ସୁରଟ, ଅହମ୍ମଦାବାଦକୁ ଚାଲିବ ଆଉ ଦୁଇ ସ୍ୱତନ୍ତ୍ର ଟ୍ରେନ; ଓଡିଶାରୁ ଗୁଜରାଟକୁ ଦୈନିକ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: ଓଡିଶାରୁ ସୁରଟ ଓ ଅହମ୍ମଦାବାଦକୁ ସ୍ୱତନ୍ତ୍ର ଟ୍ରେନଗୁଡିକରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ଗୁଜରାଟକୁ ଚଳାଚଳ କରୁଥିବା ଅନ୍ୟ ସ୍ୱତନ୍ତ୍ର ଟ୍ରେନଗୁଡିକରେ ମାତ୍ରାଧିକ ପ୍ରତୀକ୍ଷା ସୂଚୀ (ୱେଟିଂଲିଷ୍ଟ)କୁ ନଜର ଦେଇ ପୂର୍ବତଟ ରେଳପଥ ଓଡିଶାରୁ ଗୁଜରାଟକୁ ଆହୁରି ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ ଦ୍ବୟ ହେଉଛି, ସମ୍ବଲପୁର-ଟିଟିଲାଗଡ଼-ରାଇପୁର ମାର୍ଗ ଦେଇ ଖୋର୍ଦ୍ଧାରୋଡ଼-ସୁରଟ-ଖୋର୍ଦ୍ଧା ରୋଡ଼ ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୨୮୨୭/୦୨୮୨୮)। ଚଳିତମାସ ୨୭ରୁ ଅକ୍ଟୋବର ୧୮ ମଧ୍ୟରେ ଏହା ଖୋର୍ଦ୍ଧାରୋଡ଼ଠାରୁ ପ୍ରତି ରବିବାର ସନ୍ଧ୍ୟା ୮ଘ.୪୦ମି.ରେ ଛାଡିବାକୁ ଥିବାବେଳେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨୦ ମଧ୍ୟରେ ଏହା ସୁରଟଠାରୁ ପ୍ରତି ମଙ୍ଗଳବାର ସକାଳ ୮ଘ.୩୦ମି.ରେ ଖୋର୍ଦ୍ଧାରୋଡ଼ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ଼ ଓ ସୁରଟ ମଧ୍ୟରେ ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଝି, ରାଇପୁର, ଦୁର୍ଗ, ନାଗପୁର ଆଦି ଷ୍ଟେସନମାନଙ୍କରେ ରହଣି କରିବ। ବିଜୟନଗରମ, ଦୁଭାଡା, ବିଜୟୱାଡା, ୱାର୍ଧା ମାର୍ଗଦେଇ ଖୋର୍ଦ୍ଧାରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧାରୋଡ଼ ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୮୪୦୭/୦୮୪୦୮) ସେପ୍ଟେମ୍ବର ମାସ ୩୦ରୁ ଅକ୍ଟୋବର ମାସ ୨୧ ମଧ୍ୟରେ ଏହା ଖୋର୍ଦ୍ଧାରୋଡ଼ଠାରୁ ପ୍ରତି ବୁଧବାର ପୂର୍ବାହ୍ନ ୧୦ଘ.୪୦ମି.ରେ ଛାଡିବାକୁ ଥିବାବେଳେ ଅକ୍ଟୋବର ୩ରୁ ୨୪ ତାରିଖ ମଧ୍ୟରେ ଏହା ଅହମ୍ମଦାବାଦଠାରୁ ପ୍ରତି ଶନିବାର ୦୦୧୫ ଘଟିକା (ଶୁକ୍ରବାର ରାତ୍ର ୧୨ଘ.୧୫ମି.)ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧାରୋଡ଼ ଓ ଅହମ୍ମଦାବାଦ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ ରୋଡ଼, ବିଜୟନଗରମ, ଦୁଭାଡା, ରାଜମହେନ୍ଦ୍ରୀ, ଏଲ୍ଲୁରୁ, ବିଜୟୱାଡା, ୱାରାଙ୍ଗଲ, ୱାର୍ଧା, ସୁରଟ, ବାରୁଚ ଏବଂ ବରୋଦା ଆଦି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ରହଣି କରିବ। ସୁରଟ ଓ ଅହମ୍ମଦାବାଦକୁ ଏହି ଟ୍ରେନ ଦ୍ବୟ ଚଳାଚଳ କରିବା ପରେ ଓଡିଶାରୁ ଗୁଜରାଟକୁ ସପ୍ତାହରେ ସବୁଦିନ ସ୍ୱତନ୍ତ୍ର ଟ୍ରେନ ଉପଲବ୍ଧ ହେବା ସହ ସପ୍ତାହରେ ୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଗୁଜରାଟକୁ ପୂର୍ବରୁ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନଗୁଡିକ ହେଉଛି ଖୋର୍ଦ୍ଧାରୋଡ଼-ଅହମଦାବାଦ-ଖୋର୍ଦ୍ଧାରୋଡ଼ ସ୍ୱତନ୍ତ୍ର ଟ୍ରେନ (୦୨୮୪୩/୦୨୮୪୪),ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧାରୋଡ଼ ସ୍ୱତନ୍ତ୍ର ଟ୍ରେନ (୦୮୪୦୧/୦୮୪୦୨), ଗାନ୍ଧୀଧାମ-ଖୋର୍ଦ୍ଧାରୋଡ଼-ଗାନ୍ଧୀଧାମ ସ୍ୱତନ୍ତ୍ର ଟ୍ରେନ (୦୨୯୭୩/୦୨୯୭୪),ଭୁବନେଶ୍ୱର-ଅହମ୍ମଦାବାଦ-ଭୁବନେଶ୍ୱର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୮୪୦୫/୦୮୪୦୬)।

Comments are closed.