୭ ବିଦ୍ୟାଳୟ ପୋଷ୍ୟ ନେବେ ନିରଞ୍ଜନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଯାୟୀ କେନ୍ଦୁଝର ଜିଲାର ୫ଟି ଓ ମୟୂରଭଞ୍ଜ ଜିଲାର ୨ଟି ସ୍କୁଲକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଇଚ୍ଛା ପ୍ରକାଶ କରିଛନ୍ତି। ସେ ଅତୀତରେ ପଢ଼ିଥିବା ପ୍ରାଥମିକ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟ ଏବଂ ଉଚ୍ଚବିଦ୍ୟାଳୟ ଏଥିରେ ଅନ୍ତର୍ଭୁକ୍ତ ବୋଲି କହିଛନ୍ତି। ସେହି ସ୍କୁଲଗୁଡ଼ିକ ହେଲା ମଡେଲ ସ୍କୁଲ (ଆନନ୍ଦପୁର), ମୋଚିବନ୍ଧ ପ୍ରାଥମିକ ବିଦ୍ୟାଳୟ (କେନ୍ଦୁଝର), ତେଲକୋଇ ପ୍ରାଥମିକ ବିଦ୍ୟାଳୟ (ତେଲକୋଇ), ବିଏନ ସରକାରୀ ଉଚ୍ଚବିଦ୍ୟାଳୟ (ଆନନ୍ଦପୁର), ଡିଏନ୍‍ ସରକାରୀ ଉଚ୍ଚବିଦ୍ୟାଳୟ (କେନ୍ଦୁଝର), ରାଇରଙ୍ଗପୁର ସରକାରୀ ଉଚ୍ଚବିଦ୍ୟାଳୟ (ମୟୂରଭଞ୍ଜ), ବାଙ୍ଗିରିପୋଷି ମଧ୍ୟ ଇଂରାଜୀ ବିଦ୍ୟାଳୟ (ମୟୂରଭଞ୍ଜ) ଯାହାକି ବର୍ତ୍ତମାନ ଉଚ୍ଚବିଦ୍ୟାଳୟରେ ପରିଣତ ହୋଇଛି। ଏହିସବୁ ସ୍କୁଲ ସହିତ ତାଙ୍କର ଭାବଗତ ସମ୍ପର୍କ ରହିଛି। ନିଜ ଜୀବନର ଅତୀତର ସ୍ମୃତି ସେହି ସ୍କୁଲଗୁଡ଼ିକ ସହିତ ଜଡ଼ିତ। ସେହି ବିଦ୍ୟାଳୟ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପିନ୍ଦର ସିଂ ପୁନିଆଙ୍କୁ ଶ୍ରୀ ପଟ୍ଟନାୟକ ଏକ ପତ୍ର ଲେଖିଛନ୍ତି। ଏ ସଂକ୍ରାନ୍ତରେ ଅନୁମତି ଦେବା ପାଇଁ ସେ ଅନୁରୋଧ କରିଛନ୍ତି। ସରକାର ତାଙ୍କ ପ୍ରସ୍ତାବ ଗ୍ରହଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି।

Comments are closed.