ଆଲୋକିତ ହେବ ବାଇପାସ୍‌ ରାସ୍ତା

ଖର୍ଚ୍ଚ ୨ କୋଟି ୮୫ ଲକ୍ଷ ଟଙ୍କା , ୨୬ ପୂର୍ବରୁ ସରିବ କାମ

ଭୁବନେଶ୍ୱର,୬ା୧(ନି.ପ୍ର): ଆଲୋକରେ ଝଲସିବ କଟକ ପୁରୀ ବାଇପାସ୍‌ ରାସ୍ତା। ପଳାଶୁଣି ଛକରୁ ଲିଙ୍ଗିପୁର ଛକ ଦୟାସେତୁ ପର୍ଯ୍ୟନ୍ତ ବାଇପାସ୍‌ ରାସ୍ତାକୁ ଆଲୋକୀକରଣ କରାଯିବ।

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ବାଇପାସ୍‌ ରାସ୍ତା ଆଲୋକିତ ହେବ। ଏହାର ସଂଯୋଗଠାରୁ ପରିଚାଳନା ଦାୟିତ୍ବ ବିଏମ୍‌ସି ବିଦ୍ୟୁତ ବିଭାଗ ବହନ କରିବ। ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମୟରେ ବାଇପାସ୍‌ ରାସ୍ତା ଆଲୋକୀକରଣ ଲାଗି ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ପ୍ରାୟ ତିନିବର୍ଷ ମଧ୍ୟରେ ବିଏମ୍‌ସି ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା। ବିଏମ୍‌ସି ଓ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟ ଅଭାବରୁ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏନ୍‌ଏଚ୍‌ଏଆଇର ମାର୍ଗଦର୍ଶିକା ଅନୁସାରେ ବିଏମ୍‌ସି ୪ଟି ଏଜେନ୍ସି ମାଧ୍ୟମରେ ୪ଟି ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ କରିଛି। ପଳାଶୁଣି ଛକରୁ ପାଣ୍ଡରା, ପାଣ୍ଡରା ଛକରୁ କେଶୁରା, କେଶୁରା ଛକରୁ ସାଇମନ୍ଦିର ଓ ସାଇମନ୍ଦିର ଛକରୁ ଲିଙ୍ଗିପୁର ଦୟାସେତୁ ପର୍ଯ୍ୟନ୍ତ ରାସ୍ତା ଆଲୋକୀକରଣ କରାଯିବ। ବାଇପାସ୍‌ ରାସ୍ତାରେ ଏବେ ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟ ବସି ସାରିଥିବା ବେଳେ ବିଦ୍ୟୁତ ତାର ସଂଯୋଗ ପ୍ରକ୍ରିୟା ଚାଲିଛି। ଏହା ବ୍ୟତୀତ ବାଇପାସ୍‌ ରାସ୍ତାରେ ତିନୋଟି ଛକରେ ହାଇମାଷ୍ଟ ଲାଇଟ ସଂଯୋଗ କରାଯିବା ବ୍ୟବସ୍ଥା ମଧ୍ୟ ରହିଛି। ଆସନ୍ତା ଜାନୁଆରୀ ୨୬ ପୂର୍ବରୁ ଏହି କାର୍ଯ୍ୟ ଶେଷ ହେବ ବୋଲି ବିଏମ୍‌ସି ଯନ୍ତ୍ରୀ ସୁକାନ୍ତ କୁମାର ସାବତ କହିଛନ୍ତି। କାର୍ଯ୍ୟ ଶେଷ ପରେ ମୁଖ୍ୟମନ୍ତ୍ରୀ ବାଇପାସ୍‌ ରାସ୍ତା ଆଲୋକୀକରଣର ଶୁଭ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି।

Comments are closed.