ସୋସାଇଟି ପଞ୍ଜୀକରଣ ଆଇନ ସଂଶୋଧନ ନିଷ୍ପତ୍ତିକୁ ନେଇ ତେଜୁଛି ଅସନ୍ତୋଷ

ଆଇନ ବିଭାଗ ତର୍ଜମା ପରେ ନାଗରିକ ସଙ୍ଗଠନ ସହ ବିଚାରବିମର୍ଶ କରାଯିବ: ସଚିବ

ଭୁବନେଶ୍ବର : ସମବାୟ ସମିତିଗୁଡ଼ିକର କାର୍ଯ୍ୟଧାରା ନିୟନ୍ତ୍ରଣ ପାଇଁ ସମବାୟ ପଞ୍ଜୀକରଣ ଆଇନ ୧୮୬୦ର ସଂଶୋଧନ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି। ଗୋଟିଏ ପଟେ ସୁପ୍ରିମକୋର୍ଟ ସ୍ବେଚ୍ଛାସେବୀ ସଙ୍ଗଠନର କାର୍ଯ୍ୟକୁ ପ୍ରଶଂସା କରୁଥିବାବେଳେ ଏବେ ରାଜ୍ୟ ସରକାରଙ୍କର ଏଭଳି କଟକଣାକୁ ନେଇ ନାଗରିକ ସମାଜ ଓ ବିଭିନ୍ନ ଏନଜିଓ ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି। ଏହା ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଉଦ୍ଦିଷ୍ଟ ନା ସମାଜ​‌େ​‌ସବା କ୍ଷେତ୍ରରେ ହସ୍ତକ୍ଷେପ ସେଥିନେଇ ଅନେକ ପ୍ରଶ୍ନ କରିଛନ୍ତି।
କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ପ୍ରତି ୫ବର୍ଷରେ ସମବାୟ ସଂସ୍ଥାଗୁଡ଼ିକୁ ନବୀକରଣ ପାଇଁ ଫି ଦେବାକୁ ପଡ଼ିବ। ଏହାର କାର୍ଯ୍ୟାବଳୀ ତଥ୍ୟ, ଆୟବ୍ୟୟର ହିସାବ ଦେବାକୁ ପଡ଼ିବ। ସଂଶୋଧନ ବଳରେ ରାଜ୍ୟ ଓ ଜିଲା ସ୍ତରରେ ସରକାର ଏନଜିଓଗୁଡ଼ିକୁ ନିୟନ୍ତ୍ରଣରେ ରଖିବେ। ଆୟବ୍ୟୟର ବାର୍ଷିକ ଅଡ଼ିଟ ରିପୋର୍ଟ ରେଜିଷ୍ଟ୍ରାରଙ୍କୁ ଦେବାକୁ ପଡ଼ିବ। ସୋସାଇଟି ବିବାଦର ସମାଧାନ ସିନିୟର ସିଭିଲ ଜଜଙ୍କ ମାଧ୍ୟମରେ କରାଯିବ। ଏହାଛଡ଼ା ଯେଉଁ ସୋସାଇଟି ବା ଏନଜିଓ ନବୀକରଣ ପାଇଁ ଧାର୍ଯ୍ୟ ସମୟର ୬ମାସ ଭିତରେ ନବୀକରଣ କରି ନପାରିବେ ସେମାନଙ୍କ ସଂସ୍ଥାକୁ ଅଣପଞ୍ଜିକୃତ ସଂସ୍ଥା ଭାବେ ଘୋଷଣା କରାଯିବ। କ୍ୟାବିନେଟର ଏହି ନିଷ୍ପତ୍ତି ବିଧାନସଭାରେ ଗୃହୀତ ହେବା ପରେ ଆଇନରେ ପରିଣତ ହେବ ଏବଂ କଡ଼ାକଡ଼ି ଲାଗୁ ହେବ। କ୍ୟାବିନେଟ ନିଷ୍ପତ୍ତି ପରେ ଏଥିପାଇଁ ପ୍ରସ୍ତୁତି ଚାଲିଛି।

ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ବିରୋଧ କରିଛନ୍ତି। ସେମାନଙ୍କ ଯୁକ୍ତି ହେଉଛି ରାଜ୍ୟରେ ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସହାୟତାର ହାତ ବଢ଼ାଉଛନ୍ତି। ସେମାନଙ୍କ ବିନା ସହାୟତାରେ ଅଧିକାଂଶ ଯାଜନା କାର୍ଯ୍ୟକାରୀ ହେବା କଷ୍ଟକର। ଏପରିକି କୋଭିଡ଼ ଭଳି ମହାମାରୀ ସଂକ୍ରମଣ ସମୟରେ ପ୍ରବାସୀ ଓଡ଼ିଶାକୁ ଫେରୁଥିବାବେଳେ ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକ ସେମାନଙ୍କୁ ରିଲିଫଠାରୁ ଆରମ୍ଭ କରି ବିଭିନ୍ନ ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଭଳି ସ୍ଥିତିରେ ସ୍ବେଚ୍ଛାସେବୀ ସଂସ୍ଥାଗୁଡ଼ିକ ଉପରେ ହଠାତ ଏ ପ୍ରକାର ଅଙ୍କୁଶକୁ ନେଇ ବିଭିନ୍ନ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି।

ଏଠାରେ ସୂଚନା ଦିଆଯାଇପାରେ ଯେ ଭାରତୀୟ ଟ୍ରଷ୍ଟ ଆଇନ ୧୮୮୨ ଅନୁସାରେ ଜଣେ ନାଗରିକର ଆସୋସିଏସନ ଗଢ଼ିବା କିମ୍ବା କମ୍ପାନୀ ପଞ୍ଜୀକରଣ ଆଇନ ୧୯୫୬ ଅନୁସାରେ ନନପ୍ରଫିଟ କମ୍ପାନୀ ଗଢ଼ିବାର ଅଧିକାର ଅଛି।
ସୋସାଇଟି ପଞ୍ଜୀକରଣ ଆଇନ ୧୮୬୦ କନକରେଣ୍ଟ ତାଲିକାରେ ରହିଛି ଯେଉଁଠି ଆଇନ ଅନୁସାରେ କଲ୍ୟାଣ କାର୍ଯ୍ୟ ପାଇଁ ସୋସାଇଟି ଗଠନ କରାଯାଇପାରିବ। ଜିଲା ମାଜିଷ୍ଟ୍ରେଟ/ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ କ୍ଷମତାପ୍ରାପ୍ତ ଅତିରିକ୍ତ ରେଜିଷ୍ଟ୍ରାର ଅଫ ସୋସାଇଟିରେ କିମ୍ବା ଇନ୍ସପେକ୍ଟର ଜେନେରାଲ ଅଫ ରେଜିଷ୍ଟ୍ରେସନରେ ସୋସାଇଟି ପଞ୍ଜୀକରଣ କରାଯାଇପାରିବ। ଏହି ଆଇନ ବଳରେ ପଞ୍ଜିକୃତ ପ୍ରତି ସୋସାଇଟି ବାର୍ଷିକ ଭିତ୍ତିରେ ସେମାନଙ୍କ ରିପୋର୍ଟ, ପଦାଧିକାରୀ ଓ ଆର୍ଥିକ ବିଷୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଗୋଟିଏ ସୋସାଇଟି/କମ୍ପାନୀ ଟ୍ରଷ୍ଟ ବିଦେଶ ବା ଆନ୍ତର୍ଜାତିକ ଉତ୍ସରୁ ସହାୟତା ପାଇବାକୁ ଚାହୁଁଥିଲେ ଏହାକୁ ଫ​‌​‌ରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ-୨୦୧୦) ଅନୁସାରେ ଗୃହ ମନ୍ତ୍ରାଳୟ ଅଧୀନରେ ପଞ୍ଜିକୃତ କରିବାକୁ ପଡ଼ିବ ଏବଂ ଏହାର ଅଡ଼ିଟ ନିୟମିତ ବ୍ୟବଧାନରେ ଅନଲାଇନରେ କରାଯିବାର ବ୍ୟବସ୍ଥା ରହିଛି। ତେଣୁ ଯଦି କୌଣସି ସଂସ୍ଥା ଅନୁଦାନ ଆଣୁଛି ତାହା ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଦ୍ବାରା ନିୟମିତ ଅଡ଼ିଟ ହେଉଛି। ତେଣୁ ଓଡ଼ିଶା ସରକାର ପ୍ରତି ୫ବର୍ଷରେ ନବୀକରଣ ପାଇଁ କ୍ୟାବିନେଟରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଦ୍ବାରା କେବଳ ସ୍ବେଚ୍ଛାସେବୀ ସଙ୍ଗଠନ ନୁହନ୍ତି, ସରକାରଙ୍କ ଦ୍ବାରା ଗଠିତ ଡ଼ିଆରଡ଼ିଏ, ଆଇଟିଡ଼ିଏ ଏବଂ ସ୍ବୟଂଚାଳିତ ସଂସ୍ଥା ମଧ୍ୟ ପ୍ରଭାବିତ ହେବେ। ଗୁଡ଼ାଏ ଅଯଥା ଫାଇଲ ଚାଷ ସହିତ ପ୍ରଶାସନିକ କଳ ଉପରେ ଅସମ୍ଭବ ଚାପ ପଡ଼ିବ।

