ଓଡ଼ିଶାରେ ଦୃଶ୍ୟମାନ ହେଲା ଧୁମକେତୁ , ଖାଲି ଆଖିରେ ଦେଖାଯିବ ୫ଟି ଗ୍ରହ

ଭୁବନେଶ୍ୱର : ଗତ ଦୁଇ ଦିନ ଅର୍ଥାତ ଜୁଲାଇ ୧୭ରୁ ୧୮ ତାରିଖରେ ମେଘମୁକ୍ତ ଆକାଶ ଥିବାରୁ ରାଜ୍ୟର କେତେକ ସ୍ଥାନରେ ସନ୍ଧ୍ୟା​‌​‌ରେ ଅଳ୍ପ ସମୟ ପାଇଁ ‘ସି/୨୦୨୦ଏଫ-୩’ ଧୂମକେତୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାରରେ ଦେଖାଯାଇଛି। ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର କିଛି କର୍ମଚାରୀ ବାଇନାକୁଲାରରେ ଏହାକୁ ଦେଖିଛନ୍ତି। ରାଜ୍ୟର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଧୂମକେତୁ ଦେଖାଯାଇଛି ବୋଲି ପ୍ଲାନେଟାରିୟମ୍‌ର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।
ପୂର୍ବ ଆକଳନଠାରୁ ଧୂମକେତୁର ଉଜ୍ଜ୍ୱଳତା ଅଧିକ ରହୁଥିବା କିଛି ଜ୍ୟୋତିର୍ବିଜ୍ଞାନୀ କହିଛନ୍ତି। ସେଥିନେଇ ଏହି ଧୂମକେତୁ ଅଧିକ ଦିନ ଧରି ଦେଖାଯାଇପାରେ। ଜୁଲାଇ ୨୨ରେ ଏହା ପୃଥିବୀର ୧୦.୩ କୋଟି କିଲୋମିଟର ଦୂରତାରେ ରହିବ। ତେବେ ଚଳିତ ମାସ ୨୦ରୁ ୨୪ ତାରିଖ ଧୂମକେତୁ ଦେଖିବାର ସବୁଠାରୁ ପ୍ରକୃଷ୍ଟ ସମୟ ରହିଛି। ୨୦ ତାରିଖ ସନ୍ଧ୍ୟା ୭.୩୦ ସମୟରେ ଉତ୍ତର-ପଶ୍ଚିମ ଦିଗ୍‌ବଳୟର ପ୍ରାୟ ୧୪ଡିଗ୍ରୀ ଉପରେ ଏହା ଠିକ୍‌ ସପ୍ତର୍ଷି ମଣ୍ଡଳର ତଳକୁ ଦେଖାଯିବ। ତଳକୁ ଗତି କରି ପ୍ରାୟ ଅଧଘଣ୍ଟା ପରେ ଅସ୍ତ ହୋଇଯିବ। ଅସ୍ତ ହେବା ପାଇଁ ୧୦ରୁ ୧୨ମିନିଟ ସମୟ ନେବ। ଧୂମକେତୁ ଧୀରେ ଧୀରେ ସୂର୍ଯ୍ୟଙ୍କଠାରୁ ଦୂରେଇ ଯାଉଥିବାରୁ ଏହାର ଉଜ୍ଜ୍ୱଳତା କମିବାରେ ଲାଗିବ। ଯଦ୍ୱାରା ଜୁଲାଇ ୩୦ ପରେ ଖାଲି ଆଖିରେ ଦେଖିବା ସମ୍ଭବ ହେବନାହିଁ। ଏଥିସହ ଜୁଲାଇ ୨୦ରୁ ୨୫ ତାରିଖ ସୂ​‌​‌ର୍ଯ୍ୟୋଦୟର ପ୍ରାୟ ପଚାଶ ମିନିଟ୍‌ ପୂର୍ବରୁ ଆକାଶରେ ଚନ୍ଦ୍ର ଏବଂ ୫ଟି ଗ୍ରହ- ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ଖାଲି ଆଖିରେ ଦେଖାଯିବ। ଜୁଲାଇ ଶେଷ ଯାଏଁ ସବୁ ଦିନ ସନ୍ଧ୍ୟାରେ ଖୁବ ଉଜ୍ଜ୍ୱଳ ଦେଖାଯାଉଥିବା ବୃହସ୍ପତି ଓ ଶନି ପୂର୍ବରେ ଉଦୟ ହୋଇ ପଶ୍ଚିମ ଆଡ଼କୁ ଗତି କରି ଭୋର ସମୟରେ ଅସ୍ତ ହେବ। ଲାଲ ଗ୍ରହ ମଙ୍ଗଳ ମଧ୍ୟରାତ୍ରିରେ ଉଦୟ ହୋଇ ସକାଳ ଯାଏଁ ଦେଖାଯିବ। ସୂର୍ଯ୍ୟାଦୟର ଏକ ଘଣ୍ଟା ପୂର୍ବରୁ ବୁଧ ଗ୍ରହ ଆକାଶରେ ଉଜ୍ଜ୍ୱଳ ଗ୍ରହ ପାଖରେ ଦେଖାଯିବ। ଗୋଟିଏ ରାତିରେ ଆମେ ୫ଟି ଗ୍ରହକୁ ଖାଲି ଆଖିରେ ଦେଖିପାରିବା ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.