ଦିଶାହୀନ ଡ୍ରେନେଜ୍‌ ବିଭାଗ ; ବୁଡ଼ିବ ରାଜଧାନୀ !

ଟଙ୍କା ଆସିଲା, ଖର୍ଚ୍ଚ ହୋଇପାରିଲାନି

ଭୁବନେଶ୍ୱର : ଅସରାଏ ବର୍ଷାରେ ଉବୁଟୁବୁ ହେଉଛି ସ୍ମାର୍ଟସିଟି। ଭାସୁଛି ଯାନ, ଜଳବନ୍ଦୀରେ ରହୁଛନ୍ତି ଜନ। ୨୦୧୯ରେ ଜଳବନ୍ଦୀ ସମସ୍ୟା ଦୂର ପାଇଁ ମୁଖ୍ୟମନ୍ତ୍ରୀ ୧୦୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍‍ ଘୋଷଣା କରିଥିଲେ। ମାଷ୍ଟରପ୍ଲାନ୍‍ ପ୍ରସ୍ତୁତି କରି ଜଳବନ୍ଦୀ ସ୍ଥିତି ସୁଧାରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦେଶ ଦେଇଥିଲେ। ପ୍ଲାନ୍‍ ପ୍ରସ୍ତୁତି ସରିଲା, ଟଙ୍କା ମଧ୍ୟ ମଞ୍ଜୁର ହେଲା। ଗୃହ ଓ ନଗର ଉନ୍ନୟନ ବିଭାଗ ବିଏମ୍‍ସିକୁ କାମ କରିବାକୁ ସବୁଜ ସଙ୍କେତ ଦେଲା। ୧୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜଳବନ୍ଦୀ ସମସ୍ୟା ପାଇଁ ବିଏମ୍‍ସିକୁ ମିଳିଲା, କିନ୍ତୁ କାମ ଯଥା ସମୟରେ ଆରମ୍ଭ ହେଲାନି। ମୌସୁମୀ ଓଡ଼ିଶା ମୁହାଁ ହେଲାଣି। ବର୍ଷାରେ ପୁଣି ରାଜଧାନୀ ଡୁବିଲେ ବିଏମ୍‍ସି ଘେରିବେ ବୋଲି ଚେତାବନୀ ଦେଇଛନ୍ତି ବାସିନ୍ଦା ଓ ବିଭିନ୍ନ ସଂଗଠନ।
ମୌସୁମୀ ମୁଣ୍ଡ ଉପରେ ଥିବାବେଳେ ପ୍ରମୁଖ ନାଳ ସଫା ନହେବା, ଡ୍ରେନ୍‍ ନିର୍ମାଣ ଏବଂ ମରାମତି କାମ ନସରିବା ଏବଂ ପଙ୍କ ଉଦ୍ଧାର ଶେଷ ନ ହେବା ବିଏମ୍‍ସି ଜଳ ନିଷ୍କାସନ ବିଭାଗର ପାରିଲାପଣିଆକୁ ପଦାରେ ପକାଇ ଦେଇଛି। ନୂଆପଲ୍ଲୀ ବେହେରାସାହି, ଭୋଇସାହି, ଖଣ୍ଡଗିରି ବାରି, ମେ’ ଫେୟାର ନିକଟସ୍ଥ ଅଞ୍ଚଳ, ଲକ୍ଷ୍ମୀ ସାଗର ଚମ୍ପାପୋଖରୀ ଅଞ୍ଚଳ, ଝାରପଡ଼ା ଶାନ୍ତିନଗର, ମଲ୍ଲିକ କଂପ୍ଲେକ୍ସ, ଗୌରୀ ଗାର୍ଡେନ, ପାଇକ ନଗର ଆଦି ୩୭ଟି ଅଞ୍ଚଳକୁ ଜଳବନ୍ଦୀ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବିଏମ୍‍ସି ୨୮ଟି ସ୍ଥାନରେ ଡ୍ରେନ୍‍ ନିର୍ମାଣ, ମରାମତି, ସ୍ଲାବ୍‍ ପଡ଼ିବା, ଡ୍ରେନ୍‍ ଉଭୟ ପାର୍ଶ୍ବରେ କାନ୍ଥ ଦେବା ପାଇଁ ନିଷ୍ପତ୍ତି ନେଇଛି। ଉକ୍ତ ୨୮ଟି ଅଞ୍ଚଳରେ ୧୦୬୪୩ ମିଟର ଡ୍ରେନ୍‍ ନିର୍ମାଣ ଓ ମରାମତି ପାଇଁ ଟେଣ୍ଡର ଡକାଗଲା। ତେବେ ୱାର୍ଡ ନଂ-୬ର ପଦ୍ମାବତୀ ବିହାର, ୱାର୍ଡ ନଂ-୧୨ର ଧିରିକୁଟି ବସ୍ତି, ୱାର୍ଡ ନଂ-୩ର ଡମଣା ଗାଁର ପରିଡ଼ା ପୋଖରୀ ନିକଟରେ ମୁଖ୍ୟ ଡ୍ରେନ୍‍ ଉପରେ କଲର୍ଭଟ ନିର୍ମାଣ, ୱାର୍ଡ ନମ୍ବର-୪୯ କୋଳଥିଆରେ ଆଭ୍ୟନ୍ତରୀଣ ଡ୍ରେନ୍‍ ଏବଂ ସ୍ଲାବ୍‍ ପକା କାମ, ୱାର୍ଡ ନଂ ୫୧ ଶତାବ୍ଦୀନଗର, ୱାର୍ଡ ନଂ୬୩ ସିଦ୍ଧି ବିହାର ଡ୍ରେନ୍‍ ନିର୍ମାଣ ଏବଂ ମରାମତି କାମ ସରିଥିବା ବିଏମ୍‍ସି କହୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ୱାର୍ଡ ନଂ ୩୭ର ୟୁରେକା କ୍ଲବଠାରୁ ମହିମା ଆଶ୍ରମ ଛକ ଯାଏ ଡ୍ରେନ୍‍ ନିର୍ମାଣ କାମ ତରବରିଆ ଭାବେ ହେଉଥିବାରୁ ନିର୍ମାଣାଧୀନ ଅବସ୍ଥାରେ ଭୁଶୁଡ଼ି ପଡ଼ିଥିଲା। ଏଥିପାଇଁ ଯାଞ୍ଚ କମିଟି ବସିଛି। ବର୍ଷା ପୂର୍ବରୁ ଉକ୍ତ ଡ୍ରେନ୍‍ କାମ ସରିବା ସମ୍ଭାବନା କ୍ଷୀଣ ା ପୂର୍ବପରି ଜଳବନ୍ଦୀ ହେବ। ୱାର୍ଡ ନଂ ୩୮ରେ ଡ୍ରେନ୍‍ ନିର୍ମାଣ କାର୍ଯ୍ୟ ମାତ୍ର ୨୦ ପ୍ରତିଶତ ସରିଥିବାରୁ ଭୋଇସାହି, କ୍ରିଷ୍ଣା ଟାୱାର ଆଦି ଅଞ୍ଚଳ ଜଳାର୍ଣ୍ଣବ ହେବ। ସେହିପରି ଦମୟନ୍ତୀ ଆପାର୍ଟମେଣ୍ଟରୁ ମହିମା ଆଶ୍ରମ ଡ୍ରେନ୍‌ କାମ ୨୦ ପ୍ରତିଶତ ସରିଥିବା ବେଳେ ସ୍ଥାୟିତ୍ବକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଉଛନ୍ତି। ପୁରୁଣା ଭୁବନେଶ୍ୱରର ଗୌରୀ ଗାର୍ଡେନ ଜଳବନ୍ଦୀ ସମସ୍ୟା ନେଇ ସ୍ଥାୟୀ ସାମାଧାନ ବାଟ ବାହାରି ନ ଥିବାରୁ ଉକ୍ତ ଅଞ୍ଚଳ ଅମ୍ପନ ବାତ୍ୟାଠାରୁ ଜଳବନ୍ଦୀରେ ରହିଛି। ୱାର୍ଡ ନଂ ୩୯ ନୂଆସାହିର ତୃତୀୟ ଗଳି ଶାମସୁନ୍ଦର ସାହୁଙ୍କ ଘର ପର୍ଯ୍ୟନ୍ତ, ୱାର୍ଡ ନଂ ୨୪ର ଜଗନ୍ନାଥ ବିହାର ଏବଂ ମୁଖ୍ୟ ନାଳ ୮ର ମଲ୍ଲିକ କଂପ୍ଲେକ୍ସରେ ଡ୍ରେନ୍‍ ନିର୍ମାଣ, ମରାମତି କାମ ଆରମ୍ଭ ହୋଇନାହିଁ।