ସ୍ବେଚ୍ଛାସେବୀ ସଂସ୍ଥାଗୁଡ଼ିକ ପାଇଁ ଥିବା ୨୦୦୭ ଜାତୀୟ ନୀତି ସ୍ପଷ୍ଟ ଭାବେ ସ୍ବାଧୀନ ସ୍ବୟଂଚାଳିତ ସଂସ୍ଥା କାର୍ଯ୍ୟ ପରିଚାଳନା ସପକ୍ଷରେ ମତ ରଖିଛି। ତେଣୁ ପ୍ରତି ୫ବର୍ଷରେ ନବୀକରଣ ଜରିଆରେ ଏସବୁ ସଂସ୍ଥାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଯେଉଁ ଯୋଜନା ସରକାର କରିବାକୁ ଯାଉଛନ୍ତି ତାହା ପ୍ରଶାସନିକ ସ୍ତରରେ କେବଳ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବନି ସମାଜ ସେବା କ୍ଷେତ୍ର ବାଧାପ୍ରାପ୍ତ ହେବା ସହିତ ସାମାଜିକ ବିକାଶ କ୍ଷେତ୍ରରେ ଅଗ୍ରଭାଗରେ ରହିଥିବା ସଂସ୍ଥାଗୁଡ଼ିକ ମନବଳ ଭାଙ୍ଗି ଯିବ ବୋଲି ମତ ପ୍ରକାଶ ପାଉଛି।

ତେବେ ଏ ସଂକ୍ରାନ୍ତରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ ଏ ବିଷୟରେ କ୍ୟାବିନେଟରେ ଯେଉଁ ନିଷ୍ପତ୍ତି ନିଆଯାଇଛି ସେ ବିଷୟରେ ଆଇନ ବିଭାଗରେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯିବ। ବିଧାନସଭାରେ ଗୃହୀତ ହେବା ପୂର୍ବରୁ ଏ ସଂକ୍ରାନ୍ତରେ ବିଭିନ୍ନ ସୋସାଇଟି ତଥା ସ୍ବେଚ୍ଛାସେବୀ ସଙ୍ଗଠନ ଓ ନାଗରିକ ସମାଜ ସହିତ ବିଚାର ବିମର୍ଶ କରାଯିବ। ତେବେ ତରବରିଆ ଭାବେ କିଛି ହୋଇନାହିଁ ବହୁ ଦିନ ଧରି ଏ ସଂକ୍ରାନ୍ତରେ ଥିବା ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯାଇଛି।

