ରେଡକ୍ରସ୍‍ ସୋସାଇଟି ଓଡିଶା ରାଜ୍ୟ ଶାଖା ଆନୁକୁଲ୍ୟରେ ବିଶାଳ ରକ୍ତଦାନ ଶିବିର

ଭୁବନେଶ୍ୱର : ଭାରତୀୟ ରେଡକ୍ରସ୍‍ ସୋସାଇଟିର ଶତବାର୍ଷିକୀ ପାଳନ ଅବସରରେ ଭାରତୀୟ ରେଡକ୍ରସ୍‍ ସୋସାଇଟି ଓଡିଶା ରାଜ୍ୟ ଶାଖା ଓ ସ୍ମାର୍ଟ ସିଟି ଅଟୋ ଆସୋସିଏସନ୍‍, ଭୁବନେଶ୍ୱର ର ମିଳିତ ଅନୁକୁଲ୍ୟରେ ସ୍ଥାନିୟ ରେଡକ୍ରସ ଭବନ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଆଜି ରେଡକ୍ରସ୍‍ ସୋସାଇଟି ଓଡିଶା ଶାଖାର ଅବୈତନିକ ସଚିବ ସିଟିଏମ୍‍ ସୁଗୁଣା ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ। ବର୍ତ୍ତମାନ ସାରା ରାଜ୍ୟରେ ରକ୍ତର ଅଭାବ ପରିଲିକ୍ଷିତ ହେଉଅଛି। ଓଡିଶାରେ ବାର୍ଷିକ ଆବଶ୍ୟକ ହେଉଥିବା ରକ୍ତ ୟୁନିଟରୁ ଶତକଡା ୭୦ ଭାଗ ସ୍ୱେଚ୍ଛାକୃତ ରକ୍ତଦାନରୁ ମିଳିଥାଏ। ସ୍ୱେଚ୍ଛାକୃତ ରକ୍ତଦାନ କିପରି ଶତ ପ୍ରତିଶତ ଆବଶ୍ୟକତାକୁ ପୁରଣ କରିପାରିବ ସେଥିପାଇଁ ଓଡିଶା ରେଡକ୍ରସ୍‍ ରାଜ୍ୟ ଶାଖା ପ୍ରତି ତିନି ମାସରେ ଥରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କରିବା ସହ ବିଭିନ୍ନ ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଥିବା ରେଡକ୍ରସ ୟୁନିଟ ଦ୍ୱାରା ସ୍ୱେଚ୍ଛାକୃତ ରକ୍ତଦାନ ନିମନ୍ତେ ସଚେତନତା ସୃଷ୍ଟି କରିବାର ଏକ ସୁନ୍ଦର ପ୍ରୟାସ ଆରମ୍ଭ କରିଛି। ଏହି ଶିବିରରେ ସ୍ମାର୍ଟ ସିଟି ଅଟୋ ଆସୋସିଏସନ୍‍ର ଉତ୍ସାହୀ ଅଟୋଚାଳକ, ସ୍ଥାନିୟ ଜନସାଧାରଣ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କେନ୍ଦ୍ରିୟ ରେଡକ୍ରସ ରକ୍ତଭଣ୍ଡାର କଟକ ଓ ରାଜଧାନୀ ରକ୍ତଭଣ୍ଡାର ଭୁବନେଶ୍ୱର ଏହି ବିଶାଳ ରକ୍ତଦାନ ଶିବିରରେ ଯୋଗଦେଇ ୨୨୨ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଯୁ୍‍ଗ୍ମ ସଚିବ ଡକ୍ଟର ଦୁର୍ଗା ଶଙ୍କର ଷଡଙ୍ଗୀ, କୋଷାଧ୍ୟକ୍ଷ ମେଜର ଡକ୍ଟର କଳ୍ପନା ଦାସ, ଯୁବ ରେଡକ୍ରସ୍‍ ଅଫିସର୍‍ ଡକ୍ଟର ଅଜୟ କୁମାର ତ୍ରିପାଠୀ, ଶ୍ରୀ ରଂଜନ କୁମାର ମହାନ୍ତି, ଶ୍ରୀ ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.