ୱାର୍ଡ ନଂ-୧୨ରେ ୟାମାହା ଶୋ’ ରୁମ୍‌ ନିକଟରୁ ସାଇ ଏନ୍‌କ୍ଲେଭ୍‌ରୁ ପ୍ରମୁଖ ନାଳ ନଂ-୩ ଯାଏ ୨୩୦ ମିଟରର ଆଭ୍ୟନ୍ତରୀଣ ଡ୍ରେନ୍‌ ମରାମତି ଚାଲିଛି।
ୱାର୍ଡ ନଂ-୨୬ରେ ସାଲିଆସାହି ବିକାଶ ପରିଷଦରୁ ଦାଶରଥି ଏନ୍‌କ୍ଲେଭ୍‌ରେ ୧୦୫ ମିଟର ଆର୍‌ସିସି ଡ୍ରେନ୍‌ ନିର୍ମାଣ କାମ ମାତ୍ର ୨୦ପ୍ରତିଶତ ସରିଛି। ୱାର୍ଡ-୫ର ପଳାଶୁଣି ମୁଣ୍ଡାସାହି ଅଞ୍ଚଳରେ ୩୫୦ ମିଟର ଆର୍‌ସିସି ଡ୍ରେନ୍‌ ଏବଂ ଆଭ୍ୟନ୍ତରୀଣ ଡ୍ରେନ୍‌ ନିର୍ମାଣ କାମ ମନ୍ଥର ଗତିରେ ଚାଲିଛି। ତେବେ ବର୍ଷା ପୂର୍ବରୁ ସହରର ଡ୍ରେନ୍‍ ନିର୍ମାଣ, ମରାମତି ଏବଂ ପଙ୍କ ଉଦ୍ଧାର କାମ ସରିବା ସମ୍ଭାବନା ନ ଥିବାବେଳେ ୭୦ ପ୍ରତିଶତ କାମ ସାରିବା ନେଇ ବିଏମ୍‍ସି ଜଳନିଷ୍କାସନ ବିଭାଗୀୟ ଯନ୍ତ୍ରୀ ପ୍ରଦୀପ୍ତ ଦୁରିଆ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। କରୋନା କଟକଣା ପାଇଁ ମେ’ ମାସ ଯାଏ କାମ ବନ୍ଦ ଥିଲା। ଏବେ ପୁନଃ କାମ ଆରମ୍ଭ ହୋଇ ଜୋର୍‍ଦାର ଚାଲିଛି ବୋଲି ସେ କହିଛନ୍ତି।
ପ୍ରତିବର୍ଷ ବର୍ଷାଦିନେ ଇସ୍କନ ମନ୍ଦିର ଆଗରେ ବର୍ଷାଜଳରେ ଗାଡ଼ିମୋଟର ଭାସୁଛି। ସ୍ମାର୍ଟସିଟି ପାଇଁ କୋଟି କୋଟି ଟଙ୍କା ଆସୁଥିବାବେଳେ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ବିକାଶମୂଳକ କାମ ହୋଇପାରୁନାହିଁ ବୋଲି ରେଳ କର୍ମଚାରୀ(ଯାନ୍ତ୍ରିକ) ଜୀବନଜ୍ୟୋତି ବଳିୟାରସିଂ କହିଛନ୍ତି।
ରାମ ମନ୍ଦିର ଅଞ୍ଚଳର ଡ୍ରେନ୍‍ରୁ ଏଯାଏ ପଙ୍କ ଉଦ୍ଧାର ହୋଇନାହିଁ ବୋଲି ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଡ୍ରେନ୍‍ ନିର୍ମାଣ ଓ ମରାମତି ପାଇଁ ଟଙ୍କା ଆସୁଥିଲେ ବି ଖର୍ଚ୍ଚ ହୋଇପାରୁନାହିଁ। ପୁଣି ରାଜଧାନୀ ଜଳବନ୍ଦୀ ସମସ୍ୟା ଭୋଗିବ।

କେବେ ସରିବ କାମ ?
