାମିଲ କରିବାକୁ ସଂପୃକ୍ତ ଦଳକୁ ଅନୁମତି ମିଳିବ ନାହିଁ।
ସେହିପରି ଯେଉଁ କ୍ରିକେଟର୍‌ ଦୈନିକ ସ୍ବାସ୍ଥ୍ୟ ରିପୋର୍ଟ ପ୍ରଦାନ ନ କରିବେ, ଜିିପିଏସ୍‌ ଟ୍ରାକ୍‌ର ବ୍ୟବହାର ନ କରିବେ ଓ କୋଭିଡ୍ ପରୀକ୍ଷା ନ ଦେବେ ତାଙ୍କୁ ୬୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିପାରେ। ଯଦି କୌଣସି ଫ୍ରାଞ୍ଚାଇଜି ଜୈବ ନିରାପତ୍ତା ବଳୟକୁ ପ୍ରବେଶ ପାଇଁ କୌଣସି ବ୍ୟକ୍ତିଙ୍କୁ ସୁଯୋଗ ଦିଅନ୍ତି ତେବେ ସଂପୃକ୍ତ ଫ୍ରାଞ୍ଚାଇଜିକୁ ୧ କୋଟି ଟଙ୍କା ଅର୍ଥଦଣ୍ଡ ଦେବାକୁ ପଡ଼ିବ। ଯଦି କୌଣସି ଦଳ ଜୈବ ନିରାପତ୍ତା ବଳୟ ନିୟମ ସହ କୋଭିଡ୍‌ ନିୟମ ଭଙ୍ଗ କରନ୍ତି ତେବେ ଏହା ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିସିସିଆଇ ତରଫରୁ ସ୍ପଷ୍ଟ କରି ଦିଆଯାଇଛି।

Comments are closed.