ଦ୍ୱୈତନଗରୀରେ ଦୁଷ୍କର୍ମ ମାମଲା ବୃଦ୍ଧି, ସର୍ବାଧିକ ପୀଡ଼ିତା ନାବାଳିକା

0

କଟକ : ପୂର୍ବାପେକ୍ଷା ଦ୍ୱୈତନଗରୀରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଇଛି। ସର୍ବାଧିକ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା କମିସନରେଟ ପୁଲିସର ଅପରାଧ ପରିସଂଖ୍ୟାନ ରିପୋର୍ଟରୁ ଜଣାଯାଇଛି । ତେବେ ଭୁବନେଶ୍ୱରରେ ସର୍ବାଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ କଟକରେ ଏହି ସଂଖ୍ୟା କମ୍‌ ରହିଛି।
ମିଳିଥିବା ତଥ୍ୟ ଅନୁସାରେ, ୫ବର୍ଷ ମଧ୍ୟରେ କଟକ-ଭୁବନେଶ୍ୱର କମିସନରେଟରେ ସମୁଦାୟ ୬୬୯ ମାମଲା ରୁଜୁ ହୋଇଛି। ସେଥିମଧ୍ୟରେ ୨୦୧୭ ମସିହାରେ ୧୮୧ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୬ରେ ୧୩୮, ୨୦୧୫ରେ ୧୩୧, ୨୦୧୪ରେ ୧୩୮ ଓ ୨୦୧୩ ମସିହାରେ ମାତ୍ର ୮୧ଟି ମାମଲା ରୁଜୁ ହୋଇଥିଲା। ଭୁବନେଶ୍ୱର ସହରାଞ୍ଚଳରେ ୫ବର୍ଷ ମଧ୍ୟରେ ୩୬୧ ମାମଲା ରୁଜୁ ହୋଇଥିବାବେଳେ ସର୍ବାଧିକ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ୨୦୧୭ ମସିହାରେ ୧୨୫ଜଣ ଦୁଷ୍କର୍ମର ଶିକାର ହୋଇଥିବାବେଳେ ସେଥିରେ ସର୍ବାଧିକ ୮୨ଜଣ ନାବାଳିକା ଓ ୪୩ ସାବାଳିକା ଶିକାର ହୋଇଥିବା ଏହି ରିପୋର୍ଟରୁ ଜଣାଯାଇଛି। ୨୦୧୬ରେ ୭୭ଜଣ ଶିକାର ହୋଇଥିବାବେଳେ ସେଥିରେ ୪୯ ନାବାଳିକା, ୨୮ସାବାଳିକା ରହିଛନ୍ତି। ସେହିପରି ୨୦୧୫ରେ ୮୭ଟି ମାମଲା ରୁଜୁ ହୋଇଥିଲା। ସେଥିରେ ୫୯ ନାବାଳିକା ଥିବାବେଳେ ୨୮ ସାବାଳିକା ରହିଛନ୍ତି। ୨୦୧୪ରେ ୭୨ଟି ମାମଲା ପଞ୍ଜିକୃତ ହୋଇଥିବାବେଳେ ୪୩ ନାବାଳିକା, ୨୯ ପ୍ରାପ୍ତବୟସ୍କା ରହିଛନ୍ତି। ଏହି ସମୟରେ ଭୁବନେଶ୍ୱର ଅପେକ୍ଷା କଟକ ସହରାଞ୍ଚଳରେ ମାମଲା ହାର କମ୍‌ ରହିଛି। ତେବେ କଟକ ସହରାଞ୍ଚଳରେ ଏହି ୫ବର୍ଷ ମଧ୍ୟରେ ୨୫୭ଟି ମାମଲା ପଞ୍ଜିକୃତ ହୋଇଛି। ୨୦୧୭ ମସିହାରେ ୩୯ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବାବେଳେ ୧୭ ସାବାଳିକା, ୨୦୧୬ରେ ୨୮ ନାବାଳିକା, ୩୩ ବୟସ୍କା, ୨୦୧୫ରେ ୩୨ ନାବାଳିକା ଓ ୧୨ଜଣ ବୟସ୍କା, ୨୦୧୪ରେ ଉଭୟ ୩୩ ନାବାଳିକା ଓ ବୟସ୍କା ଦୁଷ୍କର୍ମର ଶିକାର ହୋଇଛନ୍ତି। ତେବେ ଭୁବନେଶ୍ୱର ସହରାଞ୍ଚଳରେ ଜଣେ ଗଣ ଦୁଷ୍କର୍ମର ଶିକାର ହୋଇଥିବାବେଳେ କଟକରେ ୨ଜଣ ଶିକାର ହୋଇଛନ୍ତି। ସେହିପରି ଭୁବନେଶ୍ୱରରେ ୭୧ଟି ପ୍ରେମଜନିତ କିମ୍ବା ଗୁପ୍ତ
ପଳାୟନ ମାମଲା ପଞ୍ଜିକୃତ ହୋଇଥିବାବେଳେ କଟକରେ ୩୯ଟି ଏପରି ମାମଲା ରୁଜୁ ହୋଇଛି। ତେବେ କମିସନରେଟ ପୁଲିସରେ ୧୮୧ଟି ଦାୟର ମାମଲା ମଧ୍ୟରୁ ୧୧୦ଟି ମାମଲା ପ୍ରେମଜନିତ ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ପୁଲିସ ଏପରି ମାମଲାରେ ୨୦୧୭ରେ ୧୬୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ପୂର୍ବରୁ ୧୩୧ ଅଭିଯୁକ୍ତଙ୍କୁ ଜେଲ୍‌ ହାଜତକୁ ପଠାଇଛି। କିଛି ନାବାଳିକା ଦୁଷ୍କର୍ମ ମାମଲାର ବିଚାର ପ୍ରକ୍ରିୟାରେ ଦଣ୍ଡ ହାର ବୃଦ୍ଧି ପାଇଁ କମିସନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସିକ୍ୟୁଟର ନିଯୁକ୍ତି ଦିଆଯାଇଛି। ଜଟଣି ଥାନାର ଏକ ମାମଲାରେ ସ୍ୱତନ୍ତ୍ର ପିପି ନିଯୁକ୍ତ କରାଯାଇଥିବାବେଳେ ଚନ୍ଦ୍ରଶେଖରପୁର ଥାନା, ଖଣ୍ଡଗିରି ଓ ମହିଳା ଥାନାର ଗୋଟିଏ ଲେଖାଏଁ ମାମଲାରେ ସ୍ୱତନ୍ତ୍ର ପିପି ନିଯୁକ୍ତ କରାଯାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

Leave A Reply