ସ୍ମାର୍ଟସିଟିକୁ ଷଣ୍ଢ ବିପଦ

ଭୁବନେଶ୍ବର : ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ବୁଲା ଷଣ୍ଢଙ୍କ ଦୌରାତ୍ମ୍ୟ। ଏଥିପ୍ରତି କାହାରି ନିଘାନାହିଁ। ସ୍ମାର୍ଟରାସ୍ତାରେ ମଣିଷ ଷଣ୍ଢ ସଭିଏଁ ଏକାଠି। ସକାଳୁ ସନ୍ଧ୍ୟା ଯାଏଁ ରାସ୍ତାର ଅଧ୍ୟା ପର୍ଯ୍ୟନ୍ତ ଷଣ୍ଢଙ୍କ ଲମ୍ବା ଲାଇନ୍। ଷଣ୍ଢ ରାଜରାସ୍ତାକୁ ଲଢ଼େଇର ପଡ଼ିଆ ଭାବି ବୁଲୁଛନ୍ତି। ସ୍ମାର୍ଟସିଟି ନାମରେ ବିଭିନ୍ନ ନୂଆ ନୂଆ ଯୋଜନା କରାଯାଉଛି। ଏହାସତ୍ତ୍ବେ ବି ସହରବାସୀଙ୍କ ତ୍ବରିତ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଜନସାଧାରଣଙ୍କୁ ବୁଲାଷଣ୍ଢ ବାରମ୍ବାର ଆକ୍ରମଣ କରୁଥିବା ବେ‌େ‌ଳ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ବିଏମ୍‌ସି ପକ୍ଷରୁ ରାଜରାସ୍ତାରୁ ଷଣ୍ଢ ଧରି ଜାମୁକୋଳି କିମ୍ବା ଜିଲା ବାହାର ଢେଙ୍କାନାଳରେ ଛାଡ଼ିବା ପ୍ରହସନ ପାଲଟିଛି। ଏଠାରେ ପ୍ରଶ୍ନ ଉଠୁଛି କେତେ ଏଭଳି ନିରୀହ ଜୀବନ ଗଲା ପରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଚେତା ପଶିବ। ଅନେକ ଥର ଏଭଳି ଘଟଣା ଘଟୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସାଧାରଣ ଜନତାଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧିଲାଣି।

ରବିବାର ଧଉଳି ଥାନା ସାମନ୍ତରାପୁର ବିଜୟନଗର ଅଞ୍ଚଳରେ ଏକ ପାଗଳ ଷଣ୍ଢ ଆତଙ୍କରାଜ ସୃଷ୍ଟି କରିଥିଲା। ଷଣ୍ଢ ଆକ୍ରମଣରେ ଜଣେ ମହିଳା ଏବଂ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା ବେଳେ ୫ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ୩ଦିନ ଧରି ଉକ୍ତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ ସୁଦ୍ଧା ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେହିପରି ଗତ ୨ମାସ ତଳେ ବଡ଼ଗଡ଼ ଥାନା ଅଞ୍ଚଳରେ ସନ୍ଧ୍ୟା ସମୟରେ ଗୋଟିଏ ଷଣ୍ଢ ପ୍ରାୟ ୨ଘଣ୍ଟା ଆତଙ୍କ ଖେଳାଇଥିଲା। ଉକ୍ତ ଅଞ୍ଚଳର ୧୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଷଣ୍ଢ ଆକ୍ରମଣର ଶିକାର ହୋଇଥିଲେ। ଅଳ୍ପକେ ମରଣମୁହଁରୁ ମହିଳା,ପୁରୁଷ ଓ ଶିଶୁ ବର୍ତ୍ତିଯାଇଥିଲେ। ତଥାପି ଷଣ୍ଢ ଆକ୍ରମଣରେ ଜଣେ ନାବାଳକ ସମେତ ୨ଜଣ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପ୍ରାୟ ଏକ ମାସ ଚିକିତ୍ସା ପରେ ଉଭୟ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସେହିପରି ନଭେମ୍ବର ମାସରେ ନୂଆପଲ୍ଲୀ ଅଞ୍ଚଳରେ ଷଣ୍ଢ ଆକ୍ରମଣରେ ପୂର୍ଣ୍ଣଚନ୍ଦ୍ର ଜେନା (୮୬)ଙ୍କ ମୃତ୍ୟୁ ହୋଇଥିଲା ା ଏହି ଘଟଣା ସାରା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଷଣ୍ଢ ଆକ୍ରମଣର ଶିକାର ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯାଇନଥିବା ଜଣାପଡ଼ିଛି। ଷଣ୍ଢ, ବୁଲା ଗୋରୁଗାଈ ଓ ବୁଲା କୁକୁର ସପରିବାର ରାସ୍ତା ଉପରେ ଘର କରିଛନ୍ତି। ଅନେକ ସମୟରେ ଦୁର୍ଘଟଣା ଘଟି ଜୀବନ ଯାଉଛି। ଏହି ଗୋଟିଏ କିମ୍ବା ଦୁଇଟି ଘଟଣା ନୁହେଁ ପ୍ରତିଦିନ ସହରରେ ଏଭଳି ଘଟଣା ଘଟୁଛି। ହେଲେ ଉପରିସ୍ଥ କର୍ତ୍ତୃପକ୍ଷ ଏହାକୁ ହାଲ୍‌କା ଭାବେ ଗ୍ରହଣ କରୁଥିବା ଅଭିଯୋଗ ହୋଇଛି।

Comments are closed.