ଭିଡ଼ ଭିତରର ମୁହଁ : ଅସହାୟଙ୍କ ସାଥୀ ଏସ୍‌‌କେ ନୁର୍‌

ଉତ୍ତରଭୁବନେଶ୍ୱର : ଲୋକଙ୍କ ସେବା ହିଁ ମାଧବଙ୍କ ସେବା। ଏହାକୁ ଜୀବନର ବ୍ରତ କରି ସକାଳର ସୂର୍ଯ୍ୟ ଉଇଁଲା ମାତ୍ରେ ଲୋକମାନେ ନିଜ ନିଜ କାମରେ ଯେପରି ଲାଗି ପଡ଼ନ୍ତି ସେପରି ଜଣେ ଯୁବ ସମାଜସେବୀ ଅସହାୟଙ୍କୁ ସବୁବେଳେ କିଛି ନା କିଛି ସହାୟତାର ହାତ ବଢ଼ାଇଥା’ନ୍ତି। ସେ ହେଉଛନ୍ତି ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ରହୁଥିବା ଏସ୍‌କେ ନୁର ।

ତାଙ୍କ ନିକଟରେ ଜାତି ପ୍ରଥାର ବନ୍ଧବାଡ଼ ସବୁ ଯେମିତି ମୂଲ୍ୟହୀନ। ଜାତିରେ ମୁସଲ୍‍ମାନ ହୋଇଥିଲେ ବି ତାଙ୍କ ସେବା କୌଣସି ନିର୍ଦ୍ଧିଷ୍ଟ ଜାତିରେ ସୀମିତ ହୋଇରହି ନାହିଁ। ହିନ୍ଦୁ ହୁଅନ୍ତୁ ଅବା ମୁସ୍‌ଲିମ୍‍ କିମ୍ବା ଖ୍ରୀଷ୍ଟିଆନ ଯିଏବି ହେଉନା କାହିଁକି ସମସ୍ତଙ୍କ ବିପଦରେ ସେ ଠିଆ ହୁଅନ୍ତି। ତାଙ୍କର ରୋଜଗାର ଅର୍ଥ ସେ ଲୋକଙ୍କ ସେବାରେ ଖର୍ଚ୍ଚ କରନ୍ତି। ଦୈବୀ ଦୁର୍ବିପାକ ଠାରୁ ଆରମ୍ଭ କରି ମଶାଣି ଭୂଇଁ ପର୍ଯ୍ୟନ୍ତ ଲୋକଙ୍କ ସେବା କରନ୍ତି। ବିଶେଷକରି ଗରିବ ଅସହାୟ, ରୋଗୀ ଓ ଦୁଃଖିରଙ୍କିଙ୍କ ମୁହଁରେ ହସ ଫୁଟାଇକୁ ଅନବରତ ପ୍ରୟାସ କରୁଛନ୍ତି। ଅଭାବ ଅନଟନ, ରୋଗ, ଦୁଃଖ ଓ ବିପତ୍ତି ସମୟରେ ଟିକେ ଛିଡ଼ାହୋଇ ସହାୟତାର ହାତ ବଢ଼ାଇଲେ ତାଙ୍କୁ ଆନନ୍ଦ ମିଳୁଥିବା ସେ କହିଛନ୍ତି। ଭୁବନେଶ୍ବର ଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ଜିଲାରେ ସେ ଲୋକଙ୍କ ସେବା କରିଥାନ୍ତି । ସେ ରୋଗୀଙ୍କୁ ରକ୍ତ ଦାନ କରିବା ସହିତ ଔଷଧ, ଖାଦ୍ୟ ଏବଂ ବସ୍ତ୍ର ଯୋଗାଇ ଦିଅନ୍ତି। ଏହା ସହିତ କୁନି ପିଲାଙ୍କୁ ବହିପତ୍ର ଓ ପୋଷାକ ମଧ୍ୟ ଦେଇଥାନ୍ତି। ଅନେକ ବେସାହାରାଙ୍କ ନିକଟରେ ପହଁଞ୍ଚି ସେ ସହାୟତାର ହାତ ବଢ଼ାଇ ଥାଆନ୍ତି। କୌଣସି ଗରିବ ପରିବାରର କେହି ମୃତ୍ୟୁବରଣ କଲେ ମୃତଦେହ ଶେଷକୃତ୍ୟ ସମ୍ପନ୍ନ ପାଇଁ ଆବଶ୍ୟକ କାଠ ଓ ଆର୍ଥିକ ସହାୟତା ସହିତ ନିଜେ ଶ୍ମଶାନ ଭୂଇଁ ଯାଇ ଶବ ସତ୍କାରରେ ସହାୟତା କରିଆସୁଛନ୍ତି। ଜଣେ ଯୁବ ସମାଜସେବୀ ଭାବେ ସେ ଅନେକ ଗରିବ ଏବଂ ଅସହାୟ ଲୋକଙ୍କ ପ୍ରୀୟପାତ୍ର ହୋଇପାରିଛନ୍ତି।

Comments are closed.