ଉତ୍ତରଭୁବନେଶ୍ବର : ୧୯ନଂ ୱାର୍ଡ ଭାଗବତ ସନ୍ଧାନ ମୁଖ୍ୟ ଡ୍ରେନ୍‌ କାର୍ଯ୍ୟ ଗତ କିଛି ଦିନ ତଳେ ଆରମ୍ଭ ହୋଇଥିବା ସ୍ଥଳେ ମଡର୍ଣ୍ଣ ସ୍କୁଲ ନିକଟରେ ଏହାର ଢଳେଇ କାମ ଆରମ୍ଭ ହୋଇଛି। ୧୯୮ ମିଟର ବିଶିଷ୍ଟ ଡ୍ରେନ୍‌ ଏଠାରେ କରାଯିବାକୁ ଥିବା ବେଳେ ଏ ବାବଦରେ ୩ କୋଟି ୪୪ଲକ୍ଷ ୨୨ହଜାର ୯୫୦ଟଙ୍କା ବ୍ୟୟବରାଦ ହୋଇଛି। ତେବେ ମୌସୁମୀ ଶୀଘ୍ର ଆସୁଥିବା ବେଳେ ଏସବୁ କାର୍ଯ୍ୟ କେବେ ଶେଷ ହେବ ତା’ର ଉତ୍ତର କାହାରି ପାଖରେ ନାହିଁ।
ସେହିପରି ୪ନଂ ୱାର୍ଡ ନୂଆପାଟଣା, ବଙ୍ଗୁଆରୀ, ସାହାବାଜ, ରୁଦ୍ରପୁର, ପାହାଳ, ନହରକଣ୍ଟା, ହରିଦାସପୁର ଓ ଜୟପୁର ଆଦି ଅଞ୍ଚଳ ଦୀର୍ଘ ୧ ଦଶନ୍ଧିରୁ ଅଧିକ ହେଲା ଜଳମଗ୍ନ ହେଉଥିବା ବେଳେ ବର୍ଷ ତମାମ ଏଠାରେ ଜଳ ନିଷ୍କାସନ ସମସ୍ୟା ଲାଗି ରହୁଛି। ଏହାର ସମାଧାନ ପାଇଁ କିଛି ନୂତନ ଡ୍ରେନ୍‌ କାର୍ଯ୍ୟ କରାଯାଇଥିବା କୁହାଯାଉଥିବା ବେଳେ ତାହା ସମ୍ପୂର୍ଣ୍ଣ ହୋଇନଥିବା ଜଣାପଡ଼ିଛି।
ପୂର୍ବତନ କର୍ପୋରେଟର ଗାୟତ୍ରୀ ଲେଙ୍କା କହିଛନ୍ତି, ୪ନଂ ୱାର୍ଡ ଅଞ୍ଚଳ ଦୀର୍ଘ କିଛି ବର୍ଷ ଧରି ଜଳବନ୍ଦୀ ହେଉଥିବା ବେଳେ ଜାତୀୟ ରାଜପଥ ପକ୍ଷରୁ ପୁରାତନ ନାଳଗୁଡ଼ିକୁ ପୋତି ଦିଆଯାଇଛି। ଉତ୍ତର ବିଧାୟକ ଏଥିରେ ହସ୍ତକ୍ଷେପ କରିବା ପରେ ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଡ୍ରେନେଜ କାର୍ଯ୍ୟ କରାଯାଉଛି। ପୂର୍ବତନ କର୍ପୋରେଟର ଜ୍ୟୋତ୍ସ୍ନାରାଣୀ ରାଉତରାୟ କହିଛନ୍ତି, ଗତବର୍ଷ ବାରମ୍ବାର କମିସନର ପରିବର୍ତ୍ତନ ଯୋଗୁ କୌଣସି କାର୍ଯ୍ୟ ଠିକ୍‍ ଭାବେ ହୋଇ ପାରିନଥିଲା। ତେବେ ଚଳିତବର୍ଷ ଏହି ଅଞ୍ଚଳର ଭାଗବତ ସନ୍ଧାନ ମୁଖ୍ୟ ଡ୍ରେନ କାର୍ଯ୍ୟ ଚାଲୁ ରହିଛି। ବିଏମ୍‌ସି ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲିକ କହିଛନ୍ତି, ମୌସୁମୀ ମୁକାବିଲା ପାଇଁ ବିଏମ୍‌ସି ପ୍ରସ୍ତୁତ ଅଛି। ପ୍ରମୁଖ ୩୭ଟି ଜଳବନ୍ଦୀ ସ୍ଥାନରେ କିଛି ଦିନ ହେଲା କାର୍ଯ୍ୟ ଜୋରଦାର ଚାଲିଛି।

 

Comments are closed.