ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର ପ୍ରଦାନ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନଜନକ ସର୍ବୋଚ୍ଚ କ୍ରୀଡା ସମ୍ମାନ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର -୨୦୧୭ ପ୍ରଦାନ ଉତ୍ସବ ବୁଧବାର ପୂର୍ବାହ୍ଣରେ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ୨୦୧୭ ବର୍ଷ ପାଇଁ କ୍ରୀଡ଼ା ପ୍ରଶିକ୍ଷକ, କ୍ରୀଡାବିତ୍‍ଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିବା ସହିତ ବିଜୁ ପଟ୍ଟନାୟକ ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ସାରା ବିଶ୍ୱରେ ହକିର ପ୍ରଚାର ପ୍ରସାର ନେଇ ଓଡ଼ିଶା କାର୍ଯ୍ୟ କରୁଛି। ଭାରତୀୟ ହକିର ପ୍ରସାର ପାଇଁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ। ରାଜ୍ୟରୁ ପ୍ରତିଭାବାନ୍‍ ଖେଳାଳି ସୃଷ୍ଟି ହେବା ନେଇ ସମସ୍ତ ପ୍ରକାର ଭିତ୍ତିଭୂମି ସୃଷ୍ଟି ହେଉଛି। ପୁରୁଷ ହକି ବିଶ୍ୱକପକୁ ସଫଳ ଆୟାଜନ ନେଇ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି।
ଶ୍ରେଷ୍ଠ କ୍ରୀଡ଼ାବିତ୍‍ଭାବେ ଦୁଇ ଅନ୍ତର୍ଜାତୀୟ ହକି ଖେଳାଳି ସୁନିତା ଲାକ୍ରା ଓ ଅମିତ ରୋହିଦାସଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରା ଯାଇଥିଲା। ଉଭୟେ ଏସୀୟ କ୍ରୀଡ଼ା ଲାଗି ଜାକର୍ତ୍ତାରେ ଥିବାରୁ ଏଠାରେ ଅନୁପସ୍ଥିତ ଥିଲେ। ସେହିପରି ଦୌଡ଼କୁଦ ପ୍ରଶିକ୍ଷକ ସଞ୍ଜୟ କୁମାର ଗଡ଼ନାୟକଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା, ଓଡ଼ିଶା ଭାରୋତ୍ତୋଳନ ସଂଘ ସମ୍ପାଦକ ନାରାୟଣ ସାହୁ ଏବଂ ଓଡ଼ିଶା ଖଣି ନିଗମ (ଓଏମ୍‍ସି)କୁ ମିଳିତ ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ସହ ୧ ଲକ୍ଷ ଲେଖାଏଁ, ଆକାଶବାଣୀର ସୁଜିତ ଦାସଙ୍କୁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ପୁରସ୍କାର ସ୍ୱରୂପ ୫୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରା ଯାଇଥିଲା। କ୍ରୀଡ଼ା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ବା ଲାଇଫଟାଇମ୍‍ ଆଚିଭ୍‍ମେଣ୍ଟ ପୁରସ୍କାର କାହାରିକୁ ଦିଆଯାଇନଥିଲା। ଅନ୍ୟପକ୍ଷରେ ନଦୀରୁ କୁମ୍ଭୀର ମୁହଁରୁ ନିଜ ଭଉଣୀକୁ ଉଦ୍ଧାର କରିଥିବା ୭ ବର୍ଷର ବାଳିକା ମମତା ଦଳାଇ, ବୈତରଣୀ ନଦୀରେ ୩ଜଣ ମହିଳାଙ୍କ ଜୀବନ ବଞ୍ଚାଇଥିବା ପଙ୍କଜ କୁମାର ମହନ୍ତ, ବିଶ୍ୱଜିତ ପୁହାଣଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଲେଖାଏଁ, ସମାଜସେବା ପାଇଁ ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରିୟବ୍ରତ ପଣ୍ଡା, ଏନ. ସନ୍ତୋଷ କୁମାର, କ୍ଷିରୋଦ ସାହୁଙ୍କୁ ୨୫ ହଜାର ଲେଖାଏଁ, ଦୃଷ୍ଟିହୀନ ବିଶ୍ୱକପ କ୍ରିକେଟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିବା ଦୁଇ ଓଡ଼ିଆ ତାରକା ମହମ୍ମଦ ଜାଫର ଇକ୍‍ବାଲ ଓ ପଙ୍କଜ ଭୂଏଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାଛଡ଼ା ପର୍ବତାରୋହୀ ଚେତନା ସାହୁ ଓ ସ୍ୱର୍ଗତ ପ୍ରଦୀପ ସାହୁଙ୍କୁ ୩ ଲକ୍ଷ ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।
ଉତ୍ସବରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, କ୍ରୀଡ଼ା ସଚିବ ବିଶାଳ ଦେବ, ନିର୍ଦେଶକ ଆର୍‍. ବିନୀଳ କୃଷ୍ଣ, ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ, ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା, ଓଟିଡିସି ଅଧ୍ୟକ୍ଷ ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଭାରତୀୟ ଜୁନିୟର କ୍ରିକେଟ ମନୋନୟନକାରୀ ଦେବାଶିଷ ମହାନ୍ତି, ସାଂସଦ ପ୍ରସନ୍ନ ପାଟଶାଣୀ, ପ୍ରିୟଦର୍ଶୀ ମିଶ୍ର, ଅଲିମ୍ପିଆନ୍‍ ଅନୁରାଧା ବିଶ୍ୱାଳ, ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା, ଅର୍ଜୁନ ପୁରସ୍କାରପ୍ରାପ୍ତ ସାଇକଲ ଚାଳିକା ମିନତୀ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave A Reply