ଦୁଇ ଦିନ ଶୁଖିଲା ପାଗ, ୩ତାରିଖରୁ ପୁଣି ବର୍ଷା

ଭୁବନେଶ୍ବର : ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ହେଲେ ୧ ତାରିଖରୁ ଦୁଇଦିନ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିସହ କିଛି ଜିଲାରେ ଘନ କୁହୁଡ଼ି ଦେଖାଦେବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ଜିଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ଖୋର୍ଦ୍ଧା, ନୟାଗଡ଼ ସମେତ ଆଉ କିଛି ଜିଲାରେ ବର୍ଷା ହୋଇଥିବା ସୂଚନା ମିଳିଛି।
ଆଇଏମ୍‌ଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଏହା ପ୍ରଭାବରେ ଅଳ୍ପ ଶୀତ ଅନୁଭୂତ ହେବ। ଆସନ୍ତା ୨୪ ଘଣ୍ଟା ଭିତରେ କଳାହାଣ୍ଡି, କନ୍ଧମାଳ, ଅନୁଗୋଳ, ସୁନ୍ଦରଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲାରେ ଘନ କୁହୁଡ଼ି ଦେଖାଦେବ। ୧ରୁ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଅନୁଗୋଳ, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ୨ ତାରିଖ ଦିନ ମଧ୍ୟ ଏସବୁ ଜିଲାରେ ପାଗ ମେଘୁଆ ରହିବ।

Comments are closed.