କେନ୍ଦ୍ରର ଅବହେଳା ରାଜ୍ୟର ବିକାଶ ଦିଗରେ ବାଧକ: ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବରେ କେନ୍ଦ୍ରକୁ ଟାର୍ଗେଟ

ଭୁବନେଶ୍ବର: ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଛି। ଭାର୍ଚୁଆଲ ମାଧ୍ୟମରେ ବିଜେଡି ସଭାପତି ନବୀନ ପଟ୍ଟନାୟ ବୈଠକରେ ଯୋଗଦେଇଛନ୍ତି । ନେତାମାନେ କେନ୍ଦ୍ରର ଅବହେଳା, ଅଣଦେଖା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ସାଜିଛି ବୋଲି କହିଛନ୍ତି। ଏସବୁ ସତ୍ତ୍ୱେ ସମସ୍ତ ଲୋକାଭିମୁଖୀ କାର୍ଯ୍ୟ ଜାରି ରହିବ।

 

ଏହି ଅବସରରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ବିଜେଡିର ରାଜନୈତିକ ଭବିଷ୍ୟତକୁ ନେଇ ଦୃଢମତ ପୋଷଣ କରିଛନ୍ତି। ସେ କହିଛନ୍ତି ଯେ, ବିଜେଡି ଆଗକୁ ଆହୁରି ୫୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ସକ୍ରିୟ ରହିବ । ଦଳୀୟ ନେତା ଓ କର୍ମୀଙ୍କୁ ସେ ଷଷ୍ଠଥର ପାଇଁ ପ୍ରସ୍ତୁତି କରିବାକୁ ଆହ୍ୱାନ କରିଛନ୍ତି।

ସେ କହିଥିଲେ ଯେ, ‘ଆମେ ସମସ୍ତେ ନିଜ କର୍ତ୍ତବ୍ୟ ଠିକ ଭାବେ କରିବା । ନିଜେ ଦାୟିତ୍ୱ ନେଇ କାମ କରିବା । ଏମିତି କାମ କର ଯେମିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛବି ମଳିନ ନ ପଡ଼ୁ । ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟର ବାର୍ତ୍ତା ଘରେ ଘରେ ପହଞ୍ଚାଅ’ ।

ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ଉପ ସଭାପତି ଦେବୀ ମିଶ୍ରଙ୍କ ଉଦ୍‌ବୋଧନରେ କହିଥିଲେ ଯେ, ଦଳର ସଭ୍ୟ ସଂଖ୍ୟା ୧ କୋଟି ୧ ଲକ୍ଷ ୮୦ ହଜାରରୁ ଅଧିକ ହୋଇଛି। ଦଳରେ ୩ ଲକ୍ଷ ସକ୍ରିୟ ସଦସ୍ୟ ରହିଛନ୍ତି । ୧୪ଟି ଜିଲ୍ଲାରେ ସର୍ବାଧିକ ସଦସ୍ୟ ସଂଗ୍ରହ ହୋଇଛି। ଦଳର ସମ୍ବିଧାନ ସଂଶୋଧନ ଉପରେ ୮ଟି ଉପରେ ପ୍ରସ୍ତାବ ଦେଇଛନ୍ତି।

ଅନ୍ୟପଟେ ବରିଷ୍ଠ ନେତା ପ୍ରଶନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡିର ଆଭିମୁଖ୍ୟକୁ ନେଇ ବୈଠକରେ କିଛି ପ୍ରଶ୍ନ ଉଠିଥିଲା । କିଛି ଦ୍ଵନ୍ଦ ବି ରହିଥିଲା । ହେଲେ ଯୁବ ବିଜେଡି କାର୍ଯ୍ୟ କାରିଣୀରେ ସବୁ ପ୍ରଶ୍ନ ଆଉ ଦ୍ଵନ୍ଦର ଉତ୍ତର ରଖିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଓଡ଼ିଶାର ସ୍ୱାର୍ଥ କ୍ଷେତ୍ରରେ ଯେଉଁମାନେ ଅବହେଳା କରିବେ ତାଙ୍କ ବିରୁଦ୍ଧରେ ଲଢେଇ ହେବ। କେନ୍ଦ୍ର ଅବହେଳା ବିରୁଦ୍ଧରେ ଜୋରଦାର ଲଢେଇ କରାଯିବ। ବିଜେଡି ଏକ ପରିବାର । ପରିବାର ଭିତରେ ଏବଂ ଘର ଭିତରେ ବହୁ ମତ ପାର୍ଥକ୍ୟ ଥାଏ । ପରିବାରର ଯିଏ ମୁଖ୍ୟ ଦଳର ସୁପ୍ରିମୋ ଯାହା ନିର୍ଦେଶ ଦେବେ ଆମେ ତାକୁ ପାଳନ କରିବୁ। ସେଥିରେ କିଛି ସମସ୍ୟା ନାହିଁ ।

ସେହିଭଳି କେନ୍ଦ୍ରର କୃଷି ଆଇନକୁ ନେଇ ସାଂସଦ ପିନାକୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ର କୃଷି ଆଇନରେ ଚାଷୀଙ୍କ କ୍ଷତି ।  ଧାନର ଏମ‌ଏସ‌ପି ବୃଦ୍ଧି ପ୍ରସଙ୍ଗରେ ଟାର୍ଗେଟ କରିବା ସହ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ବା ଫୋକସ୍‌ ଷ୍ଟେଟ ପ୍ରସଙ୍ଗ ଉଠାଇଥିଲେ।

ମହିଳା ଶସକ୍ତିକରଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଏହାସହ ଯେଭଳି ପଂଚାୟତ ବ୍ୟବସ୍ଥାରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଇଛି । ବିଧାନସଭା ଓ ସଂସଦରେ ମଧ୍ୟ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଦିଆଯାଉ ବୋଲି ଦାବି ରହିଛି । ଓଡ଼ିଶାର ସଂସ୍କୃତି ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ବୈଠକରେ ପ୍ରସ୍ତାବ ଦେଇଛନ୍ତି ନେତା ।

ସେପଟେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି । ଏହିକ୍ରମରେ ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପାଇଁ ଦାବି କରାଯାଇଛି । ଓଡ଼ିଶାର ବରପୁତ୍ର ମାନଙ୍କ ଗାଁକୁ ଆଦର୍ଶ ଗ୍ରାମ ହିସାବରେ ଗ୍ରହଣ କରାଯାଉ । ସେମାନଙ୍କ ଜୀବନୀ ପାଠ୍ୟପୁସ୍ତକରେ ସ୍ଥାନ ପାଉ ବୋଲି ନେତାମାନେ ପ୍ରସ୍ତାବ ଦେଇଛନ୍ତି ।

 

Comments are closed.