ପଞ୍ଜୀକରଣ ନବୀକରଣର ଆବଶ୍ୟକତା ନାହିଁ
ଥରେ ପଞ୍ଜୀକରଣ ହେବା ପରେ ଆଉ ଥରେ ନବୀକରଣର କୌଣସି ଆବଶ୍ୟକତା ନାହିଁ, ଏହା ଯୁକ୍ତିଯୁକ୍ତ ନୁହେଁ। କାରଣ ପ୍ରତି ଏନଜିଓ ସଂସ୍ଥାମାନେ ପ୍ରତିବର୍ଷ ସରକାରଙ୍କୁ ​​‌ସେମାନଙ୍କ ରିପୋର୍ଟ ଦେଉଛନ୍ତି। ​ପୁଣି ଥରେ ନବୀକରଣ ପଞ୍ଜୀକରଣ ଦ୍ବାରା ଅଯଥା କାମ ବଢ଼ାଇବା କଥା। ଯେଉଁ ଏନଜିଓ ଭଲ କାମ ନକରୁଛନ୍ତି ସେମାନଙ୍କୁ ସରକାର ରିପୋର୍ଟ ମାଗନ୍ତୁ, ଦଣ୍ଡବିଧାନ ବ୍ୟବସ୍ଥା କରାଯାଉ, କିନ୍ତୁ ସମସ୍ତଙ୍କ ଉପରେ କଟକଣା ଲାଗୁ କରାଯିବା ଠିକ ନୁହେଁ। ନୂଆ ସଂସ୍ଥାକୁ ପଞ୍ଜୀକରଣ କରାଯାଉ, କିନ୍ତୁ ସମସ୍ତଙ୍କୁ ପୁନର୍ବାର ପଞ୍ଜୀକରଣ ପାଇଁ କହିବା ଉଚିତ ନୁହେଁ।
-ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ
ଲକ୍ଷ୍ୟ ପୂରଣରେ ସଫଳ ହେବନି
ରାଜ୍ୟ ସରକାର ସମବାୟ ପଞ୍ଜୀକରଣ ସଂଶୋଧନ ପାଇଁ ଯେଉଁ ଆଇନ ଆଣିବାକୁ ଯାଉଛନ୍ତି ତାହା ନିଷ୍ଫଳ ପ୍ରୟାସ। ଏହାଦ୍ବାରା ରାଜ୍ୟ ସରକାରଙ୍କ ଅଧୀନରେ ପଞ୍ଜିକୃତ ସଂସ୍ଥା ଏଠାରେ ନବୀକରଣ ନକରି ଭାରତ ସରକାରଙ୍କ ଅଧୀନରେ ପଞ୍ଜିକୃତ କରିପାରିବେ। ଯେଉଁ ସଂସ୍ଥାମାନେ ସରକାରଙ୍କଠାରୁ ପାଣ୍ଠି ନେଉଛନ୍ତି ସେମାନଙ୍କ ଉପରେ ସରକାର ନିୟନ୍ତ୍ରଣ କରିପାରିବେ, କିନ୍ତୁ ସମସ୍ତଙ୍କ ଉପରେ ନିୟନ୍ତ୍ରଣ ପାଇଁ ଏ ପ୍ରକାର ସଂଶୋଧନ ଲକ୍ଷ୍ୟ ପୂରଣରେ ସଫଳ ହେବ ନାହିଁ। ଯଦି ସରକାର ଏଭଳି ବ୍ୟବସ୍ଥା କରନ୍ତି ତେବେ ଜଣେ ସୋସାଇଟିରେ ପଞ୍ଜିକୃତ ନକରି ଟ୍ରଷ୍ଟ କରିଦେଇପାରିବ। ସେଇ ସବୁ ସଂସ୍ଥାକୁ ସରକାର ନିୟନ୍ତ୍ରଣକୁ ଆଣନ୍ତୁ ଯାହା ସରକାରଙ୍କ ପାଣ୍ଠିରେ ପରିଚାଳିତ। ସେଠାରେ ସରକାରଙ୍କ ସମ୍ପୂର୍ଣ୍ଣ କ୍ଷମତା ରହିଛି। ମାତ୍ର ଘରୋଇ ପାଣ୍ଠିରେ ଲୋକଙ୍କ ସେବା ଯୋଗାଉଥିବା ଏନଜିଓକୁ ଅଯଥାରେ ହସ୍ତ​‌େକ୍ଷ‌ପ କରିବା ଦ୍ବାରା ଲୋକଙ୍କ ସେବାକାର୍ଯ୍ୟ ବ୍ୟାହତ ହେବ। ଏହାଛଡ଼ା ବହୁ ଛୋଟ ଛୋଟ ଜିଲା ଓ ଗ୍ରାମାଞ୍ଚଳର ଏନଜିଓ ତିଷ୍ଠିପାରିବେ ନାହିଁ। ତୃଣମୂଳ ସ୍ତରରେ ସ୍ବେଚ୍ଛାସେବା ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଅନ୍ୟପକ୍ଷରେ ସହରାଞ୍ଚଳରେ ତଥାକଥିତ ଏନଜିଓ ରହିଯିବେ ଏବଂ ସେବା ବିଷୟଟି ପଛରେ ପଡ଼ିଯିବ।
-ମନୋଜ ଫୋଗଲ,ଟ୍ୟାକ୍ସ କନସଲଟାଣ୍ଟ, ଲିଗାଲ ଏକ୍ସପର୍ଟ,
ସ୍ବେଚ୍ଛାସେବୀ ସଂସ୍ଥା ଆଇନ ବିଶେଷଜ୍ଞ

