ନବୀନଙ୍କ ପ୍ରିୟ ଖାଦ୍ୟ ପଖାଳ

ଆସନ୍ତାକାଲିଠୁ ଦୂରଦର୍ଶନରେ ପ୍ରସାରିତ ହେବ ‘ଆମ ଘର ଆମ ହାଣ୍ଡିଶାଳ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଆଙ୍କର ପ୍ରିୟ ଖାଦ୍ୟ ପଖାଳ। ନବୀନ ନିବାସ ଆସୁଥିବା ଅତିଥିଙ୍କୁ ସେ ପରସି ଦିଅନ୍ତି ଓଡ଼ିଆ ଘରର ଏହି ପ୍ରିୟ ଖାଦ୍ୟ ପଖାଳ। ଓଡିଆଙ୍କ ଖାଦ୍ୟରୁଚି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଖାଳ ତାଙ୍କର ପ୍ରିୟ ଖାଦ୍ୟ ବୋଲି କହିଛନ୍ତି।
ଓଡିଆ ଖାଦ୍ୟକୁ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଓଟିଡିସିର ସ୍ୱତନ୍ତ୍ର ଅଭିଯାନ ‘ଆମ ଘର ଆମ ହାଣ୍ଡିଶାଳ’ ନାମରେ ଏକ ରୋଷେଇ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଓଡ଼ିଆ ଖାଦ୍ୟପେୟର ଲୋକପ୍ରିୟତାକୁ ସୁଦୂରପ୍ରସାରୀ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ପକ୍ଷରୁ ପ୍ରସ୍ତୁତ ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ପ୍ରତି ଶନିବାର ଓ ରବିବାର ଦିନ ୧.୩୦ରୁ ଦୂରଦର୍ଶନ ଓଡ଼ିଆରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମର ପ୍ରସାରଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଓଡିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ଦିଗରେ ଅଧିକ ସହାୟକ ହେବ ବୋଲି ଆଶା କରାଯାଉଛି।
ଏହି କାର୍ଯ୍ୟକ୍ରମ ଅବସରରେ ଓଡିଆ ଖାଦ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନର କଥା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱରେ ଓଡ଼ିଆ ଖାଦ୍ୟପେୟର ସ୍ୱତନ୍ତ୍ର ପରିଚୟ ରହିଛି ଏବଂ ପାଖାଳ ହେଉଛି ତାଙ୍କର ପ୍ରଥମ ପସନ୍ଦ। ଓଡିଶାର ପର୍ବପର୍ବାଣୀ ଓ ପିଠାପଣା ପ୍ରତି ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି। ଓଡିଶା ବାହାରୁ ଆସିଥିବା ଅତିଥିଙ୍କୁ ସେ ବିଶେଷ ଭାବେ ଓଡିଆ ଖାଦ୍ୟ ପରସିଥାନ୍ତି ବୋଲି ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।
୨୦୧୮ ଜାନୁଆରୀରେ ‘ଦି ଟଲମ୍ୟାନ ବିଜୁ ପଟ୍ଟନାୟକ’ ପୁସ୍ତକର ଲୋକାର୍ପଣ ସମୟରେ ମୁଖ୍ୟମନ୍ତ୍ରୀ ଜାତୀୟ ସ୍ତରର ନେତାଙ୍କୁ ପଖାଳ ସହ ଓଡିଆ ବ୍ୟଞ୍ଜନରେ ଆପ୍ୟାୟିତ କରିଥିଲେ।
ରାଜ୍ୟରେ ମୁଖ୍ୟତଃ ଖରାଦିନେ ଅଧିକାଂଶ ପଖାଳ ଭାତ ଖାଉଥିବାବେଳେ ହୋଟେଲ ଓ ରେଷ୍ଟୁରାଣ୍ଟଗୁଡିକର ମେନ୍ୟୁରେ ମଧ୍ୟ ପଖାଳ ଭାତ ସହ ଦେଶୀ ଓଡିଆ ଖାଦ୍ୟର ତାଲିକା ରହୁଛି । ଏପରିକି ପଖାଳର ପ୍ରଚାର ପ୍ରସାର ପାଇଁ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି।
ଲକାଡାଉନ ସମୟରେ ଅନଲାଇନ ମାଧ୍ୟମରେ ଓଟିଡିସି ପକ୍ଷରୁ ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ବର୍ଗର ଲୋକ ଭାଗ ନେଇ ନିଜର ରୋଷେଇ ଦକ୍ଷତା ଦେଖାଇଛନ୍ତି।

Comments are closed.