ଯାତନା ଦେଉଛି ସ୍ମାର୍ଟସିଟି, ମରଣଯନ୍ତା ଫୁଟ୍‌ପାଥ୍‌

ଚନ୍ଦ୍ରଶେଖରପୁର: ବିଶ୍ୱ କପ୍‌ ହକି ପାଇଁ ସ୍ମାର୍ଟସିଟି ଭୁବନେଶ୍ୱରକୁ ଆକର୍ଷଣୀୟ ରୂପ ଦିଆଯିବା ସହ ବିଭିନ୍ନ ସ୍ଥାନକୁ ସଜାଯାଇଥିଲା। ସାଧାରଣ ଲୋକଙ୍କ ପାଇଁ ମୋ’ ବସ୍‌, ମୋ’ ସାଇକଲ ଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ସାଇକଲ ଚାଳକଙ୍କ ଲାଗି ସ୍ବତନ୍ତ୍ର ଭାବେ ଟ୍ରାକ୍‌ ମଧ୍ୟ ଚିହ୍ନଟ କରାଯାଇଥିଲା। ମାତ୍ର ପଟିଆ ଅଞ୍ଚଳର ଶିଖରଚଣ୍ଡୀ ନଗର ଛକଠାରୁ ବିଗ୍‌ବଜାର ପର୍ଯ୍ୟନ୍ତ ଯାଇଥିବା ସାଇକଲ ଟ୍ରାକ୍‌ ଓ ଫୁଟ୍‌ପାଥ୍‌ ଏବେ ମରଣଯନ୍ତା ପାଲଟିଛି।

ସ୍ମାର୍ଟସିଟି ଯୋଜନା ଆଳରେ ସବୁଆଡ଼େ ଖୋଳାଖୋଳି ଚାଲିଛି। ରାତିରେ ଯୋଉଁ ସ୍ଥାନ ସମତୁଲ ଥିଲା ପରଦିନ ଦେଖିବା ବେଳକୁ ସେଠାରେ ୫ଫୁଟ୍‌ର ଗାତ। ଏଥିରୁ ସାଇକଲ ଟ୍ରାକ୍‌ ଓ ଫୁଟ୍‌ପାଥ୍‌ ମଧ୍ୟ ବାଦ୍‌ ପଡୁନାହିଁ। ଉନ୍ନୟନ କାମ ପାଇଁ ଯେପରି ତତ୍ପରତା ଦେଖାଇ ରାସ୍ତା ଖୋଳା ହେଉଛି ସେହି ଅନୁସାରେ ପୋତା ହେଉନାହିଁ କିମ୍ବା ମରାମତି ମଧ୍ୟ ହେଉନାହିଁ। ଏପରିକି ଗୋଟିଏ ସ୍ଥାନରେ କାମ ଅଧା କରି ଅନ୍ୟ ସ୍ଥାନରେ କାମ ଆରମ୍ଭ ଦିଆଯାଉଛି। ଏହାର କୁପରିଣାମ ସାଧାରଣ ଜନତା ଭୋଗୁଛନ୍ତି। ଏନେଇ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରାଗଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ। ଫଳରେ ଜନସାଧାରଣରେ ଅସନ୍ତୋଷ କୁହୁଳିବାରେ ଲାଗିଛି।

Comments are closed.