ରୋଗିଣା ପତ୍ନୀ, ଝିଅ ପାଇଁ ବଦଳିଲା ପେସା

ଚନ୍ଦ୍ରଶେଖରପୁର : ଘରେ ରୋଗିଣା ପତ୍ନୀ, ୧୨ ବର୍ଷର ଝିଅ ଯାହାର ଗୋଟିଏ କିଡ୍‌ନୀ। ଦୁଃଖର ପାହାଡ଼ ତଳେ ଚାପି ହୋଇଯାଇଛି ଅଟୋ ଚାଳକ ଶରତ ମଲ୍ଲିକଙ୍କ ସଂସାର। ସକାଳୁ ରାତି ପର୍ଯ୍ୟନ୍ତ ଅଟୋ ଚଳାଇ ଯାହା ରୋଜଗାର କରନ୍ତି ସେଥିରେ ସଂସାର ଚଳେ କଷ୍ଟେମଷ୍ଟେ ଚଳିଯାଉଥିଲା। ହେଲେ ଶରତଙ୍କ ଜୀବନ ଆକାଶରେ କଳାବାଦଲ ଘୋଟି ଯାଇଛି। କରୋନା କଟକଣା ଆଣିଦେଇଛି ଦାରୁଣ ଦୁଃଖ । ଦୀର୍ଘଦିନ ହେଲା ପତ୍ନୀ ଉର୍ମିଳା ବିଭିନ୍ନ ରୋଗରେ ଘାଣ୍ଟି ହେଉଥିବାବେଳେ ଔଷଧ ଦେବାକୁ ସମ୍ବଳ ନାହିଁ। ଝିଅ ମଧୁସ୍ମିତାର ଦେହ ଅସୁସ୍ଥ ହେଉଥିବାରୁ ତାକୁ ମଧ୍ୟ ଉପଯୁକ୍ତ ଚିକିତ୍ସା ଯୋଗାଇ ପାରୁ ନାହାନ୍ତି।

ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍‍ ବଳରାମପ୍ରସାଦ ଗ୍ରାମର ଶରତ ଦୀର୍ଘ ଦିନ ଧରି ଚନ୍ଦ୍ରଶେଖରପୁର ଥାନା ଅଧୀନ ଅରବିନ୍ଦନଗର ବସ୍ତିରେ ରହି ଅଟୋ ଚଳାଇ ବହୁ କଷ୍ଟରେ ପରିବାର ପୋଷଣ କରନ୍ତି। ଏବେ ତାଲାବନ୍ଦ ତାଙ୍କୁ କେବଳ ପ୍ରଭାବିତ କରିନି ପୂରା ପରିବାରର ମେରୁଦଣ୍ଡ ଦୋହଲାଇ ଦେଇଛି। ସରକାରଙ୍କ ପକ୍ଷରୁ ଯାହାକିଛି ସହାୟତା ମିଳିଛି ତାହା ସମୁଦ୍ରକୁ ଶଙ୍ଖେ ା ରୋଗିଣା ସଂସାରକୁ ଚଳାଇବା ଶରତଙ୍କ ପକ୍ଷେ କଷ୍ଟ ହେବାରୁ ବାଧ୍ୟହୋଇ ପାଖ ପଡ଼ୋଶୀଙ୍କଠାରୁ ଧାର କରଜ କରି କିଛି ଅର୍ଥ ସଂଗ୍ରହ କରିଥିଲେ।

ରୋଗିଣା ସ୍ତ୍ରୀ ଏବଂ ଝିଅର ଚିକିତ୍ସା ପାଇଁ ଶେଷରେ ଶରତ ନିଜର ପେସା ବଦଳାଇ ଘର ମୁହଁରେ ଛୋଟ ଟେବୁଲଟିଏ ପକାଇ ଦୋକାନଟିଏ ଆରମ୍ଭ କରିଛନ୍ତି । ଯାହା କିଛି ଅର୍ଥ ରୋଜଗାର ହେଉଛି ସେଥିରୁ ପରିବାର ଚଳାଇବା କଷ୍ଟ ହେଉଛି। କେବଳ ଭଗବାନ ହିଁ ଭରସା ବୋଲି କୋହଭରା କଣ୍ଠରେ କହିଛନ୍ତି ଶରତ।

Comments are closed.