ଅଧିକ ଚର୍ଚ୍ଚାର ଆବଶ୍ୟକତା ଥିଲା
ଏବେ କୋଭିଡ଼ ମୁକାବିଲାରେ ପ୍ରଶାସନ ଭାରାକ୍ରାନ୍ତ। ଏବେ ସମବାୟ ପଞ୍ଜୀକରଣ ପାଇଁ ଅତିରିକ୍ତ ମାନବସମ୍ବଳ ସରକାର। ଏ ବ୍ୟବସ୍ଥା ଜିଲା ପ୍ରଶାସନ ଉପ​‌େ​‌ର ଚାପ ପକାଇବ। ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଏ ବିଷୟରେ ସିଭିଲ ସୋସାଇଟି ସହ ଚର୍ଚ୍ଚା କରିଥିଲେ ଭଲ ହୋଇଥାନ୍ତା। ନାଗରିକ ସମାଜ ପାଇଁ ଏହା କିଭଳି ବ୍ୟବସ୍ଥିତ ହୋଇପାରିବ ସେ ବିଷୟରେ ବହୁ ଚମତ୍କାର ପ୍ରସ୍ତାବ ଆସିଥାନ୍ତା। ପଞ୍ଜୀକରଣର ବହୁ ଆଇନ ଅଛି। ରାଜ୍ୟ ସରକାର ଏହି ଆଇନ ଆଣିବା ଦ୍ବାରା ବି​‌େ​‌ଶଷ କିଛି ଲାଭ ହେବ ନାହିଁ। ବହୁ କମ୍ପାନୀ, ଟ୍ରଷ୍ଟ ଭାରତ ସରକାରଙ୍କ ଅଧୀନରେ ଥିବା ପଞ୍ଜୀକରଣ ବ୍ୟବସ୍ଥା ଆପଣାଇ ପାରନ୍ତି। ଏହାଦ୍ବାରା ବହୁ ସରକାରୀ ସଂସ୍ଥା ଯେମିତିକି ଆଇଟିଡ଼ିଏ ଡ଼ିଆରଡ଼ିଏ ଭଳି ପଞ୍ଜିକୃତ ସଂସ୍ଥାକୁ ୫ବର୍ଷରେ ନବୀକରଣ କରିବାକୁ ହେବ। ଏହାଦ୍ବାରା ପ୍ରଶାସନିକ କଳ ଉପରେ କେତେ ଚାପ ପଡ଼ିବ ତାହା ଚିନ୍ତା କରିବା କଥା।
-ଜଗଦାନନ୍ଦ,ପୂର୍ବତନ ରାଜ୍ୟ ସୂଚନା କମିଶନର

 

 

 

Comments are closed.