ଯାତନା ଦେଉଛି ସ୍ମାର୍ଟସିଟି, ଏଜିରୁ କଳ୍ପନା ଟ୍ରାଫିକ ଅସମ୍ଭାଳ

ଭୁବନେଶ୍ବର: ଶୀତ ବଜାରରେ ବଢ଼ୁଛି ଭିଡ଼। କରୋନା କଟକଣା ଭୁଲି ଲୋକେ କିଣାକିଣି କରୁଛନ୍ତି।  ଏନ୍‌ଫୋର୍ସମେଣ୍ଟ ନ ଥିବାରୁ  ଲୋକେ ଅମାନିଆ ହୋଇଛନ୍ତି। ୩ଟା ବାଜିଲେ ଏକ ନମ୍ବର ଏବଂ ମାର୍କେଟ ବିଲ୍‌ଡିଂରେ ଜନସମୁଦ୍ର ଲାଗୁଛି। ଉଭୟ ବଜାରର ରାସ୍ତା ଉପରେ ଗାଡ଼ି ପାର୍କିଂ ହେଉଥିବାରୁ ରାସ୍ତା ପାର ହେବାକୁ ଦୀର୍ଘ ସମୟ ଲାଗୁଛି।  ଏକ ନମ୍ବର ହାଟ ସମ୍ମୁଖ ରାସ୍ତାକୁ ନୋ ପାର୍କିଂ ଜୋନ୍‌ ଘୋଷଣା ହୋଇଥିଲେ ବି କଟକଣାକୁ କେହି ମାନୁ ନାହାନ୍ତି। ରାସ୍ତାର ୭୦ ଭାଗ କାର୍‌ ଏବଂ ବାଇକ୍‌ ପାର୍କିଂରେ ରହୁଛି।

ମାର୍କେଟ ବିଲ୍‌ଡିଂ ରାସ୍ତାକଡ଼:କୋଭିଡ୍‌ ସଂକ୍ରମଣ ନିମନ୍ତେ ବଜାର ଘାଟରେ ଭିଡ଼ ନ କରିବାକୁ ବିଏମ୍‌ସି ନିର୍ଦେଶନାମା ଜାରି କରିଛି। ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପରିଧାନ ବାଧ୍ୟତାମୂଳକ। ଭିଡ଼ ନିୟନ୍ତ୍ରଣ ନିମନ୍ତେ ବିଡିଏ ଏବଂ ବିଏମ୍‌ସିର ମିଳିତ ସ୍କ୍ବାଡ୍‌ ଗଠନ ହୋଇଛି। କୋଭିଡ୍‌ କଟକଣା ନ ମାଳିଲେ ଜୋରିମାନା ଆଦାୟ ହେଉଛି। ହେଲେ ଅମାନିଆଙ୍କୁ ଏହା କାଟୁ କରୁ ନ ଥିବା ଦେଖିବାକୁ ମିଳିଛି । ଶୀତ ବଜାରେ ଅସମ୍ଭାଳ ଭିଡ଼ ଲାଗୁଛି। ମାର୍କେଟ ବିଲ୍‌ଡିଂ ରାସ୍ତା କଡ଼ରେ ବହୁ ଅସ୍ଥାୟୀ ଶୀତବସ୍ତ୍ର ଦୋକାନ ଖୋଲିଛି। ଏଜିରୁ ରାଜମହଲ ରାସ୍ତା କଡ଼ରେ ଶୀତବସ୍ତ୍ର ପସରା ମେଲିଥିବାରୁ ଟ୍ରାଫିକ୍‌ ସମସ୍ୟା ସୃ୍‌ଷ୍ଟି ହେଉଛି। ଏଠାରେ ବହୁତଳ ଗାଡ଼ି ପାର୍କିଂ କୋଠା ନିର୍ମାଣାଧୀନ ରହିଥିବାରୁ କାର ଏବଂ ବାଇକ୍‌ ରାସ୍ତାରେ ପାର୍କିଂ ହେଉଛି।
ଏକ ନମ୍ବର ହାଟ: ଏକ ନମ୍ବର ହାଟର ଅବସ୍ଥା ଆହୁରି ଜଟିଳ। ସକାଳୁ ରାତି ଏଜିରୁ ରାଜମହଲ ରାସ୍ତରେ ଯା’ଆସ କରିବା କରିବା କଷ୍ଟକର ହୋଇପଡ଼ୁଛି। ଅସ୍ଥାୟୀ ଶୀତ ବସ୍ତ୍ର ବଜାରରେ ଜନ ସମୁଦ୍ର ସୃଷ୍ଟି କରୁଛି। ଏକ ନମ୍ବର ହାଟ ସମ୍ମୁଖ ରାସ୍ତାକୁ ନୋ ପାର୍କିଂ (ବାଇକ୍‌) ଘୋଷଣା ହୋଇଥିଲେ ବି ରାସ୍ତାର ୭୦ ଅଂଶରେ ଗାଡ଼ି ପାର୍କିଂ ହେଉଛି। ସୁରକ୍ଷାକର୍ମୀ ମୁତୟନ ହେଉଛନ୍ତି, କିନ୍ତୁ କେହି ଏହାକୁ ଖାତିର କରୁ ନାହାନ୍ତି।
ମାଷ୍ଟରକ୍ୟାଣ୍ଟିନ୍‌ରୁ ରାଜମହଲ
ମାଷ୍ଟରକ୍ୟାଣ୍ଟିନ୍‌ରୁ ରାଜମହଲ ଯାଏ ରାସ୍ତାର ଉଭୟ ପାର୍ଶ୍ବରେ କାର୍‌ ଏବଂ ବାଇକ୍‌ ପାର୍କିଂ ହେବାରୁ ଗମନାଗମନରେ ବାଧାପ୍ରାପ୍ତ ହେଉଛି। ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ ଯୋଗୁ ସିଟି ବସ୍‌ ଷ୍ଟାଣ୍ଡରେ ଅଟକି ପାରୁନାହିଁ। ଯାତ୍ରୀ ଉଠାଇବା ସମ୍ଭବ ହେଉ ନଥିବା ଚାଳକ କହିଛନ୍ତି। ଅଧିକାଂଶ ସମୟ ରେ ବସ୍‌ ଏବଂ ଅଟୋଗୁଡ଼ିକ ରାସ୍ତା ମଝିରେ ଅଟକି ଯାତ୍ରୀ ଉଠାଉ ଥିବା ଦେଖିବାକୁ ମିଳୁଛି।
ବାପୁଜୀ ନଗର: ବାଟବଣା ୱାନ୍‌ ୱେ
ବାପୁଜୀ ନଗର ବଜାରରେ ନାହିଁ ନ ଥିବା ଭିଡ଼ ଲାଗିବା ସହିତ ରାସ୍ତାରେ ଗାଡ଼ି ପାର୍କିଂ ହେତୁ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି ା କମିସନରେଟ୍‌ ପୁଲିସ ଏବଂ ବିଏମ୍‌ସି ପକ୍ଷରୁ ଉକ୍ତ ମାର୍କେଟକୁ ୱାନ୍‌ ୱେ (ଏକ ପାଖିଆ) ବ୍ୟବସ୍ଥା କରାଯାଇଥିଲା। ହେଲେ ଏହାକୁ କେହି ମାନୁ ନାହାନ୍ତି। ମାର୍କେଟ ଭିତର ରାସ୍ତାକଡ଼‌େ‌ର ଗାଡ଼ି ପାର୍କିଂ ମନା ଥିଲେ ବି ପାର୍କିଂ ହେଉଛି। ଫଳରେ ମାର୍କେଟ ଭିତର ରାସ୍ତାରେ ପୂର୍ବପରି ଭିଡ଼ ରହୁଛି।

ନୋ ପାର୍କିଂ ଜୋନ୍‌ରେ ଗାଡ଼ି ଭର୍ତ୍ତି , ଶୀତ ବଜାରରେ ଗ୍ରାହକ ଭିଡ଼

ବଜାର ନିୟନ୍ତ୍ରଣ ନିମନ୍ତେ ବିଏମ୍‌ସି ଏସ୍‌ଓପି ଜାରି କରିଛି। ବ୍ୟବସାୟୀ କିମ୍ବା ଗ୍ରାହକ ଏଥିରେ ଖିଲାପ କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଭିଡ଼ ହେଉଥିବାରୁ ବହୁବାର ଦୁଇ ନମ୍ବର ମାର୍କେଟରେ ଚଢ଼ାଉ କରାଯାଇଛି। ବ୍ୟବସାୟୀ ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

-ଅଂଶୁମାନ ରଥ
ଦକ୍ଷିଣ-ପୂର୍ବ ଜୋନ୍‌ ଡେପୁଟି କମିସନର

ଏକ ନମ୍ବର ହାଟ ରାସ୍ତାରେ ନୋ ପାର୍କିଂ ସୂଚନା ଫଳକ ଲାଗିଛି। ସୁରକ୍ଷାକର୍ମୀ ମୁତୟନ ଅଛନ୍ତି। ଲୋକେ ଅମାନିଆ ହେଉଛନ୍ତି। ବେଆଇନ୍‌ ପାର୍କିଂ ହୋଇଥିଲେ ଗାଡ଼ି ଉଠାଇ ନିଆଯାଉଛି।
– ଗିରିଜାଶଙ୍କର ଚକ୍ରବର୍ତ୍ତୀ, କ୍ୟାପିଟାଲ ଥାନା ଅଧିକାରୀ

Comments are closed.