ବଦଳିବ ରାଜଧାନୀ ରାସ୍ତାର ଚେହେରା

ଭୁବନେଶ୍ବର : ଚକାଚକ ହେବ ଭୁବନେଶ୍ବରର ରାସ୍ତା। ଖାଲଖମା ରହିବନି। କେବୁଲ, ଗ୍ୟାସ୍‌ ପାଇପ୍‌ ଓ ପାନୀୟଜଳ ଯୋଗାଣ ପାଇଁ ପାଇପ୍‌ ବିଛାଇବା ଓ ସ୍ବେରେଜ୍‌ କାମ ପରେ ମରାମତି ସତ୍ତ୍ବେ ଯେଉଁସବୁ ସ୍ଥାନରେ ରାସ୍ତାରେ ଖାଲ ଢିପ ରହୁଛି ତାକୁ ତୁରନ୍ତ ମରାମତି କରାଯିବ। ସେହିପରି ଖରାପ ଥିବା ରାସ୍ତା ମରାମତି କାର୍ଯ୍ୟ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ହାତକୁ ନିଆଯିବ। ଦିଲ୍ଲୀ, ମୁମ୍ବଇ ଓ କଲକାତା ପରି ସହରରେ ଯେଉଁଭଳି ଅତ୍ୟାଧୁନିକ ପଦ୍ଧତିରେ ରାସ୍ତା ମରାମତି କରାଯାଉଛି ସେହିଭଳି ଭୁବନେଶ୍ବରର ରାସ୍ତା ମରାମତି କାର୍ଯ୍ୟ କରାଯିବ। ଏଥିପାଇଁ ନୂତନ ଜ୍ଞାନକୌଶଳରେ ନିର୍ମିତ ବାଲି, ଚିପ୍ସ ଗୁଣ୍ଡ, ସିମେଣ୍ଟ ଓ ପିଚୁ ଫେଣ୍ଟା ମେସିନ ଖୁବ୍‌ଶୀଘ୍ର ଭୁବନେଶ୍ବରରେ ପହଞ୍ଚିବ। ଏହି ପଦ୍ଧତିରେ ମାର୍ଚ୍ଚ ସୁଦ୍ଧା ସହରର ଏକଲକ୍ଷ ବର୍ଗ ମିଟର ରାସ୍ତା ମରାମତି କରାଯିବାକୁ ନିଷ୍ପତ୍ତି ହୋଇଛି। ସହରର ବିଭିନ୍ନ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ ଏହି ମେସିନ ସାହାଯ୍ୟରେ ରାସ୍ତା ମରାମତି କରାଯିବ। ପରେ କଟକ ସହରରେ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ। ‘ମାଇକ୍ରୋ ସର୍ଫେସିଂ’ ବ୍ୟବସ୍ଥାରେ ମେସିନ ସାହାଯ୍ୟରେ ରାସ୍ତାର ଉପର ଅଂଶ ବାହାର କରାଯାଇ ବାଲି, ଚିପ୍ସ ଗୁଣ୍ଡ, ସିମେଣ୍ଟ ଓ ପିଚୁ ମିଶ୍ରିତ କଂକ୍ରିଟ୍‌ର ଏକ ପତଳା ଅଂଶ ବିଛାଯିବ। ଏହାଦ୍ବାରା ଉଭୟ ପାର୍ଶ୍ବରେ ଥିବା ଘରଠାରୁ ରାସ୍ତାର ଉଚ୍ଚତା ଅଧିକ ହେବ ନାହିଁ। ସୃଷ୍ଟି ହୋଇଥିବା ଖାଲଖମା ଓ ଭାଙ୍ଗିରୁଜି ନଷ୍ଟ ହୋଇଥିବା ଅଂଶ ସମାନ କରାଯିବ। ଏହି ମେସିନ ମାଧ୍ୟମରେ କମ ସମୟ ମଧ୍ୟରେ ଦୀର୍ଘ ରାସ୍ତା ମରାମତି କରାଯାଇପାରିବ। ମରାମତି ଖର୍ଚ୍ଚ ମଧ୍ୟ କମିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.