ନୀଳମାଧବଙ୍କ ମହାକାଶ ଯନ୍ତ୍ର; ଆତଙ୍କବାଦୀ ଓ ମାଓବାଦୀଙ୍କୁ ଠାବ କରିବ, ବି‌େ‌ସ୍ଫାରଣରୁ ବର୍ତ୍ତିବେ ସୁରକ୍ଷାକର୍ମୀ

ଭୁବନେଶ୍ୱର(ପ୍ରଶନ୍ନଜିତ ମହାଳିକ): ଓଡ଼ିଶାର ମାଓ ଅଧ୍ୟୁଷିତ ଅଞ୍ଚଳରେ ମାଓବାଦୀଙ୍କ ଦମନ ପାଇଁ ଯୁବ ବୈଜ୍ଞାନିକଙ୍କ ଦ୍ବାରା ଉଦ୍ଭାବନ ହୋଇଛି ମହାକାଶ ଯନ୍ତ୍ର। ଦୀର୍ଘଦିନ ଧରି ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ମାଓ ତାଣ୍ଡବ ରଚୁଥିବା ମାଓବାଦୀଙ୍କୁ ନୀଳମାଧବ ବେହେରାଙ୍କ ଦ୍ବାରା ନିର୍ମିତ ଉପଗ୍ରହ ଠିକଣା ଜବାବ ଦେବ। ମାଓବାଦୀଙ୍କ ଦ୍ବାରା ଲ୍ୟାଣ୍ଡମାଇନ୍‌ ଚିହ୍ନଟ କରି ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି ବିବେଚନା କରାଯାଉଛି। ଯୁବ ବୈଜ୍ଞାନିକ ନୀଳମାଧବ ମହାକାଶ ବିଜ୍ଞାନ କ୍ଷେତ୍ରରେ ନିଜସ୍ବ ଆଧୁନିକ ଜ୍ଞାନକୌଶଳ ଦ୍ବାରା ଉପଗ୍ରହ ନିର୍ମାଣ କରି ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ମହାକାଶ ଉପଗ୍ରହ ଓ ଇଞ୍ଜିନ ନିର୍ମାଣ କରି ସେ ଏବେ ଚର୍ଚ୍ଚାରେ ଅଛନ୍ତି।

ଘଞ୍ଚ ଜଙ୍ଗଲ ଓ ପର୍ବତମାଳା ଅଞ୍ଚଳରେ ଆତଙ୍କବାଦୀ ଓ ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିବାରେ ସହାୟକ ହେବ ଏହି ମହାକାଶ ଯନ୍ତ୍ର। ଉକ୍ତ ଇଞ୍ଜିନ ଓ ଉପଗ୍ରହରେ ବ୍ୟବହାର କରାଯାଇଛି ଅତ୍ୟାଧୁନିକ ଜ୍ଞାନକୌଶଳ। ଏଥିରେ ଥିବା ମ୍ୟାଗ୍‌ନିଟୋମିଟର ବିସ୍ଫୋରଣକୁ ଠାବ କରିବାରେ ସହାୟକ ହେବା ସହ ଇମୋଜିଙ୍ଗ୍‌ ସ୍ପେଟୋମିଟରରେ ଆତଙ୍କବାଦୀ ଓ ମାଓ କାର୍ଯ୍ୟକଳାପ ଫଟୋ ମାଧ୍ୟମରେ ଗତିବିଧି ଓ ଲକ୍ଷଣ ଜଣାପଡ଼ିବ। ଏହାସହ ଲେଜର ଅଲ୍‌ଟିମିଟର ଆତଙ୍କବାଦୀଙ୍କୁ ଠାବ କରିବା ସହ ଘଞ୍ଚ ଜଙ୍ଗଲ ଭିତରେ କେତେ ଦୂରରେ ସେମାନେ ଅଛନ୍ତି ତା’ର ସଠିକ୍‌ ତଥ୍ୟ ଉପଗ୍ରହ ମାଧ୍ୟମରେ ଜାଣିହେବ। ଏହାଦ୍ବାରା ସୁରକ୍ଷାକର୍ମୀଙ୍କ ଜୀବନ ବଞ୍ଚିପାରିବା ସହ ସେମାନଙ୍କୁ ମୁକାବିଲା କରିବାରେ ଏହି ସ୍ବତନ୍ତ୍ର ଯାନ ସହାୟକ ହେବ। ଏଭଳି ମହାକାଶ ଯନ୍ତ୍ର ଉଦ୍ଭାବନ କରିବାରେ ସେ ପ୍ରଥମ ଯୁବ ବୈଜ୍ଞାନିକ। ଏହାକୁ ଉତ୍‌କ୍ଷେପଣ କରାଗଲେ ଓଡ଼ିଶା ଓ ଭାରତ ଲାଗି ବଡ଼ ସଫଳତା ହେବ ବୋଲି ନୀଳମାଧବ କହିଛନ୍ତି।

ଏହା ୩୦୦ରୁ ୪୦୦ ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ଉତ୍‌କ୍ଷେପଣ କରି ହେବ। ଏହି ମହାକାଶ ଯନ୍ତ୍ରର ଓଜନ ଦେଢ଼ରୁ ଦୁଇ କ୍ବିଣ୍ଟାଲ ହେବ। ଏଥିରେ ଲାଗିଥିବା ‘ଅଷ୍ଟର’ ଅଢ଼େଇ ଫୁଟ୍‌ ହେବ। ଉକ୍ତ ମହାକାଶ ଯାନଟି ଲିକ୍ୟୁଇଡ୍‌ ଫୁଏଲ୍‌ ଇଞ୍ଜିନ୍‌ ବ୍ୟବହାର ଦ୍ବାରା ଚାଲିବ। ଏହି ମହାକାଶ ଯାନର ୯୦ ପ୍ରତିଶତ କାମ ସରିଲାଣି। ଆଉ ବାକି ୧୦ ପ୍ରତିଶତ କାମ ହେବା ପରେ ୧୭ରୁ ୧୮ ଫୁଟ୍‌ ହେବ ବୋଲି ଯୁବ ବୈଜ୍ଞାନିକ କହିଛନ୍ତି। ଏହାକୁ ଉଦ୍ଭାବନ କରିବାରେ ତାଙ୍କୁ ଦେଢ଼ ବର୍ଷରୁ ଊର୍ଦ୍ଧ୍ବ ସମୟ ଲାଗିଥିବାବେଳେ ୨ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି। ନିଜ ପ୍ରୟାସରେ ଏହି ମହାକାଶ ଯାନ ଛାଡ଼ିବାକୁ ସେ ଯୋଜନା କରିଛନ୍ତି। ଏଥିଲାଗି ସେ ଲଞ୍ଚିଙ୍ଗ୍‌ ପ୍ୟାଡ୍‌ କରିବେ ବୋଲି ଆଶା ରଖିଛନ୍ତି। ସରକାରଙ୍କ ଅନୁମତି ମିଳିବା ମାତ୍ରେ ଏହାକୁ ଉତ୍‌କ୍ଷେପଣ କରିବେ ବୋଲି ଯୁବ ବୈଜ୍ଞାନିକ କହିଛନ୍ତି।
ପୂର୍ବରୁ ମଧ୍ୟ ହ୍ୟୁମାନ ରୋବର୍ଟ ଆବିଷ୍କାର କରି ସେ ଚର୍ଚ୍ଚାକୁ ଆସିଥିଲେ। ବାଲେଶ୍ବର ଜିଲା ନୀଳଗିରିର ଏକ ମଧ୍ୟବିତ୍ତ ପରିବାରରେ ନୀଳମାଧବଙ୍କ ଜନ୍ମ। ଗଁା ମଲ୍ଲୀ ଗଁାରେ ଫୁଟି ମଉଳିଯିବା ପରିବର୍ତ୍ତେ ଅତ୍ୟାଧୁନିକ ଜ୍ଞାନ ପ୍ରଦର୍ଶନ କରି ସେ ସବୁଠି ପ୍ରଶଂସିତ ହୋଇଛନ୍ତି। ଏଭଳି ଗୋଟିଏ ପରେ ଗୋଟିଏ ନୂଆ ଉଦ୍ଭାବନ କରି ଅନ୍ୟ ଯୁବ ବୈଜ୍ଞାନିକଙ୍କ ଲାଗି ସେ ପ୍ରେରଣ। ପାଲଟିଛନ୍ତି।

Comments